Home ଓଡ଼ିଶା ଟୋକନ ବିରୋଧରେ ଆନ୍ଦୋଳନ ଉଗ୍ର ହେଲା : ଜିଲ୍ଲାପାଳଙ୍କ ଦପ୍ତର ପରେ ବିଧାୟକଙ୍କ ଘର ଆଗରେ...

ଟୋକନ ବିରୋଧରେ ଆନ୍ଦୋଳନ ଉଗ୍ର ହେଲା : ଜିଲ୍ଲାପାଳଙ୍କ ଦପ୍ତର ପରେ ବିଧାୟକଙ୍କ ଘର ଆଗରେ ଧାନ ଗଦା କରି କୃଷକଙ୍କ ବିକ୍ଷୋଭ

166

ସମ୍ବଲପୁର, ୧୯/୧୧ (ଓଡ଼ିଆ ପୁଅ) ଧାନ ବିକ୍ରୀ ସମୟରେ ଚାଷୀଙ୍କୁ ମୋବାଇଲ ଫୋନ ଜରିଆରେ ଟୋକନ ସଂଗ୍ରହ କରିବାକୁ ହେବ ବୋଲି ରଜ୍ୟ ସରକାର ଜାରୀ କରିଥିବା ନୋଟିସ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଗତକାଲି ଜିଲ୍ଲାପାଳଙ୍କ ଦପ୍ତର ଆଗରେ ଆନ୍ଦୋଳନ କରାଯାଇଥିଲା। ଦାବି ପୂରଣ ନ ହେବାରୁ ବିଧାୟକଙ୍କ ବାସଭବନ ସାମ୍ନାରେ ପ୍ରତିବାଦ ଜାହିର କରିଛନ୍ତି ଚାଷୀ। ବରଗଡ଼ ଜିଲ୍ଲାର ଚାଷୀମାନେ ତହସିଲ ଓ ନିୟନ୍ତ୍ରୀତ ବଜାର ମଂଡ଼ି ମାନଙ୍କରେ ତାଲା ମାରିଥିଲେ। ଆଜି ବିଧାୟକ ମାନଙ୍କ ଘର ସାମ୍ନାକୁ ଏହି ଆନ୍ଦୋଳନ ପହଂଚିଛି। ଗତ ୧୫ ତାରିଖ ଠାରୁ ସମ୍ବଲପୁର, ବରଗଡ଼ ପ୍ରଭୃତି ଜିଲ୍ଲାର ଖରିଫ ଫସଲର ଧାନ କିଣାଯିବ ବୋଲି ଯୋଗାଣ ବିଭାଗ ଘୋଷଣା କରିଥିଲା। ହେଲେ ଏହାର ୫ ଦିନ ପରେ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ। ଧାନ ସଂଗ୍ରହରେ ଅଚଳାବସ୍ଥା ଦେଖାଦେଇଛି। ଚାଷୀମାନେ ଟୋକନ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଛନ୍ତି। ଇଲାକାର ମଂଡ଼ି ମାନଙ୍କରେ ହଜାର ହଜାର ବସ୍ତା ଧାନ ଗଦା ହେଲାଣି। ଚାଷୀ ମାନେ ଆଣିଥିବା ଧାନକୁ ଜଗି ରହିଛନ୍ତି। ପୂର୍ବରୁ ଜିଲ୍ଲା ସ୍ତରରେ ମଂଡ଼ିରୁ ଟୋକନ ସଂଗ୍ରହ କରି ଚାଷୀ ମାନେ ଧାନ ବିକ୍ରୀ କରୁଥିଲେ। ଯଦି ଅସୁବିଧା ଉପୁଜୁଥିଲା ଜିଲ୍ଲା ସ୍ତରରେ, ଏପରିକି ମଂଡ଼ିରେ ତାହାର ସମାଧାନ ହେଉଥିଲା। ଏଥର ଭୁବନେଶ୍ୱର ଠାରୁ ଧାନ ସଂଗ୍ରହ ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରାଯାଇ ଚାଷୀଙ୍କ ମୋବାଇଲ ଫୋନକୁ ଟୋକନ ନମ୍ବର ପ୍ରେରଣର ବ୍ୟବସ୍ଥା କରାଯାଇଛି। ଏପରିକି ଚାଷୀମାନଙ୍କୁ ସେମାନଙ୍କ ଧାନ ଅମଳ ପୂର୍ବରୁ ଟୋକନ ନମ୍ବର ଫୋନ ମ୍ୟାସେଜରେ ଆସିଥବା ବେଳେ କେତେକ ସ୍ଥଳେ ଅମଳ କରିଥିବା ଚାଷୀଙ୍କ ପାଖକୁ ସୂଚନା ଆସୁନଥିବା କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଟୋକନ ବ୍ୟବସ୍ତାକୁ କେନ୍ଦ୍ରୀଭୂତ କରାଯିବା ଦ୍ୱାରା ଛୋଟ ଏବଂ ନାମ ମାତ୍ର ଚାଷୀ କଷ୍ଟୋପାର୍ଜିତ ଧାନ ବିକ୍ରୀରେ ହଇରାଣ ହେବେ। ବହୁ ଚାଷୀ ମିଳିମିଶି ମଂଡ଼ିକୁ ଧାନ ନେଇଥାଆନ୍ତି। ଆଗୁଆ ଟୋକନ ବ୍ୟବସ୍ଥା ଏହି ସୁବିଧା ନଦେଇ ଚାଷୀଙ୍କୁ ହଇରାଣରେ ପକାଇବ। ଏଣେ ମୋବାଇଲ ସେବା ଯାହା। ଧାନ ସଂଗ୍ରହ ପ୍ରକ୍ରିୟା ସରଳ ହେବା ବଦଳରେ ଜଟିଳ ହେବ ବୋଲି ସମ୍ବଲପୁ୍ର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ପୁର୍ବରୁ ଚେତାବନୀ ଦିଆଯାଇଥିଲା। ହେଲେ ରାଜ୍ୟ ସ୍ତରୀୟ ଟୋକନ ବ୍ୟବସ୍ଥା ପ୍ରତ୍ୟାହୃତ ନ ହେବାରୁ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବଲାଂଗିର ଜିଲ୍ଲାର ଚାଷୀ ମାନେ ଗତ ଶନିବାର ଦିନ ବରଗଡ଼ର ଗୋଡ଼ଭଗା ଠାରେ ସମାବେଶ କରିଥିଲେ। ଏହାର ଚବିଶ ଘଂଟା ମଧ୍ୟରେ ଟୋକନ ବ୍ୟବସ୍ଥାର ପ୍ରତ୍ୟାହାର ପାଇଁ ଏଠାରେ ଦାବି କରାଯାଇଥିଲା। ହେଲେ ଏହା ନ ହେବାରୁ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଦପ୍ତର ଆଗରେ ଧାନ ଭର୍ତ୍ତି ଟ୍ରାକ୍ଟର ରଖି ଚାଷୀମାନେ ବିକ୍ଷୋଭ କରିଥିଲେ। ପୁର୍ବ ଘୋଷଣା ଅନୁଯାୟୀ ଆଜି ଜିଲ୍ଲାର ଚାଷୀମାନେ ବିଧାୟକ ମାନଙ୍କ ଘର ଆଗରେ ଗାଁରୁ ଆଣିଥିବା ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି। ଏହା ଦିନ ୧୨ଟାରୁ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ଶାସକ ଦଳର ବିଧାୟକ ଇଂ. ରୋହିତ ପୂଜାରୀଙ୍କ ବୁକ୍ସହିଲ, କିଶୋର ନାଏକ, ବିଜେପି ବିଧାୟକ ଜୟ ନାରୟଣ ମିଶ୍ରଙ୍କ ନନ୍ଦପଡ଼ା ଏବଂ ନାଉରୀ ନାଏକଙ୍କ ଭତରା ଠାରେ ଥିବା ଘର ଆଗରେ ଏହି ବିକ୍ଷୋଭ କରାଯାଇଥିଲା। କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ। ଚାଷୀଙ୍କ ଏହି ସତ୍ୟାଗ୍ରହକୁ ନଜରରେ ରଖି ସହରକୁ ସଂଯୋଗ କରୁଥବା ରାସ୍ତା ଏବଂ ବିଧାୟକଙ୍କ ଘର ଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ହେଲେ ଚାଷୀ ମାନେ ବାଇକ, ଅଟୋ ରିକ୍ସା ପ୍ରଭୃତିରେ ସହରକୁ ଧାନ ଆଣିଥିଲେ।

ଅନ୍ୟ ପକ୍ଷରେ ବରଗଡ଼ରେ ମଧ୍ୟ ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ ଲାଗିରହିଛି। କୃଷକ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟର ପହଂଚି ଟୋକନର ପ୍ରତିବାଦ କରିଥିଲେ। ପରେ କାର୍ଯ୍ୟାଳୟରେ ବସିଥିବା କର୍ମକର୍ତ୍ତାଙ୍କୁ ବାହାରକୁ ଡ଼ାକି ଏହାର ଫାଟକକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.