Home Top News ଧର୍ମେନ୍ଦ୍ରଙ୍କ ଗୋଟିଏ ତୀରରେ ଏକାଧିକ ଶୀକାର

ଧର୍ମେନ୍ଦ୍ରଙ୍କ ଗୋଟିଏ ତୀରରେ ଏକାଧିକ ଶୀକାର

357

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ଓଡିଶା ବିଜେପିର ଏକମାତ୍ର ସର୍ବେସର୍ବା ନେତା ତାହା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ପ୍ରମାଣିତ ହୋଇ ପାରିଛି। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ, ଇସ୍ପାତ ଓ ଦକ୍ଷତା ବିକାଶ ମନ୍ତ୍ରୀ ଥିଲେ। ତାଙ୍କ ବିଭାଗରେ ପରିବର୍ତ୍ତନ କରାଯାଇ ତାଙ୍କୁ ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ କରାଗଲା। କିଛି ଗଣମାଧ୍ୟମରେ ପ୍ରକାଶ ପାଇଲା ଏହା ତାଙ୍କର ଅଧ୍ୟୋନ୍ନତି ବୋଲି। ମାତ୍ର ଏହା ସଂପୂର୍ଣ୍ଣ ଭୁଲ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ମାନବ ସମ୍ବଳ ବିକାଶ ବିଭାଗ ଦେଶର ସବୁ ଠାରୁ ମର୍ଯ୍ୟାଦାସମ୍ପନ ବିଭାଗ।

ମୋଦି ସରକାରର ଦ୍ୱିତୀୟ ପାଳି ସରକାରର ଏହା ସବୁଠାରୁ ବୃହତ ମନ୍ତ୍ରୀମଣ୍ଡଳ ଅଦଳବଦଳ। ଆସନ୍ତା ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ମସିହାରେ ଦେଶରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହି ଅଦଳବଦଳ ସର୍ବ ବୃହତ ଏବଂ ଶେଷ ଅଦଳବଦଳ ବୋଲି ବିବେଚନା କରାଯାଏ। କରୋନା ମହାମାରୀ ଓ ଦେଶର ଆର୍ଥିକ ସଂକଟକୁ ନେଇ ବ୍ୟାକଫୁଟ୍‌ରେ ଅଛି ମୋଦି ସରକାର। ତେଣୁ ମନ୍ତ୍ରୀମଣ୍ଡଳରୁ କିଛି ପୁରୁଖା ମନ୍ତ୍ରୀଙ୍କୁ ବାଦ ଦେଇ ସଂଗଠନ କାର୍ଯ୍ୟରେ ଲଗାଇବା ଓ ଅନେକ ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଇବା ସରକାରଙ୍କ ମଳିନ ପ୍ରତିଛବିକୁ ଧୋଇବାର ଏକ ପ୍ରୟାସ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ତେଣୁ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳରେ ବାଦ ପଡିଥିବା ବା ବିଭାଗ ପରିବର୍ତ୍ତନ ହୋଇଥିବା କୌଣସି ମନ୍ତ୍ରୀଙ୍କର ଗୁରୁତ୍ୱ ହ୍ରାସ ହୋଇଛି ଆକଳନ କରିବା ଭୁଲ।

