Home ଓଡ଼ିଶା ଧାମନଗର ଉପନିର୍ବାଚନ ଫଳାଫଳ ସବୁ ଦଳ ପାଇଁ ମର୍ଯ୍ୟାଦାର ପ୍ରଶ୍ନ

ଧାମନଗର ଉପନିର୍ବାଚନ ଫଳାଫଳ ସବୁ ଦଳ ପାଇଁ ମର୍ଯ୍ୟାଦାର ପ୍ରଶ୍ନ

44

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଉପନିର୍ବାଚନର ଭୋଟ୍ ଗ୍ରହଣ ଶେଷ ହୋଇଛି। ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଏହି ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିକୁ ହଲଚଲ କରିବ। ଏଣୁ ସବୁ ଦଳ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି। କିଏ ଜିତିବ ତାହାର ଗଣତି ସବୁ ଦଳର ବଡ ପଣ୍ଡିତଙ୍କୁ ଅଡୁଆରେ ପକାଇଛି। ବିଶେଷକରି ବିଜେଡି, ବିଜେପି, କଂଗ୍ରେସ ୩ ପ୍ରମୁଖ ଦଳ ଏହି ଫଳାଫଳର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡିବ। ଏଣୁ ଏହି ନିର୍ବାଚନ ଫଳାଫଳ ସବୁ ଦଳ ପାଇଁ ସତର୍କ ଘଣ୍ଟି। ରାଜ୍ୟରେ ହୋଇଯାଇଥିବା ବିଗତ ଉପନିର୍ବାଚନ ଗୁଡିକରେ ବିଜେଡି ସପକ୍ଷରେ ଏକତରଫା ଭାବେ ମତ ଯାଇଛି। କିନ୍ତୁ ଚଳିତ ନିର୍ବାଚନରେ ଭିନ୍ନ ସନ୍ଦେଶ ମିଳିଛି। ଟିକେଟ୍ ପାଇ କେବେ କେହି ବିଜେଡି ଦଳର ବିଦ୍ରୋହୀ ହୋଇନଥିଲେ। ଚଳିତଥର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ବିଦ୍ରୋହୀ ପ୍ରାର୍ଥୀ ଭାବେ ଲଢି ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ଉପନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳା ଭୋଟରେ ବିଜେଡି ସପକ୍ଷରେ ମତ ସାବ୍ୟସ୍ତ କରି ଆସିଛନ୍ତି।

ଏହି ଉପନିର୍ବାଚନରେ ଅବନ୍ତୀଙ୍କୁ ପ୍ରାର୍ଥୀ କରି ଶାସକ ଦଳ ବାଜି ମାରିବ କି ବିଫଳ ହେବ ତାହା ଆସନ୍ତା ୬ ତାରିଖ ଜଣାପଡିବ। ସେହିଭଳି ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କେନ୍ଦ୍ର ଓ ରାଜ୍ୟନେତୃବୃନ୍ଦଙ୍କ ଏହି ଉପନିର୍ବାଚନରେ ପ୍ରାଣମୂର୍ଚ୍ଛା ପ୍ରଚାର ଉଦ୍ୟମ, ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ବିଜେପି କେବେ ଅନ୍ୟ ଉପନିର୍ବାଚନମାନଙ୍କରେ ଏଭଳି ଅଜସ୍ର ପରିଶ୍ରମ କରିନଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଥର ଗସ୍ତ କରି ପ୍ରଚାରକୁ ଜୋରଦାର କରିବା ଘଟଣା ଦଳ ପାଇଁ ଏବେ ମର୍ଯ୍ୟାଦାର ପ୍ରଶ୍ନ ହୋଇଉଠିଛି। ସେହିପରି କଂଗ୍ରେସର ସଭାପତି ଶରତ ପଟ୍ଟନାୟକ ତାଙ୍କ ପାଇଁ ଏହି ଉପନିର୍ବାଚନଟି ସମ୍ମାନର ପ୍ରଶ୍ନ ହୋଇଉଠିଛି। ଯଦି ପୂର୍ବ ନିର୍ବାଚନ ଅପେକ୍ଷା ଦଳ ଏହି ଉପନିର୍ବାଚନରେ ଅଧିକ ସଫଳତା ହାସଲ ନକରେ, ତେବେ ଦଳ ପାଇଁ ସେ ପ୍ରଭାବହୀନ ହୋଇପଡି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଏହି ଉପନିର୍ବାଚନରେ ଆଖିଦୃଶିଆ ଭୋଟ ନପାଆନ୍ତି, ତାଙ୍କର ରାଜନୈତିକ ଭାବମୂର୍ତ୍ତି ସାଧାରଣରେ ମୂଲ୍ୟହୀନ ହୋଇପଡିବ। ତାଙ୍କ ପାଇଁ ମଧ୍ୟ ଏହି ସଫଳତା ସମ୍ମାନର ପ୍ରଶ୍ନ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.