Home Top News ଜୀବନ ବଦଳାଇବ : ସକ୍ରେଟିସ୍ ଙ୍କ ତିନୋଟି ପରୀକ୍ଷା

ଜୀବନ ବଦଳାଇବ : ସକ୍ରେଟିସ୍ ଙ୍କ ତିନୋଟି ପରୀକ୍ଷା

149

ପ୍ରାତଃ ଭ୍ରମଣ ସମୟରେ ବନ୍ଧୁ ଙ୍କ ସହିତ ଦେଖା ହୋଇଗଲା। ବନ୍ଧୁଙ୍କ ଅନୁରୋଧ କ୍ରମେ ସେଦିନ ଏକ ନୂଆ ରାସ୍ତା ଦେଇ ଭ୍ରମଣ କରିବାକୁ ପଡିଲା। ଏମିତି ଚାଲୁ ଚାଲୁ ଦେଖିଲି କେତେକ ଲୋକ ରାସ୍ତା କଡରେ ବସି କିଛି ଆଲୋଚନା କରୁଥିବାର ଦୃଶ୍ୟ। ବନ୍ଧୁଙ୍କୁ ପଚାରିଲି, ପ୍ରାତଃ ଭ୍ରମଣ ସମୟରେ ଏମାନେ କି ଆଲୋଚନା କରୁଛନ୍ତି? ବନ୍ଧୁ କହିଲେ, ଆଜି ନୂଆ ନୁହେଁ ଏମାନେ ପ୍ରତିଦିନ ଏମିତି ଏଠି ସଖାଳୁ ବସିଥାନ୍ତି, ମୋତେ ବି ଥରେ ଡାକି ବସେଇଥିଲେ। ମୁଁ କହିଲି, ଯଦି କିଛି ଆଧ୍ୟାତ୍ମିକ ଆଲୋଚନା କିମ୍ବା ଜ୍ଞାନ ବିଜ୍ଞାନ କିମ୍ବା ଦେଶ ବିଦେଶ ବିଷୟରେ ଆଲୋଚନ କରୁଥିବେ, ଶୁଣିଲେ ଅସୁବିଧା କ’ଣ? ସକାଳୁ ସକାଳୁ ପ୍ରାତଃ ଭ୍ରମଣ ହୁଅନ୍ତା ଆଉ ସେମାନଙ୍କର ଆଲୋଚନାରେ ଭାଗନେଲେ କିଛି ନୂଆ କଥା ଜାଣିବାକୁ ମିଳନ୍ତା। ବନ୍ଧୁ ଟିକେ ବିରକ୍ତି ପ୍ରକାଶ କରି କହିଲେ, ପ୍ରାତଃ ଭ୍ରମଣ ସମୟ ଚାଲିବାକୁ ଆସିଛି, ବସିବି କାହିଁକି? ସେମାନେ ଯାହା ସବୁ ଆଲୋଚନା କରନ୍ତି, ମୋତେ ଭଲ ଲାଗେନି। ସକାଳୁ ସକାଳୁ ଏମିତିକା ଆଲୋଚନରେ ଭାଗ ନେଲେ କିମ୍ବା ଶୁଣିଲେ, ଦିନଟା ବେକାର ହେଇଯିବ, କଥାରେ ଅଛି, ସକାଳ ଦିନ ଦେଖାଏ। ମୁଁ ପଚାରିଲି, ସେମାନେ ଏମିତି କି ଆଲୋଚନା କରୁଛନ୍ତି କି? ବନ୍ଧୁ ଉତ୍ତର ଦେଲେ, କିଏ କୋଉଠି ଘର କଲେ? କିଏ ଗାଡି କିଣିଲା? କାହା ପାଖରେ ଅଧିକ ଟଙ୍କା ଅଛି? କିଏ କୃପଣ, ଟଙ୍କା ରଖିଛି କିନ୍ତୁ ଖର୍ଚ୍ଚ କରୁନି? କୋଉଠି ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେଉଛି? କାହାର ବାହାଘର ଭାଙ୍ଗିଗଲା? କାହାର ପୁଅ କେଉଁ ଝିଅକୁ ନେଇ ଫେରାର ହୋଇଯାଇଛି? କିଏ ଖରାପ, କିଏ ଭଲ? ଏମାନେ ଏଠି ସକାଳୁ ବସି ସାର୍ଟିଫିକେଟ ଦିଅନ୍ତି। କିଛି ଭଲ କଥା ଆଲୋଚନା କରୁନାହାନ୍ତି, କେବଳ ପର ନିନ୍ଦା ପର ଚର୍ଚ୍ଚା ସକାଳୁ ଆରମ୍ଭ କରିଦିଅନ୍ତି। ଏସବୁ କଥା ବନ୍ଧୁ ଙ୍କ ଠାରୁ ଶୁଣିବା ପରେ ମୁଁ କହିଲି ଯାହା ହଉ ସକାଳୁ ସକାଳୁ ଏମାନେ ନୂଆ ପ୍ରକାର ର ପ୍ରାତଃ ଭ୍ରମଣ କରୁଛନ୍ତି। ସମାଜରେ ଏମାନେ କେବଳ ଏମିତିକା ଆଲୋଚନା କରୁନାହାନ୍ତି, ଅନେକ ଅଛନ୍ତି ସେମାନେ ସର୍ବଦା ଅନ୍ୟର ନିନ୍ଦା ଆଉ ଅନ୍ୟ ବିଷୟରେ ଚର୍ଚ୍ଚା କରିବାକୁ ଭଲ ପାଆନ୍ତି।

