Home ଜିଲ୍ଲା ପରିକ୍ରମା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ତୁଟିଗଲାଣି ରୋଗୀଙ୍କର ଭରଷା, ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ପଦବୀ ଦୀର୍ଘଦିନ ହେଲା...

ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ତୁଟିଗଲାଣି ରୋଗୀଙ୍କର ଭରଷା, ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ପଦବୀ ଦୀର୍ଘଦିନ ହେଲା ଖାଲି, ଗୋଟିଏ ଦିନ ପାଇଁ ପୋଷ୍ଟିଂରେ ଆସିଥିଲେ ମେଡିସିନ ସ୍ପେଶାଲିଷ୍ଟ

30

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡ଼ି ବଜାର ମଧ୍ୟସ୍ଥଳରେ ଅବସ୍ଥିତ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀଙ୍କୁ ସେବା ଯୋଗାଇଦେବାରେ ବିଫଳ ହୋଇଛି । ‘ମୋ ସରକାର’ ଅଧୀନରେ ରାଜ୍ୟରେ ପାଞ୍ଚ ‘ଟି’ ସଚିବ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଉଦ୍ୟମରତ ଥିବା ବେଳେ ଏହାର ସାମାନ୍ୟ ପ୍ରଭାବ ତିହିଡ଼ିରେ ଦେଖିବାକୁ ମିଳୁନାହିଁ । ରୋଗୀ ଆଉ ତିହିଡ଼ି ଡାକ୍ତରଖାନା ଉପରେ ଭରଷା ମଧ୍ୟ କରିପାରୁନାହାନ୍ତି । ଚାନ୍ଦବାଲି, ମତୋ, ଘଣ୍ଟେଶ୍ୱର, ପୀରହାଟ ଆଦି ଅଞ୍ଚଳରୁ ଶହ ଶହ ରୋଗୀ ପ୍ରତିଦିନ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥା’ନ୍ତି । ଡାକ୍ତରଙ୍କର ଘୋର ଅଭାବ ଯୋଗୁ ରୋଗୀସେବା କରାଯାଇପାରୁନାହିଁ । ଜଣେ ମେଡିକାଲ ଅଫିସର ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ନେଇ ଚାଲିଛି ରୋଗୀସେବା । ସରକାର ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଅଗଷ୍ଟ ୨୦୧୪ ମସିହାରୁ ଏଠାରେ ଶିଶୁ ବିଶେଷଜ୍ଞ ପଦବୀ ଫାଙ୍କା ପଡ଼ିଛି । ଛଅ ବର୍ଷ ହେଲା ଏଠାରେ ମେଡିସିନ ବିଶେଷଜ୍ଞ ପଦବୀ ମଧ୍ୟ ଫାଙ୍କା ପଡ଼ିଛି । ସେହିପରି ଶଲ୍ୟ ବିଶେଷଜ୍ଞ ପଦବୀ ମଧ୍ୟ ୫ ବର୍ଷ ହେଲା ଫାଙ୍କା ପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ମେଡିସିନ ସ୍ପେଶାଲିଷ୍ଟଙ୍କର ଏଠାରେ ପୋଷ୍ଟିଂ ହୋଇଥିଲା । ସେ ଗୋଟିଏ ଦିନ ରହି ରିଲିଭ ହୋଇ ପଳାଇଲେ । ସେହିପରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବିଭିନ୍ନ ସ୍ଥାନରେ ଥିବା ୭ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ୨ ଗୋଟିରେ ଆଲୋପାଥିକ ଡାକ୍ତର ନାହାନ୍ତି । ସେହିପରି ପୀରହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଅବସରପ୍ରାପ୍ତ ଡାକ୍ତର କାମ ଚଳାଉଛନ୍ତି । ତିଆଡ଼ିସାହି ଓ ବାହାବଳପୁର ପରି ଗ୍ରାମାଞ୍ଚଳରେ କେହି ଡାକ୍ତର ନାହାନ୍ତି । ଯେଉଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଲୋପାଥି ଡାକ୍ତର ଅଛନ୍ତି ବାଧ୍ୟ ହୋଇ ସେମାନଙ୍କୁ ତିହିଡ଼ିକୁ ଡେପୁଟେସନରେ ଅଣାଯାଉଛି । ମେଡିକାଲ ଅଫିସର ସ୍ୱାଭାବିକ ଭାବେ ପ୍ରାଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ବିଶେଷଜ୍ଞ ମଧ୍ୟ ତିହିଡ଼ିରେ ସ୍ଥାୟୀ ଭାବେ ରହୁନାହାନ୍ତି । ପିଲାଜନ୍ମ ଅସ୍ତ୍ରୋପଚାର କଥା ଆସିଲେ ସିଧା ଭଦ୍ରକକୁ ରେଫର କରିଦିଆଯାଏ । ତିହିଡ଼ି ଡାକ୍ତରଖାନାରେ ମୂଲ୍ୟବାନ ଯନ୍ତ୍ରପାତି ଥିଲେ ମଧ୍ୟ ବର୍ଷ ବର୍ଷ ହେଲା ଏଠାରେ ଅପରେସନ କରାନଯାଇ ବାହାରକୁ ପଠାଇଦିଆଯାଉଛି । ଖାଲି ସ୍ୱାସ୍ଥ୍ୟସେବା ନୁହେଁ, ଏଠାରେ ପରିବେଶ ମଧ୍ୟ ଅତ୍ୟନ୍ତ ଖରାପ ହୋଇଯାଇଛି । ତିହିଡ଼ି ଡାକ୍ତରଖାନା ବାଇକ ପାର୍କିଂ ସ୍ଥାନ ପାଲିଟିଛି । ବଜାରକୁ ଆସୁଥିବା ଲୋକେ ନିଜ ନିଜର ବାଇକକୁ ଡାକ୍ତରଖାନା ପରିସରରେ ପାର୍କିଂ କରିଦେଇ ନିଜନିଜର କାର୍ଯ୍ୟ କରୁଛନ୍ତି । ଫଳରେ ଆମ୍ବୁଲାନ୍ସ, ଦମକଳ ଆଦି ଡାକ୍ତରଖାନାକୁ ପଶିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.