Home ଓଡ଼ିଶା ଧାମନଗର ଉପନିର୍ବାଚନ – ଭୋଟ ଗଣତି ପାଇଁ ତାଲିମ୍ ପ୍ରଦାନ ଶେଷ, ରିହର୍‌ସାଲ ପାଇଁ ପୂର୍ବ...

ଧାମନଗର ଉପନିର୍ବାଚନ – ଭୋଟ ଗଣତି ପାଇଁ ତାଲିମ୍ ପ୍ରଦାନ ଶେଷ, ରିହର୍‌ସାଲ ପାଇଁ ପୂର୍ବ ଦିନ ହେବ ଡମି ଗଣତି

51

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୪୬-ଧାମନଗର ଏସ୍‌.ସି. ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନଭେମ୍ବର ୩ ତାରିଖରେ ମତଦାନ ଗ୍ରହଣ ପରେ ନଭେମ୍ବର ୬ ତାରିଖ ରବିବାର ଦିନ ମତଦାନ ଗଣତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜିଲ୍ଲା ସଂସ୍କୃତି ଭବନର ୧ମ ମହଲାରେ ଥିବା ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ଗଣତି ସକାଳ ୮ଟାରୁ ଆରମ୍ଭ ହେବ। ସକାଳ ୭ଟା ପୂର୍ବରୁ ଗଣତି କାର୍ଯ୍ୟପାଇଁ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରାର୍ଥୀ ବା ତାଙ୍କ ପ୍ରତିନିଧି ଗଣତି କେନ୍ଦ୍ରରେ ଉପସ୍ଥିତ ହେବା ପାଇଁ କୁହାଯାଇଛି। ୧୪ଟି ଟେବୁଲ୍‌ରେ ଗଣତି କରାଯିବ ଅର୍ଥାତ୍ ଗୋଟିଏ ରାଉଣ୍ଡରେ ୧୪ଟି ଇଭି.ଏମ.ରେ ଭୋଟ ଗଣତି ହେବ। ଏହି ଗଣତି କାର୍ଯ୍ୟ ପରିଚାଳନା ପାଇଁ ନିୟୋଜିତ ହୋଇଥିବା ଅଧିକାରୀ ମାନଙ୍କୁ ନେଇ ଆଜି ସଦ୍‌ଭାବନା ସଭାଗୃହରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସାଧାରଣ ଅବଜରଭର ନିରଞ୍ଜନ କୁମାର, ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାଷ୍ଟର ଟ୍ରେନର ମାନଙ୍କ ଦ୍ୱାରା ଗଣତି କାର୍ଯ୍ୟ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଣୀତ ଗଣତି ପ୍ର୍ରକ୍ରିୟା ସମ୍ବନ୍ଧରେ ପୁଙ୍ଖାନୁ ପୁଙ୍ଖ ତାଲିମ୍ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ କି ପ୍ରତି ଗଣତି ଟେବୁଲ୍‌ରେ ଜଣେ କାଉଣ୍ଟିଂ ସୁପରଭାଇଜର ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜରଭର ଗଣନା କାର୍ଯ୍ୟ ପାଇଁ ନିୟୋଜିତ ରହିବେ। ଗଣତି ପ୍ରକ୍ରିୟାରେ ପ୍ରତ୍ୟେକ ଅଧିକାରୀଙ୍କ ଭୂମିକା ଓ କାର୍ଯ୍ୟ ସମ୍ବନ୍ଧରେ ଟିକିନିଖି ବୁଝାଇ ଦିଆଯାଇଥିଲା। ପ୍ରଥମେ ଡାକଭୋଟ ଗଣତି ପରେ ଇ.ଭି.ଏମ୍‌. ଗଣତି ଆରମ୍ଭ କରାଯିବ। ଡାକ ଭୋଟର ଗଣନା ପାଇଁ ବାଲାଟ୍ ପେପର ଓ ଇ.ଭି.ଏମ୍‌.ର ଗଣନା ପ୍ରକ୍ରିୟା ପାଇଁ ଇ.ଭି.ଏମ୍ ପ୍ରତ୍ୟକ୍ଷ ଭାବେ ପ୍ରଦର୍ଶନ କରାଯାଇଥିଲା। ଆଜି ତାଲିମ୍ ଗ୍ରହଣ କରିଥିବା ଅଧିକାରୀମାନେ ଗଣତି ପୂର୍ବଦିନ ନଭେମ୍ବର ୫ ତାରିଖରେ ଡମି ଗଣତି କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଏଥିପାଇଁ ପୂର୍ବରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଡମି ପୋଷ୍ଟାଲ୍ ବାଲାଟ୍ ପେପର, ଡମି ମତଦାନ କରାଯାଇଥିବା ଇ.ଭି.ଏମ୍‌. ଡମି ପେପର ୱାର୍କ ଜରିଆରେ ଅଧିକାରୀମାନେ ଗଣତି କରି ପରଦିନ ଗଣତି କାର୍ଯ୍ୟପାଇଁ ନିଜକୁ ସଠିକ୍ ଭାବେ ପ୍ରସ୍ତୁତ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.