Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ, ସମସ୍ତ ଆଶ୍ରୟସ୍ଥଳୀରେ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍‌ଧ...

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ, ସମସ୍ତ ଆଶ୍ରୟସ୍ଥଳୀରେ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍‌ଧ ଉପରେ ଗୁରୁତ୍ୱାରୋପ

57

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍‌, ଉଦ୍ଧାର, ଥଇଥାନ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସୁପରିଚାଳନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଅନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଯୋଗାଣ ବୋର୍ଡ଼ର ଅଧ୍ୟକ୍ଷ ବିଧାୟକ ଚାନ୍ଦବାଲି ଡ. ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ଜିଲ୍ଲାପରିଷଦର ସଭାପତି ପ୍ରଫୁଲ୍ଲ କୁମାର ଜେନା, ପୂର୍ବତନଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ପ୍ରତାପ ପ୍ରିତୀମୟ ଯୋଗଦେଇ ଆଲୋଚନାରେ ସମସ୍ୟା ଓ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ । ବିପର୍ଯ୍ୟୟ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ପାୱାର ପଏଣ୍ଟ ଜରିଆରେ ଉପସ୍ଥାପନ କରିଥିଲେ ଏବଂ ସେହି ଆଧାରରେ ସମୀକ୍ଷା କରାଯାଇଥିଲା ।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଜୋନ୍‌, ସବ୍‌ଜୋନ୍ ଗଠନ ଓ ସଂପୃକ୍ତ ଅଧିକାରୀ ମାନଙ୍କୁ ଦାୟିତ୍ୱ ଅର୍ପଣ, ସରକାରୀ ଯନ୍ତ୍ର ଚାଳିତ ଡ଼ଙ୍ଗାର ସ୍ଥିତି, ନିୟନ୍ତ୍ରଣ କକ୍ଷ, ଅସ୍ଥାୟୀ ବେତାର କେନ୍ଦ୍ର, ଦୁର୍ବଳ ନଦୀବନ୍ଧ ଚିହ୍ନଟ ଓ ପ୍ରତିକାର, ପାନୀୟ ଜଳ ଯୋଗାଣ, ବର୍ଷାଜଳ ନିଷ୍କାସନ, ଦୁର୍ଗମ ସ୍ଥାନରେ ଖାଦ୍ୟ, ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍‌, ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଆଗୁଆ ପଦକ୍ଷେପ, ପଶୁ ଚିକିତ୍ସା ଓ ପଶୁଖାଦ୍ୟ ମହଜୁଦ୍‌, କୃଷି, ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀର ମରାମତି, ବର୍ଷା ପରିମାପକ ଯନ୍ତ୍ରର ଅବସ୍ଥା ଆଦି ସମ୍ବନ୍ଧରେ ପଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ତଦ୍‌ଜନିତ ସମସ୍ୟାର ସମାଧାନ ଓ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ବିଶେଷ କରି ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ବେଳେ ସ୍ଥାନାନ୍ତର ପ୍ରକ୍ରିୟାରେ ହଜାର ସଂଖ୍ୟାରେ ଲୋକଙ୍କୁ ଆଣି ବାତ୍ୟାଶ୍ରୟରେ ରଖାଯିବା ସମୟରେ ପାନୀୟ ଜଳ, ଶୈାଚାଳୟ, ରନ୍ଧାଖାଦ୍ୟ ଓ ଚୂଡ଼ା ପ୍ରଦାନରେ ଘୋର ଅସୁବିଧା ଦେଖାଦେଉଥିବା ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାୟ ଉତ୍‌ଥାପନ କରିଥିଲେ । ଏହି ସମୟରେ ଜନସାଧାରଣ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ଉପରେ ହିଁ ନିର୍ଭର ଶୀଳ ହୋଇଥାନ୍ତି ବୋଲି ସେ ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଭଦ୍ରକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନାରେ ସର୍ବଶ୍ୟେଷ୍ଠ ଜିଲ୍ଲା ହେଉବୋଲି ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀଯୁକ୍ତ ସାମଲ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାରେ ପାଣିପାଗ କେନ୍ଦ୍ର ସ୍ଥାପନ ନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ସାଂସଦ ଶ୍ରୀମତୀ ମଣ୍ଡଳ ସୂଚନା ପ୍ରଦାନ କରିଥିଲେ । ନାଜର ନଳା ସଫେଇ ଏବଂ ଅଧିକ ବର୍ଷାଜଳ ନିଷ୍କାସନ ପାଇଁ ମ୍ୟୁନିସ୍‌ପାଲିଟି, ଡ଼୍ରେନେଜ ଓ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ୍ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଆଲୋଚନା ଅନୁଯାୟୀ ସମସ୍ତ ନିଷ୍ପତ୍ତି ଉପରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବା ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ ପ୍ରସ୍ତୁତିର ଆବଶ୍ୟକତା ଅଛିବୋଲି ବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ରାୟ ପ୍ରକାଶ କରିଥିଲେ ।