୨୦୧୪ ମସିହା ପ୍ରଥମ ମୋଦି ସରକାରରେ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ମସିହା ମୋଦି ସରକାରର ଦ୍ୱିତୀୟ ପାଳିରେ ମଧ୍ୟ ସେହି ବିଭାଗର ମନ୍ତ୍ରୀ ହୋଇଥିଲେ ସେ। ତା ସହିତ ଇସ୍ପାତ ଓ ଦକ୍ଷତା ବିକାଶର ଅତିରିକ୍ତ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ସେ ମନ୍ତ୍ରୀ ହେବା ଦିନ ଠାରୁ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ହୁ ହୁ ହୋଇ ବଢି ଚାଲିଥିଲା। ତାଙ୍କ ବିରୋଧି ଭାବିଥିଲେ ଧର୍ମେନ୍ଦ୍ର ଏକ ପ୍ରକାର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଯିବେ। ମାତ୍ର ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା ଏବଂ ଧର୍ମେନ୍ଦ୍ରଙ୍କୁ ପଦ୍ଦୋନ୍ନତି ମିଳିଲା।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଯୋର ଧରିବା ପରଠାରୁ ଓଡିଶାରୁ ଅନେକ ସାଂସଦଙ୍କ ନାମ ଉଠୁଥିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା। ସର୍ବାଗ୍ରେ ଥିଲେ ବୈଜୟନ୍ତ ପଣ୍ଡା, ତାପରେ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀ, ଜୁଏଲ ଓରାମ ଆଦି। ଶେଷରେ ଥିଲେ ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବ। ୨୦୧୯ ମସିହାରେ ଓଡିଶାରୁ ଦୁଇ ଜଣ ମନ୍ତ୍ରୀ ହୋଇଥିଲେ। ଧର୍ମେନ୍ଦ୍ରପ୍ରଧାନ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। ପ୍ରତାପ ଷଡଙ୍ଗୀଙ୍କ ଉପରେ କେନ୍ଦ୍ର ନେତୃବୃନ୍ଦ ବହୁତ ପ୍ରସନ୍ନ ଥିଲେ ମାତ୍ର ଦୁଇ ବର୍ଷ ଭିତରେ ସେ ତାଙ୍କ ବିଭାଗ ସମ୍ଭାଳିବାରେ ଅସମର୍ଥ ହୋଇଥିଲେ। ସଂଘୀୟ ହେଲେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସ୍ଥା ପ୍ରକଟ କରି ପାରିଲେ ନାହିଁ। ତେଣୁ ଚାକିରି ଗଲା। ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳରୁ ଆସି ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପ ସଭାପତି ସହିତ ଆସାମ ଓ ଦିଲ୍ଲୀର ପ୍ରଭାରୀ ଅଛନ୍ତି। ଆସାମ ନିର୍ବାଚନରେ ବିଜେପି ବିଜୟ ଲାଭ କରି ପୁନର୍ବାର ସରକାର ଗଢିଲା। ତେଣୁ ସେହି ହିସାବରେ ତାଙ୍କ ନାମ ଚର୍ଚ୍ଚାରେ ଥିଲା। ମାତ୍ର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନାୱାଲଙ୍କ ନାମ ସାମ୍ନାକୁ ଆସିବା ପରେ ତାଙ୍କ ସମ୍ଭାବନା କମି ଯାଇଥିଲା। ଆଉ ଜଣେ ଆଶାୟୀ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱରରୁ ବହୁ ଅଳ୍ପ ବ୍ୟବଧାନରେ ସେ ସାଂସଦ ବନିଛନ୍ତି। ଆଇଏଏସ ଚାକିରୀ ଛାଡି ରାଜନିତୀରେ ପାଦ ଥାପିଛନ୍ତି। ସିଧା ଦିଲ୍ଲୀରୁ ଡିଆଁ ମାରିଛନ୍ତି। ସାମାଜିକ ଗଣମାଧ୍ୟମରେ ବେଶ ସକ୍ରୀୟ। ତାଙ୍କ ସମର୍ଥକମାନେ ମଧ୍ୟ ଭାବି ନେଇଥିଲେ ମାଡାମ ମନ୍ତ୍ରୀ ହେବାଟା ଥୟ। ମାତ୍ର ସେମାନଙ୍କୁ କି ଜଣା ଓଡିଶାରୁ କିଏ କେନ୍ଦ୍ରରେ କି ପୋଜିସନ ପାଇବ ତାହା ଧର୍ମେନ୍ଦ୍ର