Home ଜିଲ୍ଲା ପରିକ୍ରମା ଦଳିତ କାର୍ଡ ଖେଳୁଛନ୍ତି ବିଜେଡି ନେତା; ସଙ୍ଗଠନ ଅପେକ୍ଷା ଆତ୍ମସୁରକ୍ଷାକୁ ଗୁରୁତ୍ୱ

ଦଳିତ କାର୍ଡ ଖେଳୁଛନ୍ତି ବିଜେଡି ନେତା; ସଙ୍ଗଠନ ଅପେକ୍ଷା ଆତ୍ମସୁରକ୍ଷାକୁ ଗୁରୁତ୍ୱ

41

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଦଳିତ କାର୍ଡ ଖେଳୁଛନ୍ତି ବିଜେଡି ନେତା । ସଙ୍ଗଠନ ଅପେକ୍ଷା ଆତ୍ମସୁରକ୍ଷାକୁ ଦେଉଛନ୍ତି ଗୁରୁତ୍ୱ । ଫଳରେ ଭଦ୍ରକ ଭଳି ଏକ ଛୋଟିଆ ଜିଲାରେ ମଥା ଟେକିପାରୁ ନାହାନ୍ତି ନବାଗତ ଦଳିତ ନେତା । ପୁରୁଣାଙ୍କ ଆବର୍ତ୍ତମାନରେ ହଜିଯାଉଛନ୍ତି ନବାଗତ ଯୁବ ପ୍ରତିଭା । ଯାହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ଜିଲା ବିଜେଡି ସଙ୍ଗଠନରେ ଦଳିତ ନେତା ଚୟନ ପ୍ରକ୍ରିୟା ବିଳମ୍ଭିତ ହେବା ଘଟଣା । ଇତିମଧ୍ୟରେ ଜିଲା ବିଜେଡି ସଙ୍ଗଠନ ତାର ଯୁବ ଏବଂ ଛାତ୍ର ବ୍ରିଗେଡିୟର ଘୋଷଣା କରି ସାରିଥିବା ବେଳେ ଜିଲା କମିଟି ସହିତ ଜିଲା ଦଳିତ ସେଲ ସଭାପତି ମନୋନୟନ ପ୍ରକ୍ରିୟାକୁ ଝୁଲାଇ ରଖିଛି । କୁହାଯାଇଛି ଦଳୀୟ ନେତାଙ୍କ ସହମତି ଅଭାବରୁ ଏହି ପ୍ରକ୍ରିୟା ବିଳମ୍ଭିତ ହେଉଛି । ଏକ ଅସମର୍ଥିତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାରେ ଦଳ ଜିଲାର ଜଣେ ବରିଷ୍ଟ ଏବଂ ବୟସାଧିକ ଦଳିତ ନେତାଙ୍କୁ ଜିଲା ସଭାପତି କରିବାକୁ ସୁପାରିସ କରିଥିବା ବେଳେ ଉପରମହଲ ଅନୁମୋଦନ ଅପେକ୍ଷାରେ ଏହି ପ୍ରସ୍ତାବ ପଡିରହିଛି । କୁହାଯାଇଛି ଏହି ନେତାଙ୍କ ପଛରେ ଦଳର ସଂଖ୍ୟାଧିକ ନେତା ଏବଂ ଦଳିତ ନେତାଙ୍କ ସମର୍ଥନ ଏବଂ ସହମତି ରହିଛି । ଅନ୍ୟପକ୍ଷରେ ଭଦ୍ରକ ଜିଲାର ଏକମାତ୍ର ଲୋକସଭା ଆସନ ସହିତ ଜିଲାର ୫ ଗୋଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଗୋଟିଏ ଆସନ ଦଳିତବର୍ଗଙ୍କ ସକାସେ ସଂରକ୍ଷିତ ରହିଛି ।

