Home କେନ୍ଦ୍ରାପଡ଼ା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣା୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆରସିରେ ମାମଲା ରୁଜୁ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣା୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆରସିରେ ମାମଲା ରୁଜୁ

34

କେନ୍ଦ୍ରାପଡ଼ା, ୨୬ା୭ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗରରେ ଥିବା ଏକ ବିଦ୍ୟାଳୟରେ ଅସଦାଚରଣର ଶିକାର ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ପ୍ରତାପ ମହାନ୍ତି ନାମକ ଜନୈକ ଯୁବକ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରିବା ସହ ଆୟୋଗଙ୍କୁ ଏଥିପାଇଁ ନିବେଦନ କରିଛନ୍ତି। ଯୁବକ ଜଣକ ଆୟୋଗଙ୍କୁ ପ୍ରଦାନ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏହି ୧୫ ଲକ୍ଷ ଟଙ୍କାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦରମାରୁ ଆଦାୟ କରାଯାଉ। ଏବେ ସେ ଅବସର ନେବେ। ଅବସର ନେବା ପରେ ଯେଉଁ ଅର୍ଥ ମିଳିବ ସେହି ଅର୍ଥରୁ ଏହି ଟଙ୍କାକୁ ଆଦାୟ କରାଯାଇ ପିଡିତାଙ୍କୁ ପ୍ରଦାନ କରାଯାଉ। କାରଣ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଯୁକ୍ତକୁ ଘଣ୍ଟ ଘୋଡାଇଥିଲେ। ଅଭିଯୁକ୍ତ ଶିକ୍ଷକ ବିଶ୍ୱମ୍ବର ପରିଡ଼ାଙ୍କୁ ତୁରନ୍ତ ନିଲମ୍ବନ କରିବା ପରିବର୍ତ୍ତେ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରିଦେଲେ। ଜଣେ ଅଭିଯୁକ୍ତ ଶିକ୍ଷକଙ୍କୁ ଘଣ୍ଟ ଘୋଡାଉଥିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦରମାରୁ ଏହି ୧୫ ଲକ୍ଷ ଟଙ୍କା ଆଦାୟ କରାଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉକି ବିଜୟନଗରରେ ଥିବା ଏହି ବିଦ୍ୟାଳୟରେ ଗତ ସୋମବାର ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିଲା। ଏହି ସମୟରେ ପରୀକ୍ଷା ଦାୟୀତ୍ୱରେ ଥିବା ବିଜ୍ଞାନ ଶିକ୍ଷକ ବିଶ୍ୱମ୍ବର ପରିଡ଼ା ଛାତ୍ରୀ ଜଣକୁ ପଛ ବେଞ୍ଚକୁ ଯିବା ପାଇଁ କହିଥିଲେ। ଫଳରେ ଛାତ୍ରୀ ଜଣକ ପଛ ବେଞ୍ଚକୁ ଯାଇଥିଲେ। ଏହି ମୌକାରେ ସେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ପରୀକ୍ଷା ସାରି ଘରକୁ ଫେରିବା ପରେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଫଳରେ ପରିବାର ଲୋକେ ମଙ୍ଗଳବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଏ ନେଇ ଏକ ତଦନ୍ତ କମିଟି ବସାଇଥିଲେ। ତଦନ୍ତ କମିଟି ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚରଣ କରିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷକ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ହାଲୁକା ଭାବେ ଗ୍ରହଣ କରି ଅଭିଯୁକ୍ତ ଶିକ୍ଷକଙ୍କୁ ରାଜନଗର ବ୍ଲକର ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରି ଦେଇଥିଲେ। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା। ଶୁକ୍ରବାର ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟକୁ ତଦନ୍ତ କରିବାକୁ ଆସିଥିବା ବ୍ଲକ ଶିକ୍ଷାଧିକାରୀଙ୍କୁ ଛାତ୍ରଛାତ୍ରୀମାନେ ଘେରାଉ କରିଥିଲେ। ଏହାପରେ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଏହି ୧୫ ଲକ୍ଷ ଟଙ୍କା ଆଦାୟ କରାଯାଉ ବୋଲି ଯୁବକ ଜଣକ ଆୟୋଗଙ୍କ ନିକଟରେ କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.