Home ଗଞ୍ଜାମ ଦୀର୍ଘ ସମୟ ବ୍ୟବଧାନ ପରେ ଅନୁଷ୍ଠିତ ହେଲା ବେଗୁନିଆପଡ଼ା ପଞ୍ଚାୟତ ସମିତି ବୈଠକ, ବିଭିନ୍ନ ଉନ୍ନୟନ...

ଦୀର୍ଘ ସମୟ ବ୍ୟବଧାନ ପରେ ଅନୁଷ୍ଠିତ ହେଲା ବେଗୁନିଆପଡ଼ା ପଞ୍ଚାୟତ ସମିତି ବୈଠକ, ବିଭିନ୍ନ ଉନ୍ନୟନ ପ୍ରସଂଗକୁ ନେଇ ସରଗରମ

286

କୋଦଳା : ୦୭/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ଶୁକ୍ରବାର ଗଂଜାମ ବେଗୁନିଆପଡ଼ା ବ୍ଳକର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଦୀର୍ଘ ସମୟ ବ୍ୟବଧାନରେ ହୋଇଥିଲା ଏହି ବୈଠକରେ ନବ ନିର୍ବାଚିତ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ। ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ମଲ୍ଲିକ, ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ବିଧାୟିକାଙ୍କୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷକଂ ଦ୍ବାରା ସମ୍ମାନିତ କରି ଆସନ ଅଳଙ୍କୃତ କରାଯାଇଥିଲା। ବିଧାୟିକା ନିଜର ଅଭିଭାଷଣ ପ୍ରଦାନ ପରେ ଅଧ୍ୟକ୍ଷା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା। ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ଦ୍ବାରା ପୂର୍ବ ବୈଠକର ବିବରଣୀ ପାଠ ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଜଳ ଓ ପରିମଳ ବିଭାଗ, ସମନ୍ଵିତ ଶିଶୁ ବିକାଶ ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟ,କୃଷି ବିଭାଗ, କୃଷି ବିଭାଗ ଭଳି ବିଭିନ୍ନ ଅଧିକାରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ ପଞ୍ଚାୟତ ପ୍ରତିନିଧି ।ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ପଞ୍ଚାୟତରେ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟ ତଥା ସମିତି ଫଣ୍ଡ ସମ୍ପର୍କରେ ଅବଗତ କରାଯାଉନଥିବାରୁ ଶାକୁଂଡା ସମିତି ସଭ୍ୟ, ଫାଶୀ ସରପଞ୍ଚ, ବୁରୁଝୁରୀ ସମିତି ସଭ୍ୟଙ୍କ ସମେତ ଅନେକ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରି ଏଥିପାଇଁ ରେଜଲୁସନ କରାଯାଉ ବୋଲି କହିଥିଲେ। ତେବେ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଇବା ପାଇଁ ପ୍ରଶାସନ ବାଧ୍ୟ ନୂହେଁ ଏବଂ ନୈତିକତାକୁ ଦୃଷ୍ଟିରେ ରଖି ଜଣାଇବା ଆବଶ୍ୟକ ବୋଲି ବିଧାୟିକା କହିଥିଲେ। ବେଗୁନିଆପଡ଼ା ବ୍ଳକ ଓ କୋଦଳା ଏନ୍ ଏ ସି ମଧ୍ୟରେ କୋଦଳା ଠାରେ ଏକ ଦମକଳବାହିନୀ ରହିଛି ଯାହାକି ସୁମଣ୍ଡଳ ଏବଂ ଅଗାଁରଗାଁ ଅଞ୍ଚଳର ଲୋକେ ବହୁ ବିଲମ୍ବରେ ସେବା ପାଉଛନ୍ତି। ଏଥିପାଇଁ ସୁମଣ୍ଡଳ ଅଞ୍ଚଳରେ ଏକ ନୂତନ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅଗାଁରଗାଁ ସରପଞ୍ଚ ସରୋଜ ସାହୁ ଦାବି କରିଛନ୍ତି। ସେହିପରି ପାନୀୟ ଜଳଯୋଗାଣ ବ୍ଲକରେ ଠପ୍ ହୋଇଯାଇଥିବା ନେଇ ସରଗରମ ଆଲୋଚନା ହୋଇଥିଲା। ବିଧାୟିକା ନିଜେ ସାନ ଉସ୍ତାପଡା ସମେତ ୮ ଟି ପଞ୍ଚାୟତରେ ଏହା ଠପ୍ ହୋଇଯାଇଛି ବୋଲି ଅଧିକାରୀଙ୍କୁ ଜଣାଇ ତାଗିଦ୍ କରିଥିଲେ।

