Home ଜିଲ୍ଲା ପରିକ୍ରମା ଧାମନଗର ଉପନିର୍ବାଚନରେ ଆରମ୍ଭ ହୋଇଗଲାଣି ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ

ଧାମନଗର ଉପନିର୍ବାଚନରେ ଆରମ୍ଭ ହୋଇଗଲାଣି ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ

38

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ସରିଛି। ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷଦିନ। ତେବେ ଦଳୀୟ ଟିକେଟ୍‌କୁ ନେଇ ଆଞ୍ଚଳିକ ଦଳ ବିଜେଡି ମଧ୍ୟରେ ବିଶାଳ ଫାଟ ସୃଷ୍ଟି ହୋଇଛି। ଦଳୀୟ ପ୍ରାର୍ଥିନୀ ଭାବେ ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ ନାମାଙ୍କନ କରିଥିବାବେଳେ ଦଳୀୟ ଟିକେଟ୍‌ରୁ ବାଦ ପଡିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ବିଦ୍ରୋହୀ ଭାବେ ଉଭା ହୋଇଛନ୍ତି। ଉଭୟ ଧାମନଗରକୁ ନେଇ ସ୍ୱାଭିମାନର ଲଢେଇ କରିବାକୁ ଆହ୍ୱାନ ଦେଇଛନ୍ତି। ବିଜେଡିର ଏପରି ଫାଟକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ଜିତାଇବା ଲାଗି ସମସ୍ତ ପ୍ରକାର ଋଣକୌଶଳ ଆରମ୍ଭ କରିସାରିଥିବା କୁହାଯାଉଛି। ଗ୍ରାଉଣ୍ଡ ଜିରୋରୁ ବିଜେଡିର ଭଲ ମାହୋଲ ରହିଛି। ଜନ୍ମରୁ ମୃତ୍ୟୁପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିବା ତଥା ଗାଁକୁ କାମ ମାଆକୁ କାମର ନାରାଦେଇ ଲୋକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି। ଯାହାକୁ ନେଇ ଲୋକଙ୍କ ସମର୍ଥନ ମିଳିବ ବୋଲି ଆଶା କରିଛି ଦଳ। ସେହିପରି ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବିଜେପିର ମାହୋଲ ସହିତ ସ୍ୱର୍ଗତଃ ବିଷ୍ଣୁଙ୍କ ପ୍ରତି ଥିବା ଭଲପାଇବା ଏବଂ ତାହା ତାଙ୍କ ପୁଅ ପ୍ରତି ଅନୁକମ୍ପାରେ ପ୍ରତିଫଳିତ ହେବାର ସମ୍ଭାବନା ରହିଥିବା କୁହାଯାଉଛି। ବିଶେଷକରି ବିଜେଡିର ଦଳୀୟ ଫାଟ ବିଜେପିକୁ ପ୍ରମୁଖ ମାତ୍ରାରେ ସୁହାଇବ ଏବଂ ବିଜେପି ବିଜୟର ତିଲକ ପିନ୍ଧିବ ବୋଲି ଆଶା କରିଛି। ତଥାପି ରାଜ୍ୟସ୍ତରୀୟ ନେତାଙ୍କ ସିଧାସଳଖ ସଂପୃକ୍ତି ରହୁଥିବା ଏବଂ କେନ୍ଦ୍ର ମନ୍ତ୍ରୀମାନଙ୍କ ସମ୍ଭାବ୍ୟ ଆଗମନକୁ ନେଇ ଦଳ ବେଶ ଖୁସି ଥିବା ମନେ ହେଉଛି। ଉଭୟ ଦଳ ସଂପ୍ରତି ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏହାରି ମଧ୍ୟରେ ବିଜେଡି ଓ ବିଜେପି ନେତାଙ୍କ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଉଭୟ ଦଳ ଭଲ ସ୍ଥିତିରେ ଅଛନ୍ତି ଏବଂ ବିଜୟ ସୁନିଶ୍ଚିତ ବୋଲି କହୁଛନ୍ତି। ଏହାରି ମଧ୍ୟରେ ଯେଉଁ ବାକ୍‌ଯୁଦ୍ଧ ପଦାକୁ ଆସିଛି, ତାକୁ ନେଇ ଭୋଟର କେଉଁ ପ୍ରକାର ନିଷ୍ପତ୍ତି ନେବେ, ତାହା କେବଳ ଦେଖିବା ବାକି ରହିଛି। ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପାଲଟା ଜବାବ ଦେଉଥିବା ପଦାକୁ ଆସିଛି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଧାମନଗର ଉପନିର୍ବାଚନରେ ପ୍ରଚାରକୁ ଆସନ୍ତି ଅଥବା ଉଭୟ ବିଜେପି ଓ କଂଗ୍ରେସ ଯଦି ଏକାଠି ହୋଇ ଲଢନ୍ତି, ତଥାପି ବିଜେଡି ପ୍ରାର୍ଥୀ ବିଜୟଲାଭ କରିବ ବୋଲି ଏକ ଦଳୀୟ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାମଲ ପ୍ରତିକ୍ରିୟା ଦେଇଥିଲେ। ଏହାର ଜବାବରେ ବିଜେପିର ନିର୍ବାଚନୀ ସଭାରେ ଯୋଗଦେଇ ଜୟନାରାୟଣ ମିଶ୍ର ତେରଚ୍ଛା ବାଣ ମାରିଛନ୍ତି। ବିଜେଡି ଆତ୍ମଗର୍ବରେ ବିଭୋର ହୋଇଯାଇଛି। ସେମାନଙ୍କର ଅଂହକାର ବେଶି ଦିନର ନୁହେଁ। ଚଳିତ ନିର୍ବାଚନରେ ଧାମନଗରବାସୀ ଭାଙ୍ଗିଦେବେ ଏବଂ ତାପରେ ଓଡ଼ିଶାବାସୀ ୨୦୨୪ ନିର୍ବାଚନରେ ସବୁ ପ୍ରକାର ଗର୍ବ ଅହଂକାରକୁ ଚୂର୍ଣ୍ଣ କରିଦେବେ ବୋଲି କହିଛନ୍ତି। ‘ଚଳିବ ନାହିଁ କଳା ଟଙ୍କା ଚଳିବ ନାହିଁ ମଟନ, ଏଥର ପଦ୍ମଫୁଲ ଚିହ୍ନରେ ଚିପିବୁ ଆମେ ବଟମ’ ବୋଲି ଏବେଠାରୁ ଲୋକେ କହିବା ଆରମ୍ଭ କଲେଣି। ଏବଂ ଏହି ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ମୂଳଦୁଆ ପକାଇବ ବୋଲି ଶ୍ରୀ ମିଶ୍ର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.