ଯାହାକୁ ଦଳର କତିପୟ ଦଳିତ ନେତା ଦୀର୍ଘବର୍ଷ ଧରି ସେମାନଙ୍କ କବଜ୍‌ାରେ ରଖି ଆସିଛନ୍ତି । ନିର୍ବାଚନ ଆସିଲେ କଳେବଳେ କୌଶଳେ ଏହି ଆସନକୁ ଦଖଲ କରିବାକୁ ସେମାନେ କୌଣସି ସୁଯୋଗ ମଧ୍ୟ ହାତଛଡା କରୁନାହାନ୍ତି । ଫଳରେ ଦୀର୍ଘବର୍ଷ ଧରି ଜିଲାରେ ଏହି ଦଳିତ ନେତାଙ୍କ ରାଜ ଚାଲିଥିବା ବେଳେ ନୂଆମୁହଁ ଲୋକ ଲୋଚନକୁ ଆସିପାରୁ ନାହିଁ । ଯାହାର ଫାଇଦା ନେଉଛନ୍ତି ଦଳର ଏହି କତିପୟ ଦଳିତ ନେତା । ଗୋଟିଏ ପଟରେ ଦଳ ଏବେ ଯୁବ ନେତୃତ୍ୱକୁ ଅଗ୍ରାଧିକାର ଦେଉଥିବା ବେଳେ ଦଳୀୟ ଜିଲା ନେତୃତ୍ୱ ଜିଲାରେ ମଥା ଟେକୁଥିବା ଯୁବ ଦଳିତ ପ୍ରତିଭା ମାନଙ୍କୁ ଆଗକୁ ଆଣିବାକୁ ଆଗ୍ରହ ପ୍ରକାଶ ନକରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଯୁବ ଦଳିତ ପ୍ରତିଭା ମାନଙ୍କୁ ପଦପଦବୀ ଦେଇ ସେମାନଙ୍କୁ ଆଗକୁ ଆଣିଲେ ଭବିଷ୍ୟତରେ ସେମାନେ କଂଟା ହୋଇ ସାବ୍ୟସ୍ତ ହୋଇ ପାରନ୍ତି ଆଶଙ୍କା କରି ଜିଲାର ଦଳିତ ନେତା ମାନେ ନବାଗତଙ୍କୁ ଆଗକୁ ଆଣିବାକୁ ଇଛା ପ୍ରକାଶ କରୁନଥିବା କୁହାଯାଉଛି । ତେବେ ଦଳୀୟ ସମ୍ବିଧାନକୁ ଦୃଷ୍ଟିରେ ରଖି ଜିଲା ନେତାମାନେ ଜିଲା ଦଳିତ ସେଲରେ ଏମିତି କାର୍ଯ୍ୟକର୍ତ୍ତା ମନୋନୟନ କରୁଛନ୍ତି ଯେଉଁମାନେ ନା ଆଗକୁ ନିର୍ବାଚନ ଲଢିପାରିବେ ନା ସେମାନଙ୍କ ରାଜନୈତିକ ରାସ୍ତାରେ କଂଟା ସାବ୍ୟସ୍ତ ହୋଇ ପାରିବେ । ଜିଲାର ରାଜନୈତିକ ମଙ୍ଗ ଧରୁଥିବା ବରିଷ୍ଟ ଦଳିତନେତା ମାନଙ୍କର ଏହି ଧରଣର ମାନସିକତା ଯୋଗୁ ଭଦ୍ରକ ଜିଲା ବିଜେଡି ରାଜନୀତିରେ ଜଣେ ହେଲେ ନବାଗତ ଦଳିତ ନେତାଙ୍କ ଆର୍ବିଭାବ ଅଥବା ଅଭ୍ୟୁଥାନ ଦେଖିବାକୁ ମିଳୁ ନାହିଁ । ଯେଉଁମାନଙ୍କୁ ରାଜନୈତିକ ଦୃଶ୍ୟପଟ୍ଟକୁ ଅଣାଯାଉଛି ସେମାନଙ୍କୁ କେବଳ ଦଳର ରବରଷ୍ଟାମ୍ପ ଭାବେ ବ୍ୟବହାର କରାଯାଉଥିବା ବେଳେ ଆଗକୁ ବଢିବାର ସୁଯୋଗ ଦିଆଯାଉନାହିଁ ।

ଫଳରେ ଭଦ୍ରକ ଜିଲାବାସୀ ବର୍ଷ ବର୍ଷ ଧରି ନବାଗତ ଦଳିତ ଚେହେରା ଦେଖିବାରୁ ବଂଚିତ ହୋଇ ଆସୁଛନ୍ତି । ସବୁଠାରୁ ବଡ କଥା ହେଲା ଦଳିତ ନେତା ଚୟନ କ୍ଷେତ୍ରରେ ଦଳର ଉଚ୍ଚବର୍ଗର ନେତା ମାନଙ୍କର ଏହି ଧରଣର ଆଭିମୁଖ୍ୟକୁ ଅଧିକାଂଶ ନବାଗତ ଦଳିତନେତା ବିରୋଧ କରୁଥିଲେ ମଧ୍ୟ ଖୋଲା ଖୋଲି ଭାବେ ଏହାର ପରିପ୍ରକାଶ କରୁନାହାନ୍ତି । ତେବେ ଏଥିନେଇ ଦଳର ଜିଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ କହିଛନ୍ତି ଦକ୍ଷତା ଏବଂ ଯୋଗ୍ୟତା ଥିବା ବ୍ୟକ୍ତି ମାନଙ୍କୁ ଆମ ଦଳ ସର୍ବଦା ଗୁରୁତ୍ୱ ଦେଇ ଆସୁଛି । ଏଥିରେ କୌଣସି ପାତର ଅନ୍ତର ରହୁଥିବା ସେ ଅନୁଭବ କରି ପାରୁ ନାହାନ୍ତି । ସେହିଭଳି ଆମ ଜିଲାର ଯୁବ/ଛାତ୍ର ସଙ୍ଗଠନ ଘୋଷଣା ସରିଥିବା ବେଳେ ଚଳିତ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଦଳ ଜିଲା କମିଟି ସହିତ ଅନ୍ୟାନ୍ୟ କମିଟି ଘୋଷଣା କରାଯିବ । ତେବେ ଜିଲା ଦଳିତ ସେଲରେ ଦଳ କାହାକୁ ମନୋନୀତ କରୁଛି ତାହା ପ୍ରକାଶ କରିବାକୁ ସେ ଅନିଛା ପ୍ରକାଶ କରିଥିଲେ । ତେବେ ଏହି ପ୍ରସଙ୍ଗରେ ଦଳର ଜିଲା ସଭାପତି ଯାହାକିଛି ମନ୍ତବ୍ୟ କରନ୍ତୁନା କାହିଁକି ଜିଲାରେ ଦଳର ଦଳିତ ବର୍ଗ ନେତୃତ୍ୱର ସୁଦୃଢି କରଣ ସକାସେ ନା ଜିଲା କମିଟି ନା ରାଜ୍ୟ କମିଟି କେହି ଅନୁରୁପ ଧ୍ୟାନ ଦେଉନାହାନ୍ତି । ପରନ୍ତୁ ତେଲିଆ ମୁଣ୍ଡରେ ତେଲ ଢାଳିବା ଭଳି ଚାଲିଛି ମନୋନୟନ ପ୍ରକ୍ରିୟା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.