Home ଜିଲ୍ଲା ପରିକ୍ରମା ଠିକାଦାରଙ୍କ ନେଉଟିଆ କିଆରୀ ସାଜିଛି ଗଦି-ପଞ୍ଚୁଟିକ୍ରୀ ମୁଖ୍ୟ ରାସ୍ତା

ଠିକାଦାରଙ୍କ ନେଉଟିଆ କିଆରୀ ସାଜିଛି ଗଦି-ପଞ୍ଚୁଟିକ୍ରୀ ମୁଖ୍ୟ ରାସ୍ତା

105

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଓ ଚାନ୍ଦବାଲି ବ୍ଲକ୍‌ର ୧୨ଟି ପଂଚାୟତକୁ ମୁଖ୍ୟ ସଂଯୋଗୀକରଣ ରାସ୍ତା ଭାବେ ଗଦି-ଖଦାଳପୋଖରୀ-ପଂଚୁଟିକ୍ରୀ ରାସ୍ତା ସଂପ୍ରତି ବିପର୍ଯ୍ୟସ୍ତ ହୋଇପଡିଛି । ମରାମତି ଅଭାବରୁ ଭୁଷୁଡି ଯାଉଛି ରାସ୍ତାର ଭୌଗୋଳିକ ସ୍ଥିତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ କୁହୁଳୁଥିବା ବେଳେ ରାଜନେତା ଓ ବିଭାଗୀୟ ପଦାଧିକାରୀଙ୍କ ଅଣଦେଖା ଯୋଗୁଁ ସଂପ୍ରତି ଯାତାୟତରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ରାସ୍ତା ମଧ୍ୟରେ ଖାଲଖମା ଦିନ ବେଳା ଲୋକଙ୍କୁ ମରଣଯନ୍ତରା ଆଡକୁ ଟାଣି ନେଉଥିବାବେଳେ ସନ୍ଧ୍ୟା ପରେ କଥା ସରେ । ଏହି ରାସ୍ତା ଠିକାଦାରଙ୍କ ନେଉଟିଆ କିଆରୀ ସାଜିଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ନାମକୁ ମାତ୍ର ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୧୭ ମସିହା ଡିସେମ୍ବର ମାସରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଉଦ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୩୨ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇ ୨ଟି ପର୍ଯ୍ୟାୟରେ ୮.୬ କିମିର ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ନିର୍ମାଣ ସମୟରେ ବିଭାଗୀୟ ପଦାଧିକାରୀଙ୍କ ତଦାରଖ ଅବହେଳାରୁ ଦୁର୍ବଳ ହୋଇଥିବା ବେଶ୍ ଅନୁମେୟ । ବିଗତ ୪ ମାସ ଧରି ଏହି ରାସ୍ତା ଅବସ୍ଥା ଖରାପ ଆଡକୁ ଗତି କରୁଛି । ସାମାନ୍ୟ ବର୍ଷା ହେଲେ ସାମୟିକ ଭାବେ କେଇଘଣ୍ଟା ଯାତାୟତ ଠପ୍ ହୋଇଯାଇଥାଏ । ଗଦି ବଜାରସ୍ଥିତ ବ୍ୟାଙ୍କ ନିକଟରେ ଆଣ୍ଠୁଏ ପାଣି ଜମୁଥିବାବେଳେ ବରଦା, ଜାମଯୋଡି ଛକ ଓ ନରେନ୍ଦ୍ରପୁର ଛକ ଆଦି ବିଭିନ୍ନ ସ୍ଥାନରେ ବହୁ ଖାଲଖମା ସୃଷ୍ଟି ହୋଇଯାଇଛି । ସେହିପରି ଗଭେଇପୋଖରୀ ଛକ ଠାରୁ ଘଣ୍ଟେଶ୍ୱର ବଜାର ରାସ୍ତା ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଯାଇଛି । ବର୍ଷାଦିନକୁ ଦୃଷ୍ଟିରେ ରଖି ରାସ୍ତାର ମରାମତି କରାଯିବ ଏବଂ ଖୁବ୍ ଶୀଘ୍ର ଏହାର ସଂପ୍ରସାରଣ କରାଯିବା ଲାଗି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.