ବ୍ଲକର ଚନ୍ଦନପୁର ପଞ୍ଚାୟତ ସୌରାପଲୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଳ ସ୍ତର ନିମ୍ନକୁ ଚାଲିଯାଇଥିବାରୁ ସେଠାକାର ଗ୍ରାମ ଗୁଡିକ ପାଇଁ ଏକ ମେଗା ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ସମନ୍ଵିତ ଶିଶୁ ବିକାଶ ଯୋଜନା ବାଟବଣା ହେଉଥିବା ବେଳେ ସିଡିପିଓ କୌଣସି ମିଟିଂରେ ଉପସ୍ଥିତ ରହୁ ନଥିବା ନେଇ ବେରୁଆଁବାଡି ସରପଞ୍ଚ ନୀଳାଞ୍ଚଳ ପାଢୀ, ବେଗୁନିଆପଡ଼ା ସରପଞ୍ଚ ଅରୁଣ ମାଝୀ, ଶାକୁଂଡା ସରପଞ୍ଚ, କହିଥିଲେ ।ନିମ୍ନମାନର ଛତୁଆକୁ ନେଇ ବହୁ ପଞ୍ଚାୟତ ପ୍ରତିନିଧି ବିରୋଧ କରିଥିଲେ। ଏବଂ ବେଗୁନିଆପଡ଼ା ବ୍ଳକ ପାଇଁ ଆବଶ୍ୟକ ହେଉଥିବା ଛତୁଆ ଖଲ୍ଲିକୋଟ ରୁ କାହିଁକି ଆସିବ ଓ ବେଗୁନିଆପଡ଼ା ବ୍ଲକରେ ସ୍ବୟଂସହାୟିକା ଗୋଷ୍ଠୀକୁଂ କାହିଁକି ଦାୟିତ୍ବ ମିଳିବନି ବୋଲି ବେଗୁନିଆପଡ଼ା ସରପଞ୍ଚଙ୍କ ସମେତ ବହୁ ପ୍ରତିନିଧି ପ୍ରଶ୍ନ କରିଥିଲେ। ଚିଙ୍ଗୁଡିଖୋଲ ଅଞ୍ଚଳରେ ଅଂଗନବାଡି କେନ୍ଦ୍ର ମାଧ୍ୟମରେ ସ୍ବୟଂସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ଅର୍ଥ ଆସିଥିବା ବେଳେ ୨ ଜଣ ଅଂଗନବାଡି ଉକ୍ତ ଅର୍ଥ ବିନିଯୋଗ କରିଛନ୍ତି ଏବଂ ଅନ୍ୟ ଅଂଗନବାଡି ମାନକୁଂ ପଚାରିଲେ ସିଡିପିଓ ସବୁ ପଇସା ନେଇ ଯାଉଥିବା ସେମାନେ କହୁଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ଚିଙ୍ଗୁଡିଖୋଲ ସରପଞ୍ଚ ଦାବି କରିଥିଲେ। କୃଷି କ୍ଷେତ୍ରରେ ସଠିକ୍ ସମୟରେ ବିହନ ଓ ସାର ମିଳୁନଥିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହିତ ତୁରନ୍ତ ସମସ୍ଯା ଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.