ସାଧାରଣତଃ ଅନେକ ଲୋକଙ୍କୁ ନିଜର ଦୋଷ ଦୁର୍ବଳତା ବହୁତ କମ ଦିଶି ଥାଏ। ଏମିତିକି କିଛି ଲୋକଙ୍କୁ ନିଜର ଦୋଷ ଦୁର୍ବଳତା ଆଦୌ ଦେଖା ଯାଏନି। କିନ୍ତୁ ଅନ୍ୟର ଛୋଟ ଛୋଟ ଭୁଲ୍ ଅତି ପରିଷ୍କାର ଦିଶି ଥାଏ। ଗୋଟିଏ ମଣିଷର ଅନେକ ଗୁଡିଏ ଭଲ ଗୁଣ ଥାଉ ପଛକେ ଯଦି ଗୋଟେ କ’ଣ ମନ୍ଦ ଗୁଣ ଜଣାପଡିଲା। ସେହି ମନ୍ଦ ଗୁଣ ସହିତ ଆଉ କିଛି ନିଜସ୍ୱ ମସଲା ମିଶାଇ ଲୋକକଙ୍କ ଆଗରେ ବଖାଣିବାକୁ ଏମାନେ ଭଲ ପାଇଥାନ୍ତି। ସୋରିଷକୁ ମେରୁ ରୂପ ଦେବାକୁ ଏମାନଙ୍କୁ ବେଶି ସମୟ ଲାଗେନି। କିଛି ଲୋକ ଅଛନ୍ତି ଯେ ସେମାନେ ଏମିତି ଅଭ୍ୟାସ ରେ ପଡିଯାଇଥାନ୍ତି ଯେ ଘରେ ପିଲାମାନଙ୍କ ଆଗରେ ପର ନିନ୍ଦା ଓ ପର ଚର୍ଚା କରିଥାନ୍ତି। ଯାହା ଫଳରେ ପିଲାମାନେ ମଧ୍ୟ ତାଙ୍କର ଭବିଷ୍ୟତ ଜୀବନରେ ସେହି ଗୁଣ ପ୍ରବୃତ୍ତିକୁ ଆପଣେଇଥାନ୍ତି। ପର ନିନ୍ଦା କରିବା ପୂର୍ବରୁ ଟିକେ ନିଜ ଆଡ଼କୁ ଦେଖିବା କଥା। ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲା ବେଳେ କେମିତି ତିନିଟି ନିଜ ଆଡ଼କୁ ଇଙ୍ଗିତ କରୁଛନ୍ତି। ପର ଚର୍ଚ୍ଚା କରିବା ଦ୍ୱାରା ଆମକୁ କିଛି ସମୟ ଆନନ୍ଦ ମିଳିପାରେ କିନ୍ତୁ ଚିନ୍ତା କରିବା ଦରକାର ଯେ ଏହା ଦ୍ୱାରା ଯେମିତି କାହାର କ୍ଷତି