Home ଓଡ଼ିଶା ଜୁରୁଡି ଲୌହ ଖଣିର ଭୂମି ପୂଜନ କଲେ ନୂଆ ଖଣି ମାଲିକ ସନାତନ ମହାକୁଡ

ଜୁରୁଡି ଲୌହ ଖଣିର ଭୂମି ପୂଜନ କଲେ ନୂଆ ଖଣି ମାଲିକ ସନାତନ ମହାକୁଡ

566

।। ଯୋଡା, ୧୩/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜୁରୁଡି ଲୌହ ଖଣିଟିର ଭୁମି ପୂଜନ ସୋମବର ପୂର୍ବାହ୍ନରେ ନୂଆ ଖଣି ଲିଜ୍ ଧାରି ଜଗତ ଜନନୀ ସର୍ଭିସେସ ପ୍ରା. ଲି. ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ୭୭.୨୨୮ ହେକ୍ଟର ପରିମିତ ଲୌହ ଖଣିଟିରେ ୪.୭୯୫ ନିୟୁତ ମେଟ୍ରକ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି । ଏହି ଖଣିଟିକୁ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କର ଜଗତ ଜନନୀ ସର୍ଭିସେସ ୧୨୬.୨୩ ପ୍ରତିଶତ ଅଧିକ ଦରରେ ନିଲାମ ଧରିଥିଲେ । ଏହି ଖଣିଟିକୁ ପାଇବା ପାଇଁ ଜଗତ ଜନନୀ ସର୍ଭିସେସ ସମେତ ଶ୍ରୀ ବାଲାଜି ଇଞ୍ଜିନିୟରିଙ୍ଗ, ପ୍ରଭାକର ସାହୁ, ଲାଲ ଟ୍ରେଡର୍ସ ଏଜେନ୍ସି, ରୁଙ୍ଗଟା ସନ୍ସ ପ୍ରା. ଲି., ୟାଜଦାନି ପାୱାର, କୁଞ୍ଜ ବିହାରୀ ଷ୍ଟିଲ, ଫୋମେଣ୍ଟୋ ଇଣ୍ଡଷ୍ଟ୍ରିଆଲ ପ୍ରା. ଲି., ବେଦାନ୍ତ, ଅଲଟ୍ରେଡର୍ସ ମିନେରାଲ୍ସ ପ୍ରା.ଲି., କାସଭି ଇଣ୍ଟରନ୍ୟାସନାଲ ପ୍ରା. ଲି., ଇଡକଲ ଫେରୋ କ୍ରୋମ ଏଣ୍ଡ ଆଲଏଜ, ଆନନ୍ଦ ଏକ୍ସପର୍ଟସ, ବାଗାଡିଆ ବ୍ରଦର୍ସ, ଆଗ୍ରେସନ ସ୍ପଞ୍ଜ ପ୍ରା.ଲି., ସାଉଥ ମାଇନିଙ୍ଗ ପ୍ରା.ଲି. ଏବଂ ପୂର୍ବରୁ କାର୍ଯ୍ୟରତ କେ.ଏମ୍‌.ସି. ପ୍ରା. ଲି. ଏହିପରି ୧୭ଟି ବଡବଡ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଜଗତ ଜନନୀ ଏହି ଟେଣ୍ଡର ପ୍ରକ୍ରିୟାରେ ୭୯.୦୮ ପ୍ରତିଶତ ସର୍ବାଧିକ ଟେଣ୍ଡର ଭରିଥିବା ବେଳେ ଖଣିଟିକୁ ପାଇବା ପାଇଁ ତୀବ୍ର ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା । ତେବେ ଟେକ୍ନିକାଲ ବିଡିଂରେ ସମସ୍ତଙ୍କୁ ପଛରେ ପକାଇ ୧୨୬.