Home ଜିଲ୍ଲା ପରିକ୍ରମା ମିଛ ଏତଲା ବନାମ ସତ ଭିଡିଓ: ପୁଲିସ ତଦନ୍ତ ଫଳକୁ ନେଇ ଉତ୍କଣ୍ଠା , ଜଣେ...

ମିଛ ଏତଲା ବନାମ ସତ ଭିଡିଓ: ପୁଲିସ ତଦନ୍ତ ଫଳକୁ ନେଇ ଉତ୍କଣ୍ଠା , ଜଣେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ଜିଲା ପୁଲିସର ଦୁର୍ବଳତାର ରହସ୍ୟ ଖୋଜୁଛନ୍ତି ଜିଲାବାସୀ

79

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେତେକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକଳାପ ଯୋଗୁଁ ସରକାରଙ୍କ ଛବି ମଳିନ ହେଉଛି । ନିକଟ ଅତୀତରେ ଘଟିଯାଇଥିବା କେତେକ ଘଟଣା ଏହାର ପ୍ରମାଣ । ଗଣେ ଗର୍ଭବତୀ ମହିଳାଙ୍କୁ ମାସ୍କ ଚେକିଂ ସମୟରେ ଚଲାଇ ଚଲାଇ ନେବା, ହୋଲି ସମୟରେ ଥାନା ଭିତରେ ନାଗିନ ନାଚ ନାଚିବା ଓ ଆରଡ଼ି ଫାଣ୍ଡି ପୁଲିସର ମାତ୍ରାଧିକ କାର୍ଯ୍ୟ । ଏପରି ଘଟଣା କେବଳ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦୂରତ୍ୱ ବଢ଼ାଉନାହିଁ, ବରଂ ସରକାରଙ୍କ ସ୍ୱଛ ଛବିକୁ ମଧ୍ୟ ମଳିନ କରୁଛି । ଏପରିସ୍ଥଳରେ କେତେକ କ୍ଷେତ୍ରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି ସତ, କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି ଚର୍ଚ୍ଚା ହେଉଛି । ତେବେ ଏବେ ଗୋଟିଏ ପ୍ରସଙ୍ଗକୁ ନେଇ କେବଳ ଭଦ୍ରକ ନୁହେଁ, ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତାହା ହେଉଛି ମିଛ ଏତଲା ବନାମ ସତ ଭିଡିଓ । ପୁଲିସ ଦେଇଥିବା ଏତଲା ସମ୍ପୂର୍ଣ୍ଣ ମିଛ ବୋଲି ଭାଇରାଲ ହୋଇଥିବା ଭିଡିଓରୁ ସ୍ପଷ୍ଟ ହୋଇଛି । ଯାହାକି ଜିଲା ପୁଲିସକୁ ବହୁଭାବେ ସାଧାରଣରେ ନିନ୍ଦିତ କରିଛି । ଏହାକୁ ନେଇ ଜିଲା ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଚିନ୍ତିତ ଅଛନ୍ତି । ନିଜ ବିଭାଗର ମଳିନ ଛବିକୁ ସୁଧାରିବା ଲାଗି ପଡ଼ିଛନ୍ତି । ଏହି କ୍ରମରେ ଫାଣ୍ଡି ଅଧିକାରୀଙ୍କ ସମେତ ଅନ୍ୟ ଜଣେ କର୍ମଚାରୀଙ୍କୁ ବଦଳି କରାଯାଇଛି । କିପରି ସେମାନଙ୍କୁ ଦୋଷମୁକ୍ତ କରାଯାଇପାରିବ ସେଥି ନେଇ ବେଶ ବିଭାଗୀୟ କସରତ ମଧ୍ୟ ଚାଲିଛି । ସାଧାରଣଭାବେ ଗୋଟିଏ ଏତଲା ପହଞ୍ଚିଲେ, ପୁଲିସ ତଦନ୍ତ ଆରମ୍ଭ କରେ । କେତେକ ଏତଲାକୁ ଗ୍ରହଣ ନକରି ଡଷ୍ଟବିନକୁ ଫୋପାଡ଼ି ଦିଏ । ଆଉ କେତେକ କ୍ଷେତ୍ରରେ ତଦନ୍ତ ନାମରେ ସମୟ ଗଡ଼ାଇ ଚାଲେ । କୌଣସି ରାଜନୈତିକ କିମ୍ବା ଜମିବାଡ଼ି ଗଣ୍ଡଗୋଳକୁ ନେଇ ଦିଆଯାଉଥିବା ଏତଲାରେ ବହୁ ଅସତ୍ୟ ଅଭିଯୋଗ ଅଣାଯାଇଥାଏ । କିନ୍ତୁ ଆରଡ଼ି ଫାଣ୍ଡି ଅଧିକାରୀ ଯେଉଁ ଏତଲା ଦେଲେ, ତାହା ସମ୍ପୂର୍ଣ୍ଣ ମିଛ ଉପରେ ଆଧାରିତ ଥିଲା, ଯାହାକି ଭାଇରାଲ ଭିଡିଓ ପ୍ରମାଣିତ କରୁଛି । ଗୋଟିଏ ମା’ର ଦୁଇଟି ପୁତ୍ରଙ୍କୁ ମାସ୍କ ପରିଧାନ କରିନଥିବା ଆଳରେ ଗିରଫ କରିବାକୁ ଏତେ ବ୍ୟଗ୍ର ହୋଇପଡ଼ିଥିଲାଯେ ନିଜର ହିତାହିତ ଜ୍ଞାନ ଭୂଲି ଡାହା ମିଛ ଲେଖିଦେଲା ।

କୌଣସି ସତ୍ୟାସତ୍ୟ ମଧ୍ୟକୁ ନଯାଇ ଧୁଷୁରୀ ଥାନାଧିକାରୀ ସେମାନଙ୍କୁ କୋର୍ଟଚାଲାଣ କରିଦେଲେ । ତେବେ ପୁଲିସ ଫାଣ୍ଡିଙ୍କ ଏତଲାକୁ ଦେଖିଲେ ଜଣାପଡ଼ୁଛି ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି । ପ୍ରଥମତଃ ପୁଲିସ ଏତଲା ଅନୁଯାୟୀ ଘଟଣା ଘଟିଛି ସାଢ଼େ ୯ଟାରେ । କିନ୍ତୁ ଭାଇରାଲ ଭିଡିଓରେ ଯୁବକ ଓ ପୁଲିସ ମଧ୍ୟରେ ହୋଇଥିବା ଯୁକ୍ତିିତର୍କରୁ ଜଣାପଡ଼ୁଛି ଘଟଣା ଘଟିଛି ସକାଳ ୭ଟାରେ । ତେଣ ପୁଲିସ ଏତଲାରେ ଅଢ଼େଇ ଘଣ୍ଟାର ତଫାତ କାହିଁକି ଆସିଲା ବୋଲି ପ୍ରଶ୍ନ ଉଠିଛି । ସଂପୃକ୍ତ ଯୁବକଙ୍କ ମା’ର ଅଭିଯୋଗ ଅନୁଯାୟୀ ଫାଣ୍ଡି ସମ୍ମୁଖରେ ଯାଞ୍ଚ ଚାଲିଥିବାବେଳେ, ଦୁଇ ଜଣ ସାଧା ପୋଷାକ ଧାରୀ ପୁଲିସ ଥିଲେ । ଭିଡିଓ ଚିତ୍ର କହୁଛି ଫାଣ୍ଡି ଅଧିକାରୀ ଲୁଙ୍ଗି ଗାମୁଛା ପିନ୍ଧି ଥିଲେ । ତେଣୁ ଫାଣ୍ଡି ଅଧିକାରୀ ନିଶ୍ଚିତ ଭାବରେ ଗାମୁଛା ପିନ୍ଧି ଫାଣ୍ଡିରେ ବସି ମାସ୍କ ଚେକିଂକୁ ନିୟନ୍ତ୍ରଣ କରୁଥିଲେ । ପୁଣି