ନହୁଏ। ପଛରେ ଥାଇ କାହାରି ଭଲ ଗୁଣ ବି ଆଲୋଚନା କରାଯାଇ ପାରେ। ଶାସ୍ତ୍ର କହେ ଯଦି କାହାର ଖୁଣ ଦେଖୁଛ, ସାମ୍ନା ରେ କହି ତାଙ୍କୁ ସୁଧାରିବାକୁ ଚେଷ୍ଟା କର ଆଉ ଯଦି କାହାର ଭଲ ଗୁଣ ଦେଖୁଛ ପଛରେ ତାର ପ୍ରଶଂସା କରି ତାର ମାନ ବଢ଼ାଅ, ଏହା ହିଁ ହେଉଛି ଜଣେ ଶୁଭ ଚିନ୍ତକର ପରିଭାଷା। ମାତ୍ର ଏପରି ଲୋକ ଅଛନ୍ତି? ଏମାନେ ଏମିତି ନିନ୍ଦା ପ୍ରଚାର କରନ୍ତି ଯେ ଅନ୍ୟର ସାମାଜିକ ଜୀବନ ଛାରଖାର କରିଦିଅନ୍ତି। ଅନ୍ୟକୁ ଈର୍ଷା କରିବା, ନିଜକୁ ଉଚ୍ଚ ଦେଖେଇ ହବା, ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ଓ କିଛି ସ୍ୱାର୍ଥ ପୁରଣ କରିବା ପାଇଁ ଏମାନେ ପର ନିନ୍ଦା ପର ଚର୍ଚ୍ଚା କୁ ଆପଣେଇଥାନ୍ତି। ପର ନିନ୍ଦା ନ କଲେ ତ ଏମାନଙ୍କର ଖାଦ୍ୟ ହଜମ ହୁଏନି। ପର ନିନ୍ଦା ଯେ ଏକ ପ୍ରକାର ଦୁର୍ନୀତି, ଏହା କେହି ବୁଝନ୍ତି ନାହିଁ। ସେମାନେ ବୁଝିବା ଦରକାର ଯେ ଅନ୍ୟକୁ କଷ୍ଟ ଦେଲା ଭଳି କଥା କହିବା ମଧ୍ୟ ପାପ ଅଟେ। ଏଣୁ କାହାର ଉପକାର କଲେ କ’ଣ ଫଳ ମିଳେ? ଆଉ ଅପକାର କଲେ କ’ଣ ହୁଏ? ମହର୍ଷି ବ୍ୟାସଦେବଙ୍କ ବାଣୀ କୁ ଅନୁସରଣ କରିବା କଥା “ଅଷ୍ଟାଦଶ ପୁରାଣେଷୁ ଵ୍ୟାସସ୍ୟ ଵଚନ ଦ୍ଵୟମ୍, ପରୋପକାରଃ ପୁଣ୍ୟାୟ ପାପାୟ ପରପୀଡନମ୍”।

