Home ଆନ୍ତର୍ଜାତୀୟ ଟ୍ରମ୍ପଙ୍କୁ ମୋଦି କହିଲେ ଏମିତି

ଟ୍ରମ୍ପଙ୍କୁ ମୋଦି କହିଲେ ଏମିତି

363

ନୂଆଦିଲ୍ଲୀ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବୈଠକ ପରେ ସେ ମୋଦିଙ୍କୁ ଭାରତର ପିତା ଭାବେ ଅଭିହିତ କରିଛନ୍ତି।

ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ରବିବାର ଅନୁଷ୍ଠିତ ‘ହାଓଡି ମୋଦି’ ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍‌ଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଏପରି କି ‘ଅବ୍‌କୀ ବାର୍‌ ଟ୍ରମ୍ପ୍‌ ସରକାର’ (ଏଥର ଟ୍ରମ୍ପ୍‌ ସରକାର) ବୋଲି ମୋଦି କହିଥିଲେ, ଯାହାକୁ ନେଇ ଭାରତରେ ବିବାଦ ସୃଷ୍ଟି ହୋଇଛି। ଟ୍ରମ୍ପ୍‌ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାରୁ ମୋଦି ତାଙ୍କ ପ୍ରଚାର କରି ଭାରତର ବହିର୍ବ୍ୟାପାର ନୀତିର ଉଲ୍ଲଂଘନ କରିଥିବା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଏହାର ଦୁଇଦିନ ପରେ ନ୍ୟୁୟର୍କ ସହରସ୍ଥିତ ଜାତିସଂଘ ମୁଖ୍ୟାଳୟରେ ୟୁଏନ୍‌ଜିଏ ଚାଲିଥିବାବେଳେ ମଙ୍ଗଳବାର ଦୁଇନେତା ପୁଣି ଏକାଠି ହୋଇଥିଲେ। ମୋଦି ଓ ଟ୍ରମ୍ପ୍‌ ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଟ୍ରମ୍ପ୍‌ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଆମେରିକୀୟ ଗାୟକ ତଥା ଅଭିନେତା ଏଲ୍‌ଭିସ୍‌ ପ୍ରେସ୍‌ଲିଙ୍କ ସହ ତୁଳନା କରିଥିଲେ। ମୋଦି ହେଉଛନ୍ତି ‘ଭାରତର ଏଲ୍‌ଭିସ୍‌’। ତାଙ୍କର ଲୋକପ୍ରିୟତା ଏଲ୍‌ଭିସ୍‌ଙ୍କ ଭଳି, ଯାହାକି ଏନ୍‌ଆର୍‌ଜି ଷ୍ଟାଡିୟମ୍‌ରେ ଉପସ୍ଥିତ ଭିଡ଼ର ଭଲପାଇବା ପ୍ରମାଣିତ କରିଛି। ଟ୍ରମ୍ପ୍‌ଙ୍କ ପ୍ରଶଂସା ଏତିକିରେ ସୀମିତ ନ ଥିଲା। ସେ ଆହୁରି କହିଥିଲେ, ମୋଦି ଭାରତର ପିତା। ଭାରତ ଓ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ଏକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ସେହିପରି ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ୍‌ କହିଥିଲେ, ପାକିସ୍ତାନକୁ ମୋଦି ଏକ ଉଚ୍ଚ ଓ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଦୁଇଜଣ ମହାନ୍‌ ଭଦ୍ରଲୋକ। ଉଭୟେ ପରସ୍ପରକୁ ଜାଣନ୍ତି ଓ ମିଳିମିଶି କାମ କରିବେ। ଅନୁରୂପ ଭାବେ ମୋଦି ମଧ୍ୟ ଟ୍ରମ୍ପ୍‌ଙ୍କୁ ହ୍ୟୁଷ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ଟ୍ରମ୍ପ୍‌ ତାଙ୍କର ବନ୍ଧୁ, ସେ ଭାରତର ମଧ୍ୟ ଜଣେ ଭଲ ବନ୍ଧୁ। ଭାରତ ଓ ଆମେରିକା ମଧ୍ୟରେ ରବିବାର ଏକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ଅନୁସାରେ ଭାରତୀୟ କମ୍ପାନୀ ପେଟ୍ରୋନେଟ୍‌ ଶକ୍ତି କ୍ଷେତ୍ରରେ ୨.୫ ବିଲିୟନ ଡଲାର ନିବେଶ କରିବ। ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦି ପୁନଃ ନିର୍ବାଚିତ ହେବା ପରେ ୪ ମାସ ମଧ୍ୟରେ ଟ୍ରମ୍ପ୍‌ଙ୍କ ସହ ଏହା ଥିଲା ତାଙ୍କର ଚତୁର୍ଥ ସାକ୍ଷାତ ଆଲୋଚନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.