Home Top News ଧାମନଗର ଉପନିର୍ବାଚନ – ଭୋଟ୍ ଗଣତି ଅସୁରାଳି ରୁ ଆରମ୍ଭ ଶ୍ୟାମସୁନ୍ଦରପୁରରେ ଶେଷ, ୧୪ ଟି...

ଧାମନଗର ଉପନିର୍ବାଚନ – ଭୋଟ୍ ଗଣତି ଅସୁରାଳି ରୁ ଆରମ୍ଭ ଶ୍ୟାମସୁନ୍ଦରପୁରରେ ଶେଷ, ୧୪ ଟି ଟେବୁଲରେ ୧୮ ରାଉଣ୍ଡ ଗଣତି

51

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରିଗଲା ଧାମନଗର ବିଧାନସଭା ଉପନିର୍ବାଚନ ଭୋଟଦାନ ପ୍ରକ୍ରିୟା। ସରକାରୀ ଭାବେ ଏହି ମତଦାନ ୬୮.୯୮ ପ୍ରତିଶତ ଭୋଟ୍ ଦାନ ହୋଇଛି ବୋଲି ଘୋଷଣା ହୋଇଛି। ୪୮ ଘଣ୍ଟା ଧରି ଏହି ଇଭିଏମ୍ ମେସିନ୍ ଷ୍ଟ୍ରଙ୍ଗ ରୁମ୍‌ରେ ରହିବା ପରେ ରବିବାର ସକାଳୁ କଡା ସୁରକ୍ଷା ବଳୟରେ ଗଣତି ହେବ। ଇଭିଏମ୍ ମେସିନ୍‌ରେ ଭୋଟ ଦାନ ହୋଇଥିବାରୁ ରବିବାର ଦିନ ୧ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଜଣାପଡିଛି। ଏଥିପାଇଁ ଜିଲାପ୍ରଶାସନ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରିଛି। ୧୪ଟି ଟେବୁଲରେ ଏହି ଭୋଟ୍ ଗଣତି ହେବ। ଯାହାକି ୧୮ ରାଉଣ୍ଡ ଧରି ଚାଲିବ। ୨୫୨ ଟି ବୁଥ୍‌ରେ ଭୋଟ୍ ପ୍ରକ୍ରିୟା ହୋଇଥିବାରୁ ୧୮ ରାଉଣ୍ଡ ପାଇଁ ପ୍ରଶାସନ ୧୪ଟି ଟେବୁଲ ପ୍ରସ୍ତୁତ କରିଛି। ଭୋଟ୍ ଗଣତି ବୁଥ୍ ଅନୁଯାୟୀ ହେବ। ୧ନଂ ବୁଥ୍ ଭଗବାନପୁର ପ୍ରଥମ ଗଣତି ଆରମ୍ଭ ହେବ। ପ୍ରତି ରାଉଣ୍ଡରେ ୧୪ଟି ବୁଥ୍‌ର ଗଣତି ହେଉଥିବାରୁ ଅସୁରାଳି ଜୋନ୍‌ରୁ ଏହି ଗଣତି ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ହେବ। ତୃତୀୟ ରାଉଣ୍ଡ ବେଳକୁ ଏହା ତିହିଡି ବ୍ଲକ୍‌ରେ ପ୍ରବେଶ କରିବ।

ତିହିଡି ବ୍ଲକ୍‌ର ଇଟାଗଡି, ଗୁଆମାଳ, ବୁଡଙ୍ଗ, ଗାଜିପୁର, ଦୋଳସାହି, ଦେଉଳା, ତଳଗୋପବିନ୍ଧା ଆଦି ବୁଥ୍‌ରେ ଗଣତି ଚାଲିବ। ୫ମ ରାଉଣ୍ଡ ବେଳକୁ ଏହା ବିଲଣା, ବାରୋ, ଚବିଶପଡା ଶାସନ, କାଁପଡା, ପାଳିଆବିନ୍ଧା, ନନ୍ଦପୁର, ଦହପାଣିଆ ଆଦି ବୁଥ୍ ପଡିବ। ଏହା ପରେ ବୋଡକ ପଞ୍ଚାୟତ ଗଣତି ସହ ଧାମନଗର ବ୍ଲକ୍‌ର କଲ୍ୟାଣୀ ପଡିବ। ପରେ ଧାମନଗର କଲ୍ୟାଣୀ ଏନଏସି, ଦୋବଲ ଜୋନ, ଧୁଷୁରୀ ଜୋନ୍ ଗଣତି ପରେ ଶେଷ ରାଉଣ୍ଡ ତିହିଡି ବ୍ଲକ୍‌ର ଶ୍ୟାମସୁନ୍ଦରପୁର ପଂଚାୟତ ହେବ। ଉପରଦୁମୁକା ଓ ତଳଦୁମୁକା ୨୫୨ ନଂ ବୁଥ୍‌ର ଶେଷ ଗଣତି ହେବ। ମୋଟ ଉପରେ ପ୍ରାର୍ଥୀଙ୍କ ଦଳୀୟ ଛାମୁଆ ନେତା ଖାତା କଲମ ଧରି କଷୁଛନ୍ତି ପ୍ରଥମ ରାଉଣ୍ଡରେ କାହାର ପଲା ଭାରି ପଡିବ। ତିହିଡି ୧୩ ପଂଚାୟତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣାୟକ ଭୂମିକାରେ ସ୍ଥାନ ପାଇବ। ମୋଟ ୪୪ ଟି ପଂଚାୟତ ଓ ୧୧ଟି ଏନଏସି ୱାର୍ଡରେ ବିଜେପି ଓ ବିଜେଡି କଡା ଟକ୍କରରେ ରହିଥିଲେ ମଧ୍ୟ ଶଶସକ ବିଜେଡି ୧୦ ହଜାର ଭୋଟ୍ ଧାମନଗରରୁ ଲିଡ୍‌ରେ ରହିବ ବୋଲି କହିବା ସହ ତିହିଡିକୁ ଅପେକ୍ଷା କରିଛି। ସେହିଭଳି ବିଜେପି ମଧ୍ୟ ଧୁଷୁରୀ ଓ ଦୋବଲ ଜୋନ୍‌କୁ ଛାଡି ଅସୁରାଳି ଓ ଧାମନଗର ଜୋନ୍‌ରେ ଲିଡ୍‌ରେ ରହିବା ସହ ତିହିଡି ୧୩ ପଂଚାୟତର ଭୋଟ୍ ସଂଖ୍ୟା ଉପରେ ଭରସା କରିଛି। ତେଣୁ ତୃତୀୟ ରାଉଣ୍ଡ ଗଣତି ବେଳୁ ତିହିଡି ଅଂଚଳ ପଡୁଥିବାରୁ ଜଣାପଡିଯିବ କାହାର ପଲା କେତେ ଭାରି ରହୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.