୨୩ ପ୍ରତିଶତରେ ସନାତନ ମହାକୁଡଙ୍କ ଜଗତ ଜନନୀ ସର୍ଭିସେସ ପ୍ରା. ଲି. ଖଣିର ଲିଜ୍ ପାଇବା ପାଇଁ ହକଦାର ହୋଇଥିଲେ । ଏହି ଖଣିଟିରେ ସନାତନ ମହାକୁଡ ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ତାଙ୍କର ସ୍ତ୍ରୀ ଶାନ୍ତିଲତା ମହାକୁଡ ଓ ତାଙ୍କର ପୁଅ ପଙ୍କଜ କୁମାର ମହାକୁଡ ନିର୍ଦ୍ଦେଶକ ଅଛନ୍ତି । ତେବେ ଆଜିର ଭୂମି ପୂଜନ ଉତ୍ସବରେ ସନାତନ ମହାକୁଡଙ୍କୁ ଦେଖିବାକୁ ମିଳିନଥିବା ବେଳେ ତାଙ୍କର ସ୍ତ୍ରୀ ଏବଂ ସାନପୁଅ ବିଶ୍ୱାମିତ୍ର ମହାକୁଡ ପୂଜାରେ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ, ଗତ ଅପ୍ରେଲ ମାସ ୧ ତାରିଖ ସୁଦ୍ଧା ଲିଜ୍ ଅବଧି ସରୁଥିବା ୨୪ଟି ଖଣି ମଧ୍ୟରୁ ୧୯ଟି ଖଣିର ଟେଣ୍ଡର ପ୍ରକ୍ରିୟ।। ସରିଥିବା ବେଳେ ଖଣି ଗୁଡିକ ୧୧ଜଣ ନୂତନ ଖଣି ମାଲିକଙ୍କ ମାଲିକାନାକୁ ଯାଇଛି । ସେମାନଙ୍କୁ ୫୦ ବର୍ଷ ପାଇଁ ନିଲାମ ମାଧ୍ୟମରେ ଲିଜ୍ ଦିଆଯାଇଛି । ସରକାରଙ୍କ କରୋନା କଟକଣା ଯୋଗୁଁ ସେମାନଙ୍କର ସରକାରଙ୍କ ସହିତ ଚୁକ୍ତିନାମା ହୋଇପାରିନଥିଲା । ଗତ ୦୪.୦୭.୨୦୨୦ ରିଖ ଜଗତ ଜନନୀ ସର୍ଭିସେସ ସହିତ ସରକାରଙ୍କ ଚୁକ୍ତିନାମା ହୋଇଯାଇଛି । ଏହା ପୂର୍ବରୁ ଜେଏସ୍ ଡବ୍ଲୁ ଓ ମିତ୍ତଲ ଭଳି ୪ଟି ଖଣି ମାଲିକ କେନ୍ଦୁଝର ଠାରେ ସେମାନଙ୍କ ଚୁକ୍ତିନାମା ସାରିଥିବା ବେଳେ ନୂତନ ଭାବେ ଖଣି ଲିଜ୍ ପାଇଥିବା ୧୧ଟି ଖଣି କମ୍ପାନୀ ମଧ୍ୟରୁ ୭ଟି କମ୍ପାନୀର ଚୁକ୍ତିନାମା ସରିଥିବା ଜଣାପଡିଛି । ଆଉ ୪ଟି ଖଣି କମ୍ପାନୀ ଖୁବ୍ ଶୀଘ୍ର ସରକାରଙ୍କ ସହ ସେମାନଙ୍କ ଚୁକ୍ତିନାମା ସ୍ୱାକ୍ଷରିତ କରିବେ ବୋଲି ଜଣାପଡିଛି । ନୂତନ ଲିଜ୍ ଧାରି ମାନଙ୍କୁ ଲେଟର ଅଫ୍ ଇଣ୍ଡେଣ୍ଟ ଦିଆଯିବା ପରେ ସେମାନେ ଗୋଟିଏ ପରେ ଗୋଟିଏ ଖଣି ଭୂମି ପୂଜନ ଆରମ୍ଭ କରିଛନ୍ତି । ଜଗତ ଜନନୀ ସର୍ଭିସେସ ୨୯ କୋଟି ୪୬ ଲକ୍ଷ ୨୬ ହଜାର ୧ଶହ ୩୮ ଟଙ୍କା ଷ୍ଟାମ୍ପ ଖର୍ଚ୍ଚ ଓ ୧୧ କୋଟି ୭୮ ଲକ୍ଷ ୫୦ ହଜାର ୪୫୫ ଟଙ୍କା ରେଜିଷ୍ଟ୍ରେସନ ବାବଦକରୁ ସରକାରଙ୍କ ଠାରେ ଦାଖଲ କରି ଖଣି କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ପାଇଛନ୍ତି । ଯୋଡା ଖଣି କ୍ଷେତ୍ରରେ ସାଧାରଣତଃ ଅଣ ଓଡିଆ ଖଣି ମାଲିକଙ୍କ ପ୍ରାଧାନ୍ୟତା ଦେଖିବାକୁ ମିଳିଥିବା ବେଳେ ଆଙ୍ଗୁଠି ଗଣତି କେତେଜଣ ଓଡିଆ ଖଣି ମାଲିକ ଏହି ଖଣି ପାଇବା ତାଲିକାରେ ନିଜକୁ ସାମିଲ କରିପାରିଛନ୍ତି । ସେଥି ମଧ୍ୟରୁ ସନାତନ ମହାକୁଡ ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.