Home ଜିଲ୍ଲା ପରିକ୍ରମା ଜୀବନ ହେଉଛି ତାରୁଣ୍ୟର କେତୋଟି ତରଂଗ, ଚିରଶ୍ରୀ ଇନ୍ଦ୍ରସିଂ ପାଇବେ ସାଳନ୍ଦୀ ବହିମେଳା ପୁରସ୍କାର

ଜୀବନ ହେଉଛି ତାରୁଣ୍ୟର କେତୋଟି ତରଂଗ, ଚିରଶ୍ରୀ ଇନ୍ଦ୍ରସିଂ ପାଇବେ ସାଳନ୍ଦୀ ବହିମେଳା ପୁରସ୍କାର

34

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାରୁଣ୍ୟ ଆଶା ଓ ସଂଭାବନାର ଏକ ଚିରହରିତ ସବୁଜ ଅରଣ୍ୟ । ଜୀବନ ହେଉଛି ତାରୁଣ୍ୟର କେତୋଟି ମନଲୋଭା ତରଂଗ, ଯାହା ଦୁର୍ଲଭ ଓ ରହସ୍ୟମୟ ହେଲେବି ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ସୃଜନ ସ୍ରଷ୍ଟାଙ୍କ ମଧ୍ୟରେ ସ୍ୱପ୍ନ ବୁଣି, ଆଖିରେ ନୂଆ ରଂଗ ମାଖି ଲେଖାଲେଖି କରିବାକୁ ପ୍ରେରଣା ଦିଏ । ତରୁଣ ଲେଖକମାନେ ହେଉଛନ୍ତି ସାହିତ୍ୟ ସାଳନ୍ଦୀର ନୂଆ ସ୍ରୋତ । ସ୍ରୋତ କମିଗଲେ ଯେମିତି ନଈ ଶୁଖିଯାଏ, ନବପ୍ରତିଭାମାନେ ସାମ୍ନାକୁ ନଆସିଲେ ସାହିତ୍ୟର ଧାରା ଶିଥିଳ ହେଇଯାଏ । ସାଳନ୍ଦୀ ବହିମେଳାର ଷଷ୍ଠ ସନ୍ଧ୍ୟାରେ ‘ଟାଇମପାସ’ ପ୍ରକାଶନୀ ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମ ‘ତରୁଣ ତରଙ୍ଗ’ରେ ଯୋଗଦେଇ ଅତିଥିମାନେ ଏଭଳି ମତପୋଷଣ କରିଛନ୍ତି । ସାହିତ୍ୟର ତରୁଣ ପ୍ରତିଭାମାନଙ୍କୁ ଉତ୍ସାହିତ କରିବାପାଇଁ ଆୟୋଜିତ ଏହି କର୍ମଶାଳାରେ ଅଧ୍ୟାପକ ଓ ପ୍ରାବନ୍ଧିକ ବିଶ୍ୱରଂଜନ ଦାସ, କବି ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ-ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, କବି ଚିତ୍ତରଞ୍ଜନ ନାୟକ ପ୍ରମୁଖ ବିଚାରକ ତଥା ସମୀକ୍ଷକ ଭାବେ ଯୋଗଦେଇ ସହଭାଗୀମାନଙ୍କ ସହ କଥୋପକଥନ କରିବା ସହ ସେମାନଙ୍କ କୃତିର ସମୀକ୍ଷା କରିଥିଲେ ।

ଲେଖକ-ପ୍ରକାଶକ ସରୋଜ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ମିଶ୍ର, ଭାଗୀରଥି ସେନାପତି, ବିଚିତ୍ରାନନ୍ଦ ଜେନା, ବିଜୟ ବାରିକ, ବିସ୍ମୟ ବିହାରୀ ସାହୁ, ଚନ୍ଦନ କୁମାର ଦାସ, ଦୀପିକା ପେରେଇ, ଜ୍ୟୋତିର୍ମୟ ଜ୍ୟୋତିରଞ୍ଜନ ନାୟକ, କୈବଲ୍ୟ ନାୟକ, ନିଖିଳେଶ ମିଶ୍ର, ଓମ୍ ପ୍ରକାଶ ବିଶ୍ୱାଳ, ପତିତପାବନ ପାଣି, ସଂଗ୍ରାମ ମହାରଣା, ସଞ୍ଜୟ ପଣ୍ଡା, ସ୍ୱପ୍ନାଜିତା ଶଙ୍ଖୁଆ, ସରୋଜିନୀ ଶଙ୍ଖୁଆ, ସସ୍ମିତା ଘୋଷ୍‌, ସିପୁନୁ ଜେନା ଏବଂ ସ୍ନେହଲତା ନନ୍ଦ ପ୍ରମୁଖ ତରୁଣ ଲେଖକ-ଲେଖିକା ଯୋଗଦେଇ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ । ଉତ୍ସବରେ ଯୁବ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଶ୍ରେଷ୍ଠ ତିନୋଟି ଲେଖାର ଲେଖକଙ୍କୁ ଟାଇମପାସ ଦ୍ୱାରା ପୁରସ୍କୃତ କରାଯାଇଥିଲା ଓ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅଧ୍ୟାପକ ବିଶ୍ୱରଂଜନ ଦାସଙ୍କ ନିବନ୍ଧ ସଂକଳନ ‘ପାଦର ଭାର’ ବହିମେଳାର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଂପାଦକ ଅଭିଜିତ୍ ନାୟକ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ ଚଳିତବର୍ଷର ମର୍ଯ୍ୟଦାଜନକ ସାଳନ୍ଦୀ ବହିମେଳା ପୁରସ୍କାର ପାଇବେ ବୋଲି ଘୋଷଣା କରିବା ସହ ୭ ତାରିଖରେ ଭାଗବତ କଲ୍ୟାଣମଣ୍ଡପ ଠାରେ ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବି ଫନୀ ମହାନ୍ତି ଓ ହ୍ୟାପି ଏଣ୍ଡିଂରେ ବିଶିଷ୍ଠ ବ୍ୟଂଗକାର ସତ୍ୟାନାଶ ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.