Home ଜିଲ୍ଲା ପରିକ୍ରମା ଧାମନଗରରେ ସଟଡାଉନ କଡାକଡି:ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା, ଅତିରିକ୍ତ ଏସପି ଓ ପିଡି ଧାମନଗର ଗସ୍ତ

ଧାମନଗରରେ ସଟଡାଉନ କଡାକଡି:ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା, ଅତିରିକ୍ତ ଏସପି ଓ ପିଡି ଧାମନଗର ଗସ୍ତ

25

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶରେ କରୋନା ମହାମାରୀ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ହାର ବଢୁଥିବା ବେଳେ ଧାମନଗରରେ ମଧ୍ୟ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ଚଳିତ ମାସ ଆଜି ସୁଧା ଧାମନଗର ବ୍ଲକରେ ୫୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ଆଜି ବ୍ଲକର ଅସୁରାଳି ଠାରେ ୫୦ଜଣ ନମୁନା ପରୀକ୍ଷାରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫତେପୁର ଓ ଖପରପଦା ପଂଚାୟତରୁ ଦୁଇଜଣ ଲେଖାଏଁ ଏବଂ ଅସୁରାଳି ଓ ଅନ୍ନପାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ବ୍ଲକରେ ୫୦ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ପହଂଚିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । ଧାମନଗର ଏନଏସି ଅଂଚଳର ଆଜିର ବନ୍ଦ ବେଶ ପ୍ରଭାବ ପଡିଛି । ଲୋକମାନେ ଦୋକାନ ବଜାର ବନ୍ଦ ରଖିବା ସହିତ ଘରୁ ପଦାକୁ ବାହାରିନାହାନ୍ତି । ଜିଲା ଅତିରିକ୍ତ ଏସପି ଜତିନ ପଣ୍ଡା ଓ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଧାମନଗରରେ ପହଂଚି ସ୍ଥିତି ପରିକ୍ଷିଥିଲେ । ବଜାରରେ କାଁ ଭାଁ ଅମାନିଆଙ୍କୁ ମଧ୍ୟ ଅଟକାଇ ସଚେତନତା କରାଇବା ସହିତ ଜୋରିମାନା ମଧ୍ୟ ଆଦାୟ କରିଥିଲେ ।

ଏଥିରେ ଥାନାଧିକାରୀ ରତିକାନ୍ତ ଗିରି, ଏସଆଇ ମୋତିଲାଲ ମାରାଣ୍ଡିଙ୍କ ସମେତ ପୁଲିସ କର୍ମଚାରୀ ମାନେ ଯାଂଚକୁ କଡାକଡି କରିଥିଲେ । ସେହିପରି ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଭାସୀ ମାନଙ୍କ ପାଇଁ ଧାମନଗର କଲ୍ୟାଣ ମଣ୍ଡପ ସହିତ ଭଗବାପୁରସ୍ଥିତ ପିବି ହାଇସ୍କୁଲ ଓ ଦଇପୁରସ୍ଥିତ ଇନ୍ଦ୍ରମଣି ହାଇସ୍କୁଲରେ ୩ଟି ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଯେଉଁ ପ୍ରଭାସୀ ମାନେ ଘରେ ସଙ୍ଗରୋଧରେ ରହିବାର ସୁବିଧା ନଥିବ ସେମାନେ ଏହିସବୁ ସଙ୍ଗରୋଧ କେନ୍ଦ୍ରରେ ରହିପାରିବେ । ସେଥିପାଇଁ ସରକାରଙ୍କ ପକ୍ଷରୁ ପୂର୍ବବର୍ଷ ଭଳି ଚଳିତ ବର୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଜି ଏହିସବୁ ସଙ୍ଗରୋଧ କେନ୍ଦ୍ରରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ସମେତ ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜତିନ୍ଦ୍ର କୁମାର ମିଶ୍ର ବୁଲି ଦେଖିଥିଲେ । ଧାମନଗର କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ରରେ ଜଣେ ମହାରାଷ୍ଟ ଫେରନ୍ତା ପ୍ରଭାସୀ ରହିଥିବା ସୂଚନା ମିଳିଛି । ରବିବାର ମଧ୍ୟ ଧାମନଗର ଏନଏସି ସଟଡାଉନ ରହୁଥିବାରୁ ଏହାକୁ ପାଳନ କରିବାକୁ ସମସ୍ତ ଜନସାଧାରଣଙ୍କୁ ଥାନାଧିକାରୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.