Home Top News ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା -୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା -୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

26

ରାଙ୍କିଂ ଫ୍ରେମ୍‌ୱାର୍କରେ ଅଧିକ ଶିକ୍ଷାନୁଷ୍ଠାନ ଆଣିବା ପାଇଁ ସାମୁହିକ ଉଦ୍ୟମ କରିବାକୁ ପଡିବ-ଧର୍ମେନ୍ଦ୍ର ପ୍ରଧାନ

– ଏନଆଇଆରଏଫ ଦ୍ୱାରା ବର୍ଗୀକୃତ ମୋଟ ୧୧ଟି ବିଭାଗରେ ପ୍ରକାଶ ପାଇଲା ତାଲିକା
– ଓଭରାଲ ବର୍ଗରେ ଆଇଆଇଟି ମାଡ଼୍ରାସ ଶିକ୍ଷାନୁଷ୍ଠାନ ପ୍ରଥମ
– ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସ ବେଙ୍ଗାଲୁରୁ, ମେଡିକାଲ ବର୍ଗରେ ଦିଲ୍ଲୀ ଏମ୍ସ, କଲେଜ ବର୍ଗରେ ଦିଲ୍ଲୀର ମିରଣ୍ଡା କଲେଜ, ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ୍‌ ପ୍ରଥମ
– ସେହିପରି ମ୍ୟାନେଜମେଂଟ ବର୍ଗରେ ଆଇଆଇଏମ ଅହମ୍ମଦବାଦ, ଫାର୍ମାସୀରେ ଜାମିଆ ହମଦର୍ଦ, ଆର୍କିଟେକଚରରେ ଆଇଆଇଟି ରୁରକି ଶ୍ରେଷ୍ଠ ଅନୁଷ୍ଠାନ
– ଆଇନ ବର୍ଗରେ ବାଙ୍ଗାଲୋରର ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି, ଡେଂଟାଲରେ ମଣିପାଲ କଲେଜ ଅଫ୍ ଡେଂଟାଲ ସାଇନ୍ସ ପ୍ରଥମ
– ଆଂଚଳିକ ତାଲିକା ଫେମୱାର୍କ ବିକଶିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
– ଚଳିତବର୍ଷର୍ୟାଙ୍କିଂ ଫେମୱାର୍କରେ ୬ ହଜାର ଶିକ୍ଷାନୁଷ୍ଠାନ ଭାଗ ନେବା ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ
– ରାଙ୍କିଂ ହେଉଛି ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଏବଂ ଉତ୍କର୍ଷତାର ମାପଦଣ୍ଡ
– ନୂଆ ଜାତୀୟ ଶିକ୍ଷା ନୀତି ବିଦ୍ୟାଦାନକୁ ପ୍ରୋତ୍ସାହିତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୯ (ଓଡ଼ିଆ ପୁଅ) – ଦେଶର ର‌୍ୟାଙ୍କିଂ ଫ୍ରେମୱାର୍କରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଆଣିବା ପାଇଁ ଆମେ ସାମୂହିକ ଭାବରେ କାର୍ଯ୍ୟ କରିବା ସହ ଭାରତକୁ ଏକ ବିଶ୍ୱସ୍ତରୀୟ ଅଧ୍ୟୟନର ପେଣ୍ଠସ୍ଥଳି ଭାବରେ ପ୍ରତିଷ୍ଠା କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର ଅନଲାଇନ ପ୍ଲାଟଫର୍ମରେ ବିଭାଗୀୟ ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାକିଙ୍ଗ୍‌ ଫେମୱାର୍କ(ଏନଆଇଆରଏଫ) ଦ୍ୱାରା ବର୍ଗୀକୃତ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା -୨୦୨୧ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଏନଆଇଆରଏଫ ତାଲିକାରେ ୧୧ଟି ବିଭିନ୍ନ ବିଭାଗ ଯଥା ସାମଗ୍ରିକ ସଫଳତାକୁ ନେଇ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଂଟ୍‌, କଲେଜ, ଫାର୍ମାସୀ, ମେଡ଼ିକାଲ, ଆର୍କିଟେକଚର, ଆଇନ, ଡେଂଟାଲ ଏବଂ ଗବେଷଣା ଅନୁଷ୍ଠାନର ପୃଥକ ପୃଥକ ଶ୍ରେଷ୍ଠ ୧୦ ଏବଂ ଶ୍ରେଷ୍ଠ ୫ ତାଲିକା ଘୋଷଣା କରିଛନ୍ତି। ଓଭରାଲ ବର୍ଗରେ ଆଇଆଇଟି ମାଡ଼୍ରାସ ଶିକ୍ଷାନୁଷ୍ଠାନ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସ ବେଙ୍ଗାଲୁରୁ, କଲେଜ ବର୍ଗରେ ଦିଲ୍ଲୀର ମିରଣ୍ଡା ହାଉସ, ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ, ମେଡିକାଲ ବର୍ଗରେ ଦିଲ୍ଲୀ ଏମ୍ସ, ଗବେଷଣାରେ ଆଇଆଇଏସ ବେଙ୍ଗାଲୁରୁ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ଅନୁରୂପ ଭାବରେ ମ୍ୟାନେଜମେଂଟ୍ ବର୍ଗରେ ଆଇଆଇଏମ ଅହମ୍ମଦବାଦ, ଫାର୍ମାସୀ ବର୍ଗରେ ଜାମିଆ ହମଦର୍ଦ୍‌, ଆର୍କିଟେକଚରରେ ଆଇଆଇଟି ରୁରକି, ଆଇନରେ ବାଙ୍ଗାଲୋରର ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି, ଡେଂଟାଲରେ ମଣିପାଲ କଲେଜ ଅଫ୍ ଡେଂଟାଲ ସାଇନ୍ସ ଶ୍ରେଷ୍ଠ ଶିକ୍ଷାନୁଭାବରେ ତାଲିକାର ଶୀର୍ଷରେ ରହିଛନ୍ତି।

