Home କେନ୍ଦୁଝର ଟୋକନ ଆସିଛି କିନ୍ତୁ ଟାର୍ଗେଟ ନାହିଁ, ଚିନ୍ତାରେ ପଡିଛନ୍ତି ଚାଷୀ

ଟୋକନ ଆସିଛି କିନ୍ତୁ ଟାର୍ଗେଟ ନାହିଁ, ଚିନ୍ତାରେ ପଡିଛନ୍ତି ଚାଷୀ

42

ହାଟଡ଼ିହି, ୧୧ । ୨(ଓଡିଆପୁଅ / ବିକାଶ ବିଶ୍ୱାଳ) ଧାନ ବିକିବା ପାଇଁ ଚାଷୀଙ୍କ ପାଖକୁ ଟୋକନ ଆସିଛି କିନ୍ତୁ ମଣ୍ଡିକୁ ଟାର୍ଗେଟ ଆସିନଥିବାରୁ ବିଚରା ଚାଷୀମାନେ ଧାନ ବିକିବା ପାଇଁ ମଣ୍ଡିକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ହାଟଡିହି ବ୍ଲକର ୭ଟିଯାକ ସମବାୟ ସମିତିରେ ଏପରି ଅବସ୍ଥା ଲାଗି ରହିଥିବାରୁ ଚାଷୀମାନେ ଧାନ ବିକ୍ରୀ କରିନପାରି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମରୈଗାଁ ସମବାୟ ସମିତିରେ ୬ହଜାରରୁ ଉର୍ଦ୍ଧ ଚାଷୀ ଥବବାବେଳେ ଧାନ ବିକିବା ପାଇଁ ୮୨୪ଜଣଙ୍କ ଆବେଦନକୁ ଭେରିଫାଏଡ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୦ତାରିଖ ସୁଧା ୭୦୬ଜଣ ଚାଷୀ ଧାନ ବିକ୍ରୀ କରିବାପାଇଁ ଟୋକନ ପାଇଛନ୍ତି । ଏହି ଚାଷୀ ମାନଙ୍କ ଠାରୁ ୩୪୩୧୩.୨୨କୁଇଣ୍ଟାଲ ଧାନ କିଣିବା ପାଇଁ ଟୋକନ ମିଳିଥିବାବେଳେ କିନ୍ତୁ ମାତ୍ର ୨୮୯୦୦ କୁଇଣ୍ଟାଲର ଟାର୍ଗେଟ ଆସିଛି । ଫଳରେ ମଣ୍ଡି ପକ୍ଷରୁ ଆଉ ଧାନ କିଣାଯାଇ ପାରୁନି । ଚାଷୀ ମହେନ୍ଦ୍ର ଶାସିନି, ଦିଗାମ୍ବର ପଣ୍ଡା, କିଶୋର ପଣ୍ଡା, ଭରତ ବେହେରା, ବନମାଳୀ ବିଶ୍ୱାଳ, ଜୟଦେବ ଚକ୍ର ପ୍ରମୁଖ ଚାଷୀମାନେ ଟୋକନ ପାଇ ଧାନ ବିକିବାପାଇଁ ପ୍ରତିଦିନ ମଣ୍ଡିକୁ ଦୌଡୁଥିବାବେଳେ ସମିତିର ସହ ସମ୍ପାଦକ ଧାନ କିଣିବାକୁ ମନା କରୁଛନ୍ତି । ଯାହାକୁନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟାର୍ଗେଟ ଦେବାରେ ପାତର ଅନ୍ତର କରାଯାଉଥିବାରୁ ଧାନ ବିକ୍ରୀ କରିିବାରେ ଅସୁବିଧା ହେଉଛି । ସଢ଼ା, ବଡରମ୍ପାସ, ଡଅଁର ଆଦି ସମିତି ମାନଙ୍କୁ ପର୍ଯ୍ୟାପ୍ତ ଧାନ କିଣିବାପାଇଁ ଟାର୍ଗେଟ ଦିଆଯାଉଥିବାବେଳେ ମରୈଗାଁ ସମବାୟ ସମିତିକୁ କାହିଁକି କମ ଟାର୍ଗେଟ ଦିଆଯାଉଛି ସେନେଇ ଚାଷୀମାନେ ପ୍ରଶ୍ନ କରିଛନ୍ତି । ଖାଲି ଏହି ସମତି ନୁହଁ ସମଣା ସମବାୟ ସମିତ୍ତିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଚାଷୀମାନେ ଧାନ ବିକିବାପାଇଁ ମଣ୍ଡିକୁ ଦୌଡୁଥିବାବେଳେ ମଣ୍ଡି କର୍ତ୍ତୁପକ୍ଷ ଧାନ ଟାର୍ଗେଟ ନଥିବା କହି ଧାନ କିଣୁ ନାହାନ୍ତି । ଯାହାକୁନେଇ ଚାଷୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଧାନ ବିକ୍ରିକରି କିଏ ଝିଅ ବାହାଘର କରିବାକୁ ଲକ୍ଷ ରଖିଛି ତ ଆଉ କିଏ ଘର କରିବାକୁ ଓ ଆଉ କିଏ ଧାର କରଜ ସୁଝିବାକୁ ଲକ୍ଷ ରଖିଛି । କିନ୍ତୁ ମଣ୍ଡିରେ ଏପରି ଅବ୍ୟବସ୍ଥା ଯୋଗୁଁ ଧାନ ବିକ୍ରୀ କରିପାରି ନଥିବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ଆଉ କିଛି ଚାଷୀ ବାଧ୍ୟହୋଇ ବହୁତ କମ ଦରରେ ଦଲାଲ ମାନଙ୍କୁ ଧାନ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ମଣ୍ଡି ମାନଙ୍କୁ ଟୋକନ ଅନୁଯାଇ ତୁରନ୍ତ ଟାର୍ଗେଟ ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.