Home ଜିଲ୍ଲା ପରିକ୍ରମା ଧାନ ବିକ୍ରି କରି ନପାରି ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗ, ବିଜେପି...

ଧାନ ବିକ୍ରି କରି ନପାରି ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗ, ବିଜେପି ନାଟକବାଜି କରୁଛି – କ୍ଷୀରୋଦ ରାଉତ

26

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ ବିକ୍ରି କରି ନପାରି ଭଦ୍ରକ ବ୍ଳକ ବନ୍ଧଗାଁ ପଞ୍ଚାୟତରେ ଚାଷୀ ରାଧାକୃଷ୍ଣ ପଣ୍ଡାଙ୍କ ପୁତ୍ର ରାମକୃଷ୍ଣଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଆଣି ବିଜେପି ହୀନ ରାଜନୀତି କରୁଛି । ଏକ ପୂର୍ବ ପ୍ରାୟୋଜିତ ଷଡ଼ଯନ୍ତ୍ରକୁ ରାଜନୈତିକ ରଂଗ ଦେଇ ଫାଇଦା ହାସଲ କରିବାକୁ ଚାହୁଁଛି । ଦିଲ୍ଲୀରେ ଚାଷୀମାନେ ନିଜର ହକ୍ ଦାବି ପାଇଁ ୨ମାସରୁ ଉର୍ଦ୍ଧ୍ୱ ସମୟ ଧରି ଖରା, ବର୍ଷା, ଶୀତରେ ପଡ଼ି ରହିଥିଲେ ମଧ୍ୟ ସେଥି ପ୍ରତି ବିଜେପି ନୀରବତା ପ୍ରକାଶ କରୁଥିବାବେଳେ, ଏକ ମିଥ୍ୟା ଅଭିଯୋଗ ଭିତ୍ତିରେ ମହିଳା ମହାସଂଘକୁ ବଦନାମ କରିବା ସହ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛି ବୋଲି ୨୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ୍ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଏହି ଅବସରରେ ଶ୍ରୀ ରାଉତ୍ ବିଜେପିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ବାସ୍ତବ ସତ୍ୟ କ’ଣ ଏସମ୍ପର୍କରେ ସ୍ପଷ୍ଟିକରଣ ଦେଇଛନ୍ତି । ଶ୍ରୀ ରାଉତ୍ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଡିଏଲପିସି ବୈଠକର ନିଷ୍ପତ୍ତି ଅନୁଯାୟୀ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ମହିଳା ମହାସଂଘକୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯାଇଥିଲା । ଶ୍ରୀ ପଣ୍ଡା ନିଜ ଟୋକନ ନମ୍ବର ୩୮୮ରେ ୫୦ କୁଇଣ୍ଟାଲ, ତାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ୧୯୨ ନମ୍ବର ଟୋକନ ମୂଳେ ୪୬ କୁଇଣ୍ଟାଲ ୫୫ କେଜି ଧାନ ମହାସଂଘକୁ ବିକ୍ରି କରି ମୋଟ ୧ଲକ୍ଷ ୮୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ପାଇ ସାରିଛନ୍ତି । ରାମକୃଷ୍ଣ ପଣ୍ଡା ଆଉ ଏକ ଟୋକନ ନଂ୪୬୫ ମୂଳେ ଜାନୁଆରୀ ୨୩ କୁ ଧାନ ଦେବାର ଧାର୍ଯ୍ୟ ଥିବା ବେଳେ ୨୨ ତାରିଖ ରାତିରେ ଏହା କମ୍ପୁଟରୀକରଣ କାରଣରୁ ଲାପ୍‌ସ୍ ହୋଇଯାଇଥିଲା । କିନ୍ତୁ ମହାସଂଘ ପାଖରେ ଅତିରିକ୍ତ ଟାର୍ଗେଟ ପହଞ୍ଚି ନଥିବାରୁ ଓ ନିମୟାନୁଯାୟୀ ଟୋକନର ଅବଧି ସରି ଯାଇଥିବାରୁ ଏହା ଲାପ୍‌ସ୍ ହୋଇଯାଇଥିଲା । ଏ ନେଇ ଶ୍ରୀ ପଣ୍ଡା ମହାସଂଘର ସଭାନେତ୍ରୀଙ୍କୁ ଧରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି କାରଣ ବୁଝିଥିଲେ ଓ ଅବଗତ ମଧ୍ୟ ହୋଇଥିଲେ ।