ଏହି ସବୁ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ଚଳିତବର୍ଷ ଏହି ର୍ୟାଙ୍କିଂ ଫେମୱାର୍କରେ ୬ ହଜାର ଶିକ୍ଷାନୁଷ୍ଠାନ ଭାଗ ନେବା ନେଇ ସେ ଖୁସିବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାକିଙ୍ଗ୍ ଫେମୱାର୍କ୍ ବା ଏନଆଇଆରଏଫ ସଫଳତାର ସହ ଶିକ୍ଷା, ଶିକ୍ଷାଦାନ, ସମ୍ବଳ, ଗବେଷଣା ଏବଂ ବିଶେଷଜ୍ଞ, ଗ୍ରାଜୁଏଟ୍ ଆଉଟକମ, ଆଉଟରିଚ୍ ଏବଂ ଉଚ୍ଚ ଶିକ୍ଷାକୁ ସର୍ବବ୍ୟାପୀ କରିଛି। ରାଙ୍କିଂ ହେଉଛି ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଏବଂ ଉତ୍କର୍ଷତାର ମାପଦଣ୍ଡ। ଆମକୁ ଆଂଚଳିକ ରାଙ୍କିଂ ଫେମୱାର୍କ ବିକଶିତ କରିବାକୁ ହେବ ଏବଂ ସୁନିଶ୍ଚିତ କରିବାକୁ ହେବ ଯେ ଆମର ରାକିଂ ଫେମୱାର୍କ କେବଳ ଦେଶରେ ନୁହେଁ ବରଂ ଯେପରି ବିଶ୍ୱ ଓ ବିକାଶଶୀଳ ଅର୍ଥନୀତି ପାଇଁ ବେଂଚମାର୍କ ଭାବେ ଉଭା ହେବ।

ଭାରତୀୟ ସଂସ୍କୃତିରେ ଦାନର ଗଭୀର ପ୍ରାସଙ୍ଗିକତା ରହିଛି। ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି) ବିଦ୍ୟାଦାନକୁ ପ୍ରୋତ୍ସାହିତ କରିବ। ଏକ ସୁଦୃଢ଼ ଏବଂ ଆଦର୍ଶ ଫ୍ରେମୱାର୍କ ଦେଶର ବୈଶ୍ୱିକ ଶିକ୍ଷା ଦୃଶ୍ୟପଟ୍ଟରେ ଯୋଗଦାନ ରଖିବ। ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷା ବ୍ୟବସ୍ଥାକୁ ଆନ୍ତର୍ଜାତୀୟକରଣ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡ଼ା. ସୁବାଷ ସରକାର, ରାଜକୁମାର ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.