ଏତଲାରେ ଲେଖାଯାଇଛି, ଯୁବକ ଦୁଇ ଜଣ ପୁଲିସକୁ ଖରାପ ଭାଷାରେ ଗାଳିଗୁଲଜ କରିଛନ୍ତି । କିନ୍ତୁ ଭିଡିଓ କହୁଛି ପୁଲିସ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଛି । ସେହିପରି ଏତଲା କହୁଛି ସଂପୃକ୍ତ ଯୁବକ ଫାଣ୍ଡି ପରିସରରେ ଥିବା ବଗିଚାରୁ ବାଉଁଶ ଓପାଡ଼ି ପିଟିକି ସମସ୍ତଙ୍କ ମୁଣ୍ଡକୁ ରକ୍ତାକ୍ତ କରିଦେଇଥିଲେ । କିନ୍ତୁ ସତ ହେଉଛି କାହାର ମୁଣ୍ଡ ଫାଟି ନାହିଁ । ଏହାବ୍ୟତୀତ ୫ରୁ ୭ଜଣ ପୁଲିସ ଅଧିକାରୀଙ୍କୁ ଜଣେ ଯୁବକ ଆକ୍ରମଣ କରି ସମସ୍ତଙ୍କୁ ଗୁରୁତର ଆହତ କରିଦେବା କଥା ବିଶ୍ୱାସଯୋଗ୍ୟ ନୁହେଁ । ବାସ୍ତବ କଥା ହେଉଛି ଏହି ଯୁବକ ପୁଲିସ ମାସ୍କ ପିନ୍ଧିନଥିବା ବେଳର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ । ତେଣୁ ଯୁବକଙ୍କ ହାତରେ ବାଉଁଶ ନଥିଲା ବରଂ ଥିଲା ମୋବାଇଲ । ଯାହାକି ମାସ୍କ ଚେକିଂ କରୁଥିବା ପୁଲିସଙ୍କୁ ହୁଏତ ଅଡ଼ୁଆରେ ପକାଇଥାନ୍ତା । ଆଇନଜୀବୀ ଗଦାଧର ବଳଙ୍କ ମତ ହେଉଛି ସମ୍ପୂର୍ଣ୍ଣ ଘଟଣାବଳୀରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଆରଡ଼ି ଫାଣ୍ଡି ଅଧିକାରୀଙ୍କ ଏପର୍ଯ୍ୟନ୍ତ ବ୍ରିଟିଶ ମାନସିକତା ଯାଇ ନାହିଁ । ଆରଡ଼ି ଫାଣ୍ଡି ଅଧିକାରୀଙ୍କ ସବୁ ମିଛିର ଖୁଲାସା ଭାଇରାଲ ଭିଡିଓ କରିଦେଇଛି । ତେବେ ବୁଦ୍ଧଜୀବୀ ତଥା ସଚେତନଶୀଳ ନାଗରିକଙ୍କ କହିବା କଥା ହେଲା, ସଂପୃକ୍ତ ଫାଣ୍ଡି ଅଧିକାରୀ ଜଣେ ଦକ୍ଷ କିମ୍ବା ସଚ୍ଚୋଟ ଅଧିକାରୀ ନୁହନ୍ତି । ପୂର୍ବରୁ ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଟ୍ରାପ ହୋଇଛନ୍ତି । ଏହି ମାମଲା ଏବେ ବିଚାରାଧିନ ରହିଛି । ତେବେ ଏପରି ଜଣେ ଦକ୍ଷ(?) ଅଧିକାରୀଙ୍କ ପ୍ରତି ଜିଲା ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦରଦ କ’ଣ ପାଇଁ ତାହାକୁ ନେଇ ମଧ୍ୟ ସବୁଠି ଆଲୋଚନା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.