Home ଜିଲ୍ଲା ପରିକ୍ରମା ଦଇସିଂ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ରଦ୍ଦ

ଦଇସିଂ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ରଦ୍ଦ

61

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଦଇସିଂ ଗ୍ରାମପଞ୍ଚାୟତର ସରପଞ୍ଚ ଓଡ଼ିଆ ପଢି, ଲେଖି ଜାଣିନଥିବାରୁ ତାଙ୍କର ପଦବୀ ହରାଇଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଗତ ପଞ୍ଚାୟତ ନିର୍ବାଚନରେ ଦଇସିଂ ଗ୍ରାମପଞ୍ଚାୟତ ସରପଞ୍ଚ ପଦବୀ ତଫସିଲଭୁକ୍ତ ଜନଜାତି ପାଇଁ ସଂରକ୍ଷିତ ଥିଲା । ତେଣୁ ମୋଟ ଦୁଇଜଣ ପ୍ରାର୍ଥୀ ପାର୍ବତୀ ମାଝୀ ଓ ବାଗନ ସିଂ ଏହି ପଦବୀ ପାଇଁ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମାତ୍ର ପାର୍ବତୀ ମାଝୀ ଅଧିକ ଭୋଟ ପାଇଥିବାରୁ ତାଙ୍କୁ ଗତ ୨୦୧୭ ଫେବୃୟାରୀ ୨୩ ତାରିଖ ଦିନ ନିର୍ବାଚିତ ଘୋଷଣା କରାଯାଇଥିଲା । ତେବେ ପାର୍ବତୀ ମାଝୀ ଓଡ଼ିଆ ଲେଖାପଢା ଜାଣିନଥିବାରୁ ଗ୍ରାମପଞ୍ଚାୟତ ଆଇନ୍‌ର ଧାରା ୧୧ (ଖ) ଅନୁଯାୟୀ ସେ ଅଯୋଗ୍ୟ ଥିବାରୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ଚ୍ୟାଲେଞ୍ଜ କରି ପରାଜିତ ପ୍ରାର୍ଥୀ ବାଗନ ସିଂ ଭଦ୍ରକ କନିଷ୍ଠ ଦେୱାନୀ ଅଦାଲତରେ ସେହି ଆଇନ୍‌ର ଧାରା ୩୧ ର ଏକ ମାମଲା ନିର୍ବାଚନ ମିଶ୍ କେଶ୍ ନଂ ୫୮/୧୭ ମୂଳେ ରୁଜୁ କରି ପାର୍ବତୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆବେଦନ କରିଥିଲେ । ମାତ୍ର ନିମ୍ନ ଅଦାଲତ ଦରଖାସ୍ତକାରୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ମଧ୍ୟ ପାର୍ବତୀଙ୍କ ସାକ୍ଷ୍ୟ ନନେଇ ମାମଲାଟିକୁ ଖାରଜ କରିଦେଇଥିଲେ । ତେଣୁ ନିମ୍ନ ଅଦାଲତର ଏହି ରାୟକୁ ଚ୍ୟାଲେଞ୍ଜ କରି ପୁନଶ୍ଚ ପରାଜିତ ପ୍ରାର୍ଥୀ ବାଗନ ସିଂ ମାନ୍ୟବର ଭଦ୍ରକ ଜିଲା ଜଜ୍‌ଙ୍କ ଅଦାଲତରେ ଏକ ନିର୍ବାଚନ ଅପିଲ ଏଫ୍‌ଏଓ ନଂ ୪୩/୧୮ ମୂଳେ ଦାଖଲ କରିଥିଲେ । ମାନ୍ୟବର ଜିଲାଜଜ୍ ନିର୍ବାଚିତ ପ୍ରାର୍ଥୀ ପାର୍ବତୀଙ୍କୁ କୋର୍ଟକୁ ଡକାଇ ଓଡ଼ିଆ ଲେଖାପଢାର ପରୀକ୍ଷା ସାକ୍ଷ୍ୟ ମାଧ୍ୟମରେ କରିଥିଲେ । ଯାହା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । ଏଣୁ ମାନ୍ୟବର ଜିଲା ଜଜ୍ ତଳ କୋର୍ଟର ରାୟକୁ ଖାରଜ କରିବା ସହ ପାର୍ବତୀର ପଦବୀକୁ ଗତ ୧୩ ତାରିଖ ଦିନ ଅଯୋଗ୍ୟ ଘୋଷଣା କରିବା ସହ ଭଦ୍ରକ ବିଡିଓ ତୁରନ୍ତ ସରପଞ୍ଚ ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ପାର୍ବତୀ ନିଜର ସରପଞ୍ଚ ପଦବୀ ହରାଇଛନ୍ତି । ଏହି ଘଟଣାରେ ବାଗନ ସିଂଙ୍କ ପକ୍ଷରୁ ଭଦ୍ରକର ଅଧିବକ୍ତା ସନାତନ ଦୀକ୍ଷିତ ଓ ପାର୍ବତୀଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ରାଜକିଶୋର ଦାସ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.