ଏଥିରେ ମହାସଂଘର କୌଣସି ଭୂମିକା ନାହିଁ । ଅନ୍ୟପକ୍ଷରେ ଉଭୟ ଶ୍ରୀ ପଣ୍ଡା ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଏକ ଡିସିମିଲ ଜମି ନଥିବା ବେଳେ, ସେ କିପରି ୩ଟି ଟୋକନ ହାତେଇଲେ ତାହା ଏବେ ସନ୍ଦେହର କାରଣ ।ପୁଣି ଶ୍ରୀ ପଣ୍ଡାଙ୍କର ସରକାରୀ ରେକର୍ଡରେ ଯେତିକି ନିଜସ୍ୱ ଜମି ରହିଛି ତାହାକୁ ଆଧାର କଲେ ସେ ମାତ୍ର ୨କୁଇଣ୍ଟାଲ ୪୪ କିଲୋ ଧାନ ବିକିବାକୁ ଅନୁମତି ପାଇବା କଥା । ଅପରପକ୍ଷେ ଶ୍ରୀ ପଣ୍ଡା ଆଦୌ ବିଷ ପିଇ ନାହାନ୍ତି । ସେ ପକେଟରୁ ଏକ ବୋତଲ ବାହାର କରି ପିଇବାକୁ ଉଦ୍ୟମ କଲାବେଳେ, ଉପସ୍ଥିତ ଚାଷୀ, ଧାନ ସଂଗ୍ରହ କମିଟିର ସଭ୍ୟ, ଜନପ୍ରତିନିଧି ତାଙ୍କ ହାତରୁ ବୋତଲ ଛଡ଼ାଇ ନେଇ ବାହାରକୁ ଫିଙ୍ଗି ଦେଇଥିଲେ । ଏହି ସମୟରେ ବୋତଲରୁ ଯେଉଁ ଛିଟିକା ବିଭିନ୍ନ ଲୋକଙ୍କ ଉପରେ ପଡ଼ିଥିଲା, ସେଥିରେ ବିଷ ଗନ୍ଧ ନଥିଲା । ପୂର୍ବରୁ ମଧ୍ୟ ସେ କେତେକ ବ୍ୟକ୍ତିଙ୍କ ଆଗରେ ଆଜି ଆତ୍ମହତ୍ୟା ନାଟକ ରଚିବି ବୋଲି କହିଥିବା କେତେକ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ବିଷ ପିଇବାର ଅଳ୍ପ ସମୟ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଭଦ୍ରକ ହସ୍‌ପିଟାଲ ନେଇଥିଲା । ପୂର୍ବ ଯୋଜନା ଅନୁଯାୟୀ ସେଠାକୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଡକା ସରିଥିଲା ।

କିନ୍ତୁ ହସପିଟାଲରେ ଶ୍ରୀ ପଣ୍ଡାଙ୍କ ଭଉଣୀ ଯେଉଁ ବିଷ ବୋତଲ ଗଣମାଧ୍ୟମକୁ ଦେଖାଇଲେ, ତାହା କେଉଁଠାରୁ ଆସିଲା ବୋଲି ଶ୍ରୀ ରାଉତ ପ୍ରଶ୍ନ କରିବା ସହ ଏହା ପ୍ରାୟୋଜିତ ଷଡ଼ଯନ୍ତ୍ରକୁ ସୂଚୀତ କରୁଛି ବୋଲି କହିଛନ୍ତି । ସେହିପରି ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଶ୍ରୀ ପଣ୍ଡା ଥାନାକୁ ଯାଇ କିପରି ଏତଲା ଦେଲେ ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ବହୁବିଧ ଉଦ୍ୟମ କରୁଥିବା ବେଳେ, ବିଜେପି ଦଳ ମହିଳାଙ୍କ ଦ୍ୱାରା ପରିଚାଳିତ ମହାସଂଘ ବିରୁଦ୍ଧରେ ଏପରି ମନଗଢ଼ା ଅଭିଯୋଗ ଆଣି ନାରୀ ଜାତିଙ୍କୁ ଅପମାନିତ କରୁଛି । ପୁଣି ଶ୍ରୀ ପଣ୍ଡା ବୋତଲ ଭିତରେ ଖାଲି ପାଣି ଭର୍ତ୍ତି କରି ଯେଉଁ ନାଟକ କରିଥିଲେ, ତାହା ଗତ ୨୭ ତାରିଖରେ ଆଇସିଡିଏସ୍ ସୁପରଭାଇଜର ପ୍ରଶାସନ ପକ୍ଷରୁ ତଦନ୍ତ କରିବାକୁ ଯାଇ ଜନପ୍ରତିନିଧି, କମିଟି ମେମ୍ବର ଓ ଚାଷୀଙ୍କ ବୟାନରୁ ସ୍ପଷ୍ଟ ହୋଇ ସାରିଛି । ଏହି ବିଷ ପିଇବାର ନାଟକବାଜିର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଶ୍ରୀ ରାଉତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.