Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳିତ

19

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁରାରୋଗ୍ୟ ଏଡ୍‌ସ ଠାରୁ ଦୂରେଇ ରହିବା ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତାରିଖ ବିଶ୍ୱ ସ୍ତରରେ ପାଳନ କରାଯାଇ ଆସୁଥିବା ବିଶ୍ୱ ଏଡ୍‌ସ ଦିବସ-୨୦୨୨କୁ ଆଜି ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯାଇଅଛି। ଏହି ପାଳନ ଅବସରରେ ଭଦ୍ରକ ଏସ୍‌.ପି. ଚରଣ ସିଂ ମୀନାଙ୍କ ଦ୍ୱାରା ଗାନ୍ଧୀପଡ଼ିଆରେ ଏକ ସଚେତନତା ରାଲି ଉଦ୍‌ଘାଟନ କରାଯାଇଥିଲା। ଏହି ରାଲି ଜିଲ୍ଲା ସଂସ୍କୃତି ଭବନ ଠାରେ ସମାପ୍ତ ହୋଇଥିଲା। ସେଠାରେ ସଚେତନତା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ସୂଚନା ରଥକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପତାକା ପ୍ରଦର୍ଶନ ପୂର୍ବକ ପରିକ୍ରମା ପାଇଁ ଶୁଭାରମ୍ଭ କରିଥିଲେ। ପରେପରେ ଜିଲ୍ଲା ସଂସ୍କୃତି ଭବନରେ ସଚେତନତାଧର୍ମୀ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏଡ୍‌ସ ରୋଗର ନିରାକରଣ ଦିଗରେ ଅଧିକରୁ ଅଧିକ ସଚେତନତା ହିଁ ପ୍ରଭାବଶାଳୀ ହେବ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏ.ଡି.ପି.ଏଚ୍‌.ଓ. ଡା. ସନ୍ତୋଷ କୁମାର ପୃଷ୍ଟି, ଡି.ପି.ଏମ୍‌., ଏନ୍‌.ଏଚ୍‌.ଏମ୍‌. ସରିତା ମହାପାତ୍ର, ଡି.ପି.ଏମ୍‌., ଡି.ଏ.ପି.ସି.ୟୁ. ଦେବବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। କଲେଜ ପିଲାଙ୍କ ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍‌, ନୁହାସ, କେ.ଏନ୍‌.ପି.+, ଆହନାର କର୍ମକର୍ତ୍ତା ଓ ଅନ୍ତେବାସୀ ଏଥିରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.