ବିନା ଅସମ୍ଭବ। ବାକି ରହିଲେ ପଶ୍ଚିମ ଓଡିଶାରୁ ଜିତିଥିବା ସାଂସଦମାନେ। ଏକଦା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କେନ୍ଦ୍ରରେ ବାଜପେୟୀ ସରକାରରେ ଆଦିବାସୀ ମନ୍ତ୍ରୀ ଥିଲେ। ପରେ ମୋଦି ସରକାରରେ ମଧ୍ୟ ଆଦିବାସୀ ମନ୍ତ୍ରୀ ହେଲେ। ବରିଷ୍ଠତା ଦୃଷ୍ଟିରୁ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ରାଜନିତୀରେ ବହୁତ ସିନିୟର। ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରେ ତାଙ୍କର ପତିଆରା ହ୍ରାସ କରାଯାଇଥିଲା। ତାଙ୍କୁ ଆଉ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା ନାହିଁ। ଧର୍ମେନ୍ଦ୍ରଙ୍କ କେନ୍ଦ୍ରୀୟ ପତିଆରା ଆଗରେ ସେ ଏକ ପ୍ରକାର ସାଣୁ ଅବସ୍ଥାକୁ ଚାଲି ଯାଇଛନ୍ତି। ଓଡିଶାରେ ଆଦିବାସୀ ଚେହେରା ଭାବରେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଏବେ ଉଭା ହୋଇଛନ୍ତି ଓ ମିନିଷ୍ଟର ବର୍ଥରେ ସାମିଲ ହୋଇଛନ୍ତି। ମୟୁରଭଞ୍ଜରୁ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ରାଜ୍ୟପାଳ ହୋଇଥିଲେ। ତାଙ୍କ ଅବଧି ସମାପ୍ତ ହୋଇଛି। ତାଛଡା କେନ୍ଦ୍ରରେ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ ଗିରିଶ ମୁର୍ମୁ ମଧ୍ୟ ମୟୁରଭଞ୍ଜ ଲୋକ। ତେଣୁ ବିଶେଶ୍ୱର ଟୁଡୁ କେନ୍ଦ୍ରୀୟ ରାଜନିତୀକୁ ଯିବାଟା କିଛି ବଡକଥା ନୁହେଁ। ବାକି ରହିଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ରେଳ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ। ଯଦିଓ ସେ ଓଡିଶାରୁ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ମାତ୍ର ସେ ଓଡିଶାର ପୋଷ୍ଟର ବୟ କେବେ ବି ହୋଇ ପାରିବେ ନାହିଁ। ତାଙ୍କ ଘର ରାଜସ୍ଥାନ। ଭବିଷ୍ୟତରେ ରାଜ୍ୟ ରାଜନିତୀକୁ ଓହ୍ଲାଇଲେ ସେ ରାଜସ୍ଥାନକୁ ହିଁ ଓହ୍ଲାଇବେ। ତେଣୁ ସେ ଓଡିଶାରେ ଧର୍ମେନ୍ଦ୍ରଙ୍କ ପ୍ରତିଦ୍ୱନ୍ଦୀ ହେବାଟା ଅସମ୍ଭବ।

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ସୂଚାଇ ଦେଇଛି ଯେ ଓଡିଶାରେ ଆସନ୍ତା ପଂଚାୟତ ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିଁ ବିଜେପି ମଇଦାନକୁ ଓହ୍ଲାଇବ। ତୈଳ ବିଭାଗ ଠାରୁ ମାନବ ସମ୍ବଳ ବିଭାଗ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ଓଜନଦାର ବିଭାଗ। କରୋନା ମହାମାରୀ କାଳରେ ଦେଶର ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ସାଣୁ ଅବସ୍ଥାକୁ ଚାଲିଯାଇଛି। ତେଣୁ ଧର୍ମେନ୍ଦ୍ରଙ୍କୁ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯଦି ଏଥିରେ ସେ ସଫଳତା ହାସଲ କରନ୍ତି ତେବେ ତାଙ୍କ ନିଜସ୍ୱ ପ୍ରତିଛବି ସହିତ ଓଡିଶାରେ ବିଜେପିର ପ୍ରତିଛବିରେ ଅହେତୁକ ପରିବର୍ତ୍ତନ ଆସିବ ଏଥିରେ ସନ୍ଦେହ ନାହିଁ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.