Home ଓଡ଼ିଶା ଚାହିଦା ମୁତାବକ ଧାନ ବିହନ ମିଳୁନି କୋଲାବିରା ବ୍ଲକ ଅଂଚଳରେ

ଚାହିଦା ମୁତାବକ ଧାନ ବିହନ ମିଳୁନି କୋଲାବିରା ବ୍ଲକ ଅଂଚଳରେ

246

କୋଲାବିରା, ୭।୭ (ଓଡିଆ ପୁଅ/ନିଶିତ କୁମାର ବହିଦାର)ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକରେ ଚାଷୀଙ୍କୁ ଚାହିଦା ମୁତାବକ ଧାନ ବିହନ ମିଳୁନଥିବାରୁ ଚାଷକାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗ ପକ୍ଷରୁ ଏଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏପଟେ ଘରୋଇ ଡିଲରମାନଙ୍କ ଠାରେ ଧାନ ବିହନ ଉପଲବ୍ଧ ଥିବା ଦେଖିବାକୁ ମିଳୁଛି। ଅନିୟମିତ ବର୍ଷା, ରୋଗପୋକ ସମସ୍ୟାରେ ଜର୍ଜରୀତ ଚାଷି ବର୍ତମାନ ଧାନ ବିହନ ନ ମିଳିବାରୁ ଚିନ୍ତାରେ ପଡିଯାଇଛି। ପ୍ୟାକ୍ସ ପକ୍ଷରୁ ଆବଶ୍ୟକ ପରିମାଣରେ ଧାନ ବିହନ ବିକ୍ରି କରାଯାଉନଥିବାରୁ ଏହାର ଫାଇଦାନେଇ ଘରୋଇ ଡିଲରମାନେ ଚଢାଦରରେ ଧାନ ବିକ୍ରୟ କରି ମାଲେମାଲ ହେଉଥିବା ବେଳେ ଚାଷୀ ବେହାଲ ହୋଇପଡିଛି। ସରକାରଙ୍କ ପକ୍ଷରୁ ପ୍ୟାକ୍ସ ଜରିଆରେ ଚାଷୀଙ୍କୁ ଧାନ ବିହନ ଯୋଗାଇଦେବାକୁ ନିର୍ଦ୍ଦେଶ ରହିଥିବା ବେଳେ ପ୍ୟାକ୍ସ ଓ ଘରୋଇ ବେପାରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଧାନ ବିହନ ଚଢାଦରରେ ବିକ୍ରୟହେଉଛି। ବର୍ତମାନ ଧଲାସର୍ଣ୍ଣା (ସର୍ଣ୍ଣାସବ୍୧)ଲାଲସର୍ଣ୍ଣା, ସାଇଧାନ, ବିଦ୍ୟା, ନିରଞନା, ସୁବର୍ଣ୍ଣା, ସତାବ୍ଧି, ପ୍ରତୀକ୍ଷା, ଭୂବନ.ରାନି, ଜଗବନ୍ଧୁ, ଲାଲପୂଜା, ଧଲାପୁଜା, ଯଯାତି, କଳାଜିର, ସହଭାଗି, ଏମଟିୟୁ ୭୦୨୯ ଆଦି ଧାନ ବିହନର ଚାହିଦା ରହିଥିବା ବେଳେ ଏସବୁ ଧାନ ବିହନ ମିଳୁନାହିଁ। ଅଧିକ ପରିମାଣରେ ମିଲୁଛି ୧୧୫୩, ୧୧୫୬, ୧୦୧୦.୧୦୦୧.ଲଲାଟ, ଆଦି ଧାନ ବିହନ। ଏହି ଧାନ ବିହନର ଉତ୍ପାଦନ କ୍ଷମତା ଅନୁପାତ କ୍ରମେ କମ୍ ରହୁଥିବାରୁ ଚାଷୀ ବିଶ୍ୱାସ କରୁନଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଯାହାସବୁ ଧାନ ବିହନ ଅଳ୍ପ ବହୁତ ମିଲିଛି ସେସବୁ ଧାନର ମାନ ନିର୍ଣ୍ଣୟ କରିବା ପାଇଁ କେହିନଥିବାରୁ ନକଲି ବିହନ ବିକ୍ରି କରାଯଉଥିବା ଅଭିଯୋଗ ହେଉଛି। ଚଳିତ ଖରିଫ ଋତୁରେ ଧାନ ବିହନ ଗଜା ହେଉନଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ବର୍ତମାନ ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବିହନ ମିଳୁନଥିବାରୁ ଚାଷୀଙ୍କ ଚିନ୍ତା ପଢିଯାଇଛି। ଅଧିକ ଧାନ ଅମଳକୁ ଦୃଷ୍ଟିରେ ରଖି କୃଷି ବିଭାଗ ତଥା ଏହା ଅଧିନରେ ଗବେଷଣା ସଂସ୍ଥା ଦ୍ୱାରା ଉନ୍ନତମାନର ବିହନ ସାରକାରୀ ଧାର୍ଯ୍ୟଦରରେ ଚାଷୀଙ୍କୁ ରିହାତି ସହିତ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ବର୍ତମାନ କୋଲାବିରା ବ୍ଲକରେ ଚାଷୀମାନେ ଆବଶ୍ୟକ ଧାନ ବିହନ ପଇପାରି ନାହାଁନ୍ତି। ଯାହାର ଫାଇଦା ନେଇ ଘରୋଇ ବେପାରୀମାନେ ଚଢାଦରରେ ଚାଷୀଙ୍କୁ ଧାନ ବିହନ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ସରକାରୀ ଭାବରେ ୨୦ କିଲୋଗ୍ରାମ ଧାନ ବିହନ ବସ୍ତା ପ୍ରତି ୩୨୦ଟଙ୍କା ଥିବା ବେଳେ ବ୍ୟବସାୟୀମାନେ ସେହି ଧାନକୁ ଚଢାଦରରେ ବିକ୍ରୟ କରୁଛନ୍ତି। ଏନେଇ କୋଲାବିରା କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟର ସୂଚନା ମତେ ଧାନବିହନ ଯୋଗାଇବା ଏବେ ଓଡିଶା ସିଡ୍ସ କର୍ପୋରସନ ଜରିଆରେ ହେଉଛି।ତେଣୁ ଏସଂକ୍ରାନ୍ତରେ ହସ୍ତକ୍ଷେପ କରିହେବନାହିଁ। ତେବେ କୋଲାବିରା ବ୍ଲକକୁ ୫୦ ପ୍ରତିଶତ ଧାନ ବିହନ ଏପର୍ଯ୍ୟନ୍ତ ପହଂଚି ପାରିନାହିଁ ବୋଲି ସହମତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.