Home ଅନୁଗୁଳ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ପ୍ରସଙ୍ଗ ନେଇ ଆଇଏନଟିୟୁସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ପ୍ରସଙ୍ଗ ନେଇ ଆଇଏନଟିୟୁସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

29

ତାଳଚେର,୧୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ଏନଟିପିସି ଦ୍ୱାରା ପରିଚାଳିତ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବା ଆଶଙ୍କା ଏବେ ସ୍ଥାନୀୟ ଅଂଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଏହି ପ୍ରସଙ୍ଗକୁ ଆୟୁଧ କରି ଜାତୀୟ ସ୍ତରୀୟ ଶ୍ରମିକ ସଙ୍ଗଠନ ଆଇଏନଟିୟୁସି ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏ ବାବଦରେ ଯଥାଶୀଘ୍ର ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ଦାବୀ କରିଛି । ତାଳଚେର ଥର୍ମାଲ ଠାରେ ଆଇଏନଟିୟୁସି ପକ୍ଷରୁ ଆଜି ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ବରିଷ୍ଠ କାର୍ଯ୍ୟକର୍ତାଗଣ ଯୋଗ ଦେଇ ଉକ୍ତ ପ୍ରସଙ୍ଗରେ ଉଭୟ ସରକାରଙ୍କୁ ଜୋରଦାର ହମଲା କରିବା ସହ ତାଳଚେରବାସୀଙ୍କ ଜୀବନ ଜୀବିକା ପାଲଟିଥିବା ଦୀର୍ଘ ୫୦ବର୍ଷର ପୁରୁଣା ପ୍ଲାଣ୍ଟକୁ ବନ୍ଦ ନକରିବାକୁ ଦୃଢ଼ ଚେତାବନୀ ଦେଇଛନ୍ତି । ଯୁବ ଆଇଏନଟିୟୁସି ର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଷ୍ଣୁମୋହନ ରଥଙ୍କ ଆବାହକତ୍ୱରେ ଆୟୋଜିତ ଉକ୍ତ ସମ୍ମିଳନୀରେ ଆଇଏନଟିୟୁସି ର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ,ଉପସଭାପତି ମଦନମୋହନ ଧଳ,ଆଇଏନଟିୟୁସି ରଅନୁଗୋଳ ଜିଲ୍ଲା ସଭାପତି ଦିଗମ୍ବର ଗଡ଼ନାୟକ, ଆଇଏନଟିୟୁସି ର ଜାତୀୟ ଅର୍ଗାନାଇଜିଂ ସମ୍ପାଦକ ନିର୍ମଳ ସାମଲ,ଅର୍ଗାନାଇଜିଂ ସମ୍ପାଦକ ସତ୍ୟାନନ୍ଦ ସାହୁ,ଆଇଏନଟିୟୁସି ର ସମ୍ପାଦକ ପରେଶ ଜେନା, ଆଇଏନଟିୟୁସି ନାଲକୋର ସାଧାରଣ ସମ୍ପାଦକ ସୁଜିତ କୁମାର ସେଠ୍‌,ଏନଟିପିସି ଟିଟିପିଏସ ର ସାଧାରଣ ସମ୍ପାଦକ ଅରବିନ୍ଦ ମିଶ୍ର,ସିଟୁ ଅନୁଗୋଳ ଜିଲ୍ଲା ସଭାପତି ଉପେନ୍ଦ୍ର ଶର୍ମା,ଶ୍ରମିକ ନେତା ରାଜକିଶୋର ସାହୁଙ୍କ ସମେତ ଏନଟିପିସି ଟିଟିପିଏସ ର ବହୁ ଠିକା କର୍ମଚାରୀଗଣ ଯୋଗ ଦେଇଥିଲେ । କେନ୍ଦ୍ରୀ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ମଞ୍ଜୁରୀ ଆଉ ଅଧିକ ସମୟ ପାଇଁ ନମିଳିବାରୁ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବାର ଆଶଙ୍କା ରହିଥିବାରୁ ସମ୍ମିଳନୀରେ ସମସ୍ତେ ଉଦବେଗ ପ୍ରକାଶ କରିବା ସହ ଆଇଏନଟିୟୁସି ଏନେଇ ଆଗାମୀ ଦିନରେ ଜୋରଦାର ଲଢ଼େଇ କରିବ ଓ ଏହାକୁ କଦାପି ବନ୍ଦ ହେବାକୁ ଦେବ ନାହିଁ ବୋଲି ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଉକ୍ତ ପୁରୁଣା ପ୍ଲାଣ୍ଟ ଶତ ପ୍ରତିଶତ ପିଏଲଏଫରେ କାର୍ଯ୍ୟ କରି ଲାଭାନ୍ୱିତ କରି ଆସୁଅଛି । ଏଣୁ ପୁରୁଣା ପ୍ଲାଣ୍ଟ ର ବନ୍ଦ ସମୟସୀମାକୁ ନୂତନ ପ୍ଲାଣ୍ଟ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଏହି ଅବସରରେ ଆଇଏନଟିୟୁସି କାର୍ଯ୍ୟକର୍ତାଗଣ ଦାବୀ କରିଥିଲେ । ଯଦି ବର୍ତମାନ ପରିସ୍ଥିତିରେ ଏହାକୁ ବନ୍ଦ କରି ଦିଆ ଯାଏ ତେବେ ଏହା ଉପରେ ନିର୍ଭର କରୁଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୦ହଜାର ଲୋକ କ୍ଷତିଗ୍ରସ୍ତ ହେବେ । ତତ୍ ସହିତ ସ୍ଥାନୀୟ ଅଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟଜଳ ଯୋଗାଣ ବାଧାପ୍ରାପ୍ତ ହେବ । ଏଣୁ ପୁରୁଣା ପ୍ଲାଣ୍ଟକୁ ଚାଲୁ ରଖିବାସହ ନୂତନ ପ୍ରସ୍ତାବିତ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ସମ୍ମିଳନୀରେ ଦୃଢ଼ ଦାବୀ କରାଯାଇଥିଲା। ଆଗାମୀ ଡିସେମ୍ବର ୧ ତାରିଖ ସୁଦ୍ଧା ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ନମିଳିଲେ ଜାନୁଆରୀ ୫ତାରିଖ ଠାରୁ ଆଇଏନଟିୟୁସି ଅନ୍ୟାନ୍ୟ ସଙ୍ଗଠନମାନଙ୍କ ସହ ମିଶି ଦାବୀପତ୍ର ପ୍ରଦାନ କରିବାସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏହି ଅବସରରେ ଚେତାବନୀ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.