ପରା ନିନ୍ଦା କରୁଥିବା ଲୋକଟି ଦୋଷୀ ଅଟେ, କିନ୍ତୁ ଶୁଣୁଥିବା ଲୋକଟି କ’ଣ ଦୋଷୀ ନୁହେଁ କି? ଯଦି ଶୁଣୁଥିବା ଲୋକଟି ଶୁଣିବାକୁ ଅନିଚ୍ଛା ପ୍ରକାଶ କରନ୍ତେ, ତେବେ କହୁଥିବା ଲୋକଟି କ’ଣ କରନ୍ତା? ପର ନିନ୍ଦା ପର ଚର୍ଚ୍ଚା ନଶୁଣିବା ପାଇଁ ମହାନ ଦାର୍ଶନିକ ସକ୍ରେଟିସ୍ ଏକ ସୁନ୍ଦର ଉପାୟ ବାହାର କରିଥିଲେ।

ଦିନେ ସକ୍ରେଟିସ୍ ଙ୍କୁ ଜଣେ ବ୍ୟକ୍ତି କହିଲେ ମୁଁ ତୁମର ଜଣେ ଛାତ୍ର ବିଷୟରେ କିଛି କଥା ଶୁଣିଥିଲି, ତେଣୁ ଆପଣଙ୍କୁ କହିବାକୁ ଆସିଛି। ସକ୍ରେଟିସ୍ ଉତ୍ତର ଦେଲେ, ତୁମେ ମୋ ଛାତ୍ର ବିଷୟରେ ମୋତେ କିଛି କହିବା ପୂର୍ବରୁ ତୁମକୁ ତିନୋଟି ପରୀକ୍ଷା ଦେବାକୁ ପଡିବ।

ପ୍ରଥମ ପରୀକ୍ଷା ହେଉଛି, ଆପଣଙ୍କ କଥାରେ କେତେ ସତ୍ୟତା ଅଛି? ତୁମେ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କି, ତୁମେ ଯାହା କହିବାକୁ ଯାଉଛ ତାହା ସତ?

ଲୋକଟି କହିଲା, ମୁଁ କେବଳ ଜଣେ କହୁଥିବାର ଶୁଣିଛି। ସକ୍ରେଟିସ୍ କହିଲେ, ଆପଣ ପ୍ରକୃତରେ ଜାଣି ନାହାଁନ୍ତି, ଏହା ସତ କି ନୁହେଁ? ବର୍ତ୍ତମାନ ଚାଲନ୍ତୁ ଦ୍ୱିତୀୟ ପରୀକ୍ଷା କରିବା, ଯାହାକି ଉତ୍ତମତାର ପରୀକ୍ଷା। ତୁମେ ଯାହା କହିବାକୁ ଆସିଛ ତାହା ଭଲ କି? ଲୋକଟି ଉତ୍ତର ଦେଲା, ନା ସେମିତି କିଛି ନୁହେଁ। ସକ୍ରେଟିସ୍ କହିଲେ, ଆପଣ ମୋ ଛାତ୍ର ବିଷୟରେ ମୋତେ କିଛି ଖରାପ କଥା କହିବାକୁ ଆସିଛନ୍ତି କିନ୍ତୁ ଆପଣ ନିଶ୍ଚିତ ନୁହଁନ୍ତି ଯେ ଏହା ସତ କି ମିଛ? ଲୋକଟି ନିରୁପାୟ ହୋଇ ଚାହିଁ ରହିଥାଏ। ସକ୍ରେଟିସ୍ କହିଲେ, ଚିନ୍ତା କରନ୍ତୁ ନାହିଁ, ଆପଣ ତଥାପି ପାସ୍ କରିପାରନ୍ତି, କାରଣ ତୃତୀୟ ପରୀକ୍ଷାଟି ବି ଅଛି, ଯାହାକି ଉପଯୋଗୀତାର ପରୀକ୍ଷା। ତୁମେ ମୋତେ ଯାହା କହିବାକୁ ଚାହୁଁଛ ତାହା ମୁଁ ଶୁଣିଲେ ମୋ ପାଇଁ ଉପକାରୀ ହେବ କି? ଲୋକଟି ଉତ୍ତର ଦେଲା, ନା ଆଜ୍ଞା, ସେମିତି କିଛି ଆପଣଙ୍କ ଉପକାର ରେ ଲାଗିବନି। ସକ୍ରେଟିସ୍ କହିଲେ, ତୁମେ ମୋତେ ଯାହା କହିବାକୁ ଆସିଛ ତାହା ସତ ନୁହେଁ, ଭଲ ବି ନୁହେଁ କି ମୋ ପାଇଁ ଉପଯୋଗୀ ନୁହେଁ, ତେବେ ମୋତେ ଏହା କହିବ କାହିଁକି? ଆଉ ମୁଁ ଶୁଣିବି କାହିଁକି? ଲୋକଟି ଲଜ୍ଜିତ ହେଲା ଓ ଆଉ କିଛି କହିପାରିଲା ନାହିଁ। ତେଣୁ ଆମେ ଯଦି ସକ୍ରେଟିସ୍ ଙ୍କ ତିନୋଟି ପରୀକ୍ଷାକୁ ଆପଣେଇବା ତା ହେଲେ ପର ନିନ୍ଦା ପର ଚର୍ଚ୍ଚା କରୁଥିବା ଲୋକଟି ଆଉ କାହା ପାଖରେ ଏମିତି କରିବାକୁ ସାହସ କରିବ ନାହିଁ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.