Home ଜିଲ୍ଲା ପରିକ୍ରମା ତିହିଡ଼ି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ର

ତିହିଡ଼ି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ର

25

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡ଼ି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ରରୂପ ଧାରଣ କରିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଭଦ୍ରକ-ଚାନ୍ଦବାଲି ରାସ୍ତା ନିର୍ମାଣ ହେଲା ଓ ରାସ୍ତା ପ୍ରଶସ୍ତ ମଧ୍ୟ ହୋଇଛି । କିନ୍ତୁ ଟ୍ରାଫିକ ଜନିତ ପୂର୍ବରୁ ଯେଉଁ ସମସ୍ୟା ରହିଥିଲା ତାହା ଅଧିକ ଗୁରୁତର ହେବାରେ ଲାଗିଛି । ତିହିଡ଼ି ବଜାରର ଭଦ୍ରକ-ଚାନ୍ଦବାଲି ରାସ୍ତା ଉପରେ ଏବେ ଉଠାଦୋକାନୀଙ୍କ ଭିଡ଼ । ରାସ୍ତା ପାଶ୍ୱର୍ରେ ଯେଉଁ ସରକାରୀ ଜାଗା ରହିଥିଲା ସେଠାରେ କ୍ଷତିପୂରଣ ପାଇ ଉଠିଯାଇଥିବା ଦୋକାନୀମାନେ ପୁଣି ସେମାନଙ୍କର ଅସ୍ଥାୟୀ ଦୋକାନ ନିର୍ମାଣ କରିଦେବା ଫଳରେ ବାଇକ, ସାଇକେଲ ରଖିବାକୁ ଆଉ ଜାଗା ନାହିଁ । ଫଳରେ ଲୋକେ ସାଇକେଲ, ବାଇକ, ରିକ୍ସା ଓ ଚାରି ଚକିଆ ଯାନଗୁଡ଼ିକୁ ରାସ୍ତା ଉପରେ ରଖିଦେଉଛନ୍ତି । ଏହା ସାଙ୍ଗକୁ ତିହିଡ଼ି ଷ୍ଟେଟବ୍ୟାଙ୍କ ତିହିଡ଼ି ବଜାର ମଧ୍ୟସ୍ଥଳରେ କରାଯାଇଥିବା ବେଳେ ପାର୍କିଂ ପାଇଁ ଜାଗା ନାହିଁ । ଗ୍ରାହକମାନେ ରାସ୍ତା ଉପରେ ବାଇକ ରଖି ବ୍ୟାଙ୍କକୁ ଯାଉଛନ୍ତି । ରାସ୍ତା ଅବରୋଧ ହେବା ଫଳରେ ତିହିଡ଼ି ବଜାରରେ ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ଯାତାୟତ କରୁଥିବା ଯାନବାହାନଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତା ଉପରେ ଅଟକି ରହୁଛନ୍ତି । ବସ୍‌ଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ରହୁନଥିବାରୁ ଏହି ସମସ୍ୟା ଅଧିକ ଜଟିଳ ହେଉଛି । ଯେତେବେଳେ ଚାନ୍ଦବାଲି ଓ ଭଦ୍ରକ ଅଭିମୂଖେ ଯାଉଥିବା ବସଗୁଡ଼ିକ ତିହିଡ଼ି ବଜାର ମଝିରେ ଲୋକ ଚଢ଼ାଇବା ଓ ଓହ୍ଲାଇବା ପାଇଁ ଛିଡ଼ ହେଉଛନ୍ତି, ସେହିସମୟରେ ହିଁ ଅଧିକ ରାସ୍ତାଯାମ ହୋଇଯାଉଛି । ରାସ୍ତାପାଶ୍ୱର୍ ଅବରୋଧ ହୋଇଥିବା ବେଳେ ବସ୍‌ଗୁଡ଼ିକ ରାସ୍ତା ଉପରେ ଛିଡ଼ା ହେବା ଫଳରେ ଅନ୍ୟଗାଡ଼ିଗୁଡ଼ିକ ଯାତାୟତ କରିପାରୁନାହାନ୍ତି । ଚାନ୍ଦବାଲି ଅଭିମୂଖେ ଯାଉଥିବା ବସ୍‌ଗୁଡ଼ିକ ଷ୍ଟେଟ୍‌ବ୍‌ାଙ୍କ ଏଟିଏମ ସାମ୍ନା ଓ ଭଦ୍ରକ ଅଭିମୂଖେ ଯାଉଥିବା ବସ୍‌ଗୁଡ଼ିକ ଥାନା ସାମ୍ନାରେ ଛିଡ଼ା ହେବାପାଇଁ ସ୍ଥିର ହୋଇଥିଲା । ଫଳରେ ସ୍ୱାଭାବିକ ଭାବେ ଯାନବାହନ ଚଳାଚଳ କରିପାରୁଥିଲା । ତେବେ ଏହି ନିୟମ ଧାର୍ଯ୍ୟ କରିଥିବା ତତ୍‌କାଳୀନ ଆରକ୍ଷୀ ଅଧୀକ୍ଷକ ଓ ଥାନା ଅଧିକାରୀ ବଦଳି ହୋଇଯିବା ପରେ ଏହି ନିୟମକୁ କାର୍ଯ୍ୟକାରୀ କରାଗଲା ନାହିଁ । ବସ୍‌ଗୁଡ଼ିକ ନିଜ ପସନ୍ଦ ସ୍ଥାନରେ ରହୁଛି । ଟ୍ରାଫିକ ନିୟନ୍ତ୍ରଣପାଇଁ ପୂର୍ବରୁ ଥାନା ପକ୍ଷରୁ ହୋମଗାର୍ଡ଼ ବଜାରରେ ନିୟୋଜିତ କରାଯାଉଥିବା ବେଳେ ସଂପ୍ରତି ଆଉ ତାହା ହେଉନାହିଁ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନର ଉଦାସୀନତା ଯୋଗୁ ତିହିଡ଼ି ବଜାରର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.