Home Top News ଟ୍ରେନ ଲାଇନ ପାଖରେ ଶୋଇଥିବା ଯୁବକଙ୍କ ହାତ କଟି ଗୁରୁତର

ଟ୍ରେନ ଲାଇନ ପାଖରେ ଶୋଇଥିବା ଯୁବକଙ୍କ ହାତ କଟି ଗୁରୁତର

36

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ-ଧାମରା ରେଳପଥରେ ଗତକାଲି ରାତିରେ ଟ୍ରେନ ଲାଇନ ପାଖରେ ଶୋଇଥିବା ଜଣେ ଯୁବକଙ୍କ ହାତ କଟି ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପ୍ରକାଶ ଯେ ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ଅଧୀନ ମହାଦେବସାହି ଗ୍ରାମର କମଳାକାନ୍ତ ଜେନା (୩୦) ନାମକ ଜଣେ ଯୁବକ ଗତକାଲି ରାତିରେ ତିହିଡ଼ି ବଜାରରୁ ଘରକୁ ଫେରୁଥିଲେ। ତିହିଡ଼ି ବାରିଣୀ ପୋଖରୀ ନିକଟ ଭଦ୍ରକ-ଧାମରା ଟ୍ରେନଲାଇନ ପାଶ୍ୱର୍ରେ ନିଦ ଆସିଯିବାରୁ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୧୧ଟା ସମୟରେ ସେହି ଲାଇନ ଦେଇ ଏକ କୋଇଲା ବୋଝେଇ ଟ୍ରେନ ଯିବା ବେଳେ ଲାଇନ ଉପରେ ଥିବା କମଳାକାନ୍ତଙ୍କ ହାତ ଉପରେ ଟ୍ରେନ ଚଢ଼ି ଯାଇଥିଲା। ଫଳରେ ହାତଟି କଟିଯିବା ସହ ସେ ଚେତାଶୂନ୍ୟ ହୋଇ ଯାଇଥିଲା। ବିଳମ୍ବିତ ରାତିରେ ଚେତା ଫେରିବା ପରେ କମଳାକାନ୍ତ ଯନ୍ତ୍ରଣା ଅନୁଭବ କରି ଚିତ୍କାର କରିଥିଲେ ମଧ୍ୟ ରାତି ହୋଇଥିବାରୁ କେହି ଶୁଣି ନଥିଲେ। ଫଳରେ ସେ ନିକଟରେ ଥିବା ଏକ ଘରର କବାଟ ବାଡ଼େଇବା ସହ ଘର ଦୁଆରେ ଚିତ୍କାର କରିଥିଲେ। ତେବେ ଘରମାଲିକ ଉଠି କବାଟ ଖୋଲି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କମଳାକାନ୍ତଙ୍କୁ ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ ଓ ପୋଲିସକୁ ଫୋନ କରିଥିଲେ। ତିହିଡ଼ି ଥାନାଅଧିକାରୀ ରମେଶ ଚନ୍ଦ୍ର ସିଂ ଯୁବକଙ୍କ ଅବସ୍ଥା ଦେଖି ଆଶୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତିହିଡ଼ି ପରେ ଭଦ୍ରକ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ସେଠାରେ ତାଙ୍କର ଅବସ୍ଥା ଉଦ୍ବେଗ ଜନକ ହେବାରୁ କଟକ ବଡ଼ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.