Home ଜିଲ୍ଲା ପରିକ୍ରମା ଧାନକିଣାରେ ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ! ଜିଲା ଯୋଗାଣ କାର୍ଯ୍ୟାଳୟ ଘେରିଲେ ଗୁଡୁଦାବାସୀ

ଧାନକିଣାରେ ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ! ଜିଲା ଯୋଗାଣ କାର୍ଯ୍ୟାଳୟ ଘେରିଲେ ଗୁଡୁଦାବାସୀ

27

ବାଲେଶ୍ୱର, ୧୯ା୧ (ଓଡ଼ିଆ ପୁଅ/ଅଭୟ ଦାସ): ଧାନ କିଣାରେ ରେମୁଣା ବ୍ଲକର ଦୁର୍ଗାଦେବୀ ପ୍ରାଥମିକ କୃଷି ସମବାୟ ସମିତି ଓ ମିଲରଙ୍କ ଅସହଯୋଗ ପ୍ରତିବାଦରେ ଗୁଡୁଦା ପଞ୍ଚାୟତର ଚାଷୀମାନେ ମଙ୍ଗଳବାର ଦିନ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଲୟ ଘେରାଓ କରିଥିଲେ। ଦୁର୍ଗାଦେବୀ ପ୍ରାଥମିକ କୃଷି ସମବାୟ ସମିତି ଦୀର୍ଘ ବର୍ଷଧରି ଦୁର୍ଗାଦେବୀ ଓ ଗୁଡୁଦା ପଞ୍ଚାୟତର ଚାଷୀଙ୍କ ଧାନ ଦୁଇଗୋଟି କେନ୍ଦ୍ରରେ ସଂଗ୍ରହ କରିଥାନ୍ତି। ସମିତି ପକ୍ଷରୁ ଗୋଟିଏ କେନ୍ଦ୍ର ଦୁର୍ଗାଦେବୀରେ ଓ ଅନ୍ୟଟି ଗୁଡ଼ୁଦାରେ ସ୍ଥାପନ ସହ ସରକାରୀ ନିୟମ ଭିତ୍ତିରେ ଧାନ ସଂଗ୍ରହ ହୋଇଆସୁଥିଲା। ମାତ୍ର ଚଳିତ ବର୍ଷ ଧାନକିଣାରେ ଗୁଡ଼ୁଦା ପଞ୍ଚାୟତର ଚାଷୀଙ୍କୁ ଅଣଦେଖା କରାଯାଉଥିବା ସେମାନେ ଆରୋପ ଉଠାଇଛନ୍ତି। ଗତ ଡିସେମ୍ବର ମାସ ୨୫ ତାରିଖରୁ ଗୁଡୁଦା ପଂଚାୟତର ଚାଷୀମାନଙ୍କୁ ଧାନ ବିକ୍ରୟ ପାଇଁ ଟୋକନ ମିଳିଥିବା ବେଳେ ସମବାୟ ସମିତି ପକ୍ଷରୁ ଧାନ କିଣିବା ପାଇଁ କୌଣସି ପ୍ରକାର ଆଗ୍ରହ ପ୍ରକାଶ ପାଇନାହଁ। ଅପର ପକ୍ଷେ ଦୁର୍ଗାଦେବୀ କେନ୍ଦ୍ରରେ ଚାଷୀମାନଙ୍କ ନିକଟରୁ ଧାନ କ୍ରୟ ଜାରି ରହିଥିବା ଗୁଡୁଦା ପଂଚାୟତବାସୀ କହିଛନ୍ତି। ଗୁଡୁଦା ପଞ୍ଚାୟତକୁ ଯିବା ପାଇଁ ଭଲରାସ୍ତା ନଥିବା ଯୋଗୁଁ ମିଲରଙ୍କ ଗାଡ଼ି ଯାଉନଥିବାର ଆଳ ଦେଖାଇ ସମବାୟ ସମିତିର ସମ୍ପାଦକ ଧାନ କ୍ରୟ କରୁନଥିବା ଚାଷୀମାନେ କହିଛନ୍ତି। ଏମିତିକି କିଛି ଧାନ ବ୍ୟବସାୟୀ ଓ ନିଜ ଲୋକଙ୍କ ନାମରେ ସମ୍ପାଦକ ଧାନ କ୍ରୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼କଥା ହେଲା ଗୁଡ଼ୁଦା ପଞ୍ଚାୟତ ଅତିକ୍ରମ କରି ମିଲରଙ୍କ ଗାଡ଼ି ଦୁର୍ଗାଦେବୀ କେନ୍ଦ୍ରରୁ ନିୟମିତ ଧାନ ନେଇ ଆସୁଥିବା ବେଳେ ଗୁଡ଼ୁଦା ପଞ୍ଚାୟତରୁ ଚାଷୀଙ୍କ ଧାନ କ୍ରୟରେ କେଉଁଠି ସମସ୍ୟା ରହିଲା ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଚାଷୀଙ୍କୁ ହଇରାଣ ହରକତ କରିବା ପାଇଁ ମିଲର ଓ ସମିତି ସମ୍ପାଦକଙ୍କର ଏହା ଏକ ଚାଲ ବୋଲି ସେମାନେ ପ୍ରକାଶ କରିଛନ୍ତି। ଗୁଡୁଦା ପଞ୍ଚାୟତ ଅଧୀନରେ ସିରାକୋଇଲି, ଭଦ୍ରସିଆ, ଗଉଡ଼ଗାଁ, ପାଳହତା, ଗୁଡୁଦା, ଗୁଡୁଦା ପାଟଣା, ମାହଦା, ନଛିପୁର, ଶୀଳସୁଆଁ, ତୋଟାପଡା, ବରପଦା ପ୍ରଭୃତି ଗ୍ରାମର ୨ ଶହରୁ ଊର୍ଦ୍ଧ୍ୱ ଚାଷୀ ଅନଲାଇନରେ ପଞ୍ଜିକରଣ କରିଥିବା ବେଳେ ଖରିଫ ଧାନ ବିକ୍ରି ପାଇଁ ସେମାନଙ୍କୁ ମଳିଥିବା ଟୋକନର ଅବଧି ମଧ୍ୟ ଶେଷ ହେବାକୁ ବସିଛି। ପ୍ରଥମ ପର୍ଯ୍ୟାୟରେ ଗୁଡୁଦା ପଞ୍ଚାୟତ ଚାଷୀଙ୍କ ପାଖରୁ ୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହର ଟାର୍ଗେଟ ଥିବା ବେଳେ ଏଯାବତ ମାତ୍ର ୭ ଶହ କୁଇଣ୍ଟାଲ ଧାନ କ୍ରୟ ହୋଇପାରିଛି ବୋଲି ଚାଷୀମାନେ କହିଛନ୍ତି। ଏହା ସହିତ ସେମାନଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୯ କିଲୋ ଲେଖାଏଁ ଧାନ କଟାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଚାଷୀମାନେ ଆଜି ଦୀର୍ଘ ସମୟ ଯୋଗାଣ ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ଅଧିକାରୀଙ୍କୁ ସାକ୍ଷାତ କରି ସମିତି ସମ୍ପାଦକଙ୍କ ଦ୍ୱାରା ଚାଲିଥିବା ଅନିୟମିତତା ଏବଂ ଅସହଯୋଗ ସମ୍ପର୍କରେ କହିଥିଲେ। ତେବେ ଖୁବଶୀଘ୍ର କ୍ଷେତ୍ର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ନିୟମିତ ଧାନକିଣା ହେବ ବୋଲି ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ପ୍ରତଶ୍ରୁତି ଦେଇଥିଲେ। ଗୁଡୁଦା ସରପଞ୍ଚ ବସନ୍ତ ପ୍ରଧାନ, ଜୟନ୍ତ ପାଳ, ପ୍ରଶାନ୍ତ ସାହୁ, ଶଶୀକାନ୍ତ ଧିନ୍ଦା, କମଲଲୋଚନ କର, ଯୋଗେଶ୍ୱର ମହାପାତ୍ର, ହରିଶ୍ଚନ୍ଦ୍ର ଜେନା, ଭୂବନ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଚାଷୀ ଏହି ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.