କେତେକ ଆଶ୍ରୟ ସ୍ଥଳକୁ ଆପ୍ରୋଚରୋଡ଼ ନଥିବା, ଲୁଣା ହାୱା ଯୋଗୁଁ ନଷ୍ଟ ହେଉଥିବା ଆଶ୍ରୟସ୍ଥଳୀକୁ ଉପଯୁକ୍ତ ରକ୍ଷଣା ବେକ୍ଷଣା ଦିଗରେ ଧ୍ୟାନଦେବା ପାଇଁ କୁହାଯାଇଥିଲା । ବନ୍ୟା ସମସ୍ୟା ଦୂରପାଇଁ ନଦୀବନ୍ଧ ଚିହ୍ନଟ କରାଯାଇ ପ୍ରତିକାର କରାଯିବା ଓ ବିଶେଷ କରି ମନୁଷ୍ୟ ଓ ପ୍ରାଣୀମାନଙ୍କ ପାଇଁ ସାପକାମୁଡ଼ା ଜନିତ ଚିକିତ୍ସା ପାଇଁ ଯେଥେଷ୍ଟ ଔଷଧ ମହଜୁଦ୍ ପାଇଁ ସୁରଜ ସୂର୍ଯ୍ୟବଂଶୀ ପ୍ରସ୍ତାବ ଦେଇଥିଲେ । ବୈଠକରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିପର୍ଯ୍ୟୟ ସୁପରିଚାଳନା ପାଇଁ ଭଦ୍ରକ ଜିଲ୍ଲାକୁ ୧୨ଟି ଜୋନରେ ଭାଗ କରାଯାଇଛି । ୭ ଟି ବ୍ଲକ୍ ୪ ଟି ପୌରାଞ୍ଚଳ ଓ ଧାମରାକୁ ଗୋଟି ଗୋଟିଏ ଜୋନ୍ ଭାବେ ନିଆଯାଇଛି । ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ୬୦ଟି, ବନ୍ୟା ଆଶ୍ରୟ ସ୍ଥଳୀ ୨୪ଟି, ଏସ୍‌.ଆର.ସିଙ୍କ ଅଧିନରେ ଏବଂ ରେଡ଼କ୍ରସ ବାତ୍ୟାଶ୍ରୟସ୍ଥଳୀ ୨୦ଟି ସମୁଦାୟ ୧୦୪ ଟି ଆଶ୍ରୟସ୍ଥଳୀକୁ ବ୍ୟବହାର ପାଇଁ ପ୍ରସ୍ତୁତ ରଖାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟପାଇଁ ୩୩ ଟି ସରକାରୀ ଯନ୍ତ୍ରୀଚାଳିତ ଡ଼ଙ୍ଗା ଠିକ୍ ଥିବାବେଳେ ଦେଶିଡ଼ଙ୍ଗା ମଧ୍ୟ ଯୋଗାଯୋଗରେ ରଖାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି ପ୍ରାରମ୍ଭିକ ସୂଚନା ଦେବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସମସ୍ତ ବ୍ଳକ ଓ ପୌରାଞ୍ଚଳ ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲାପରିଷଦ ସଦସ୍ୟ, ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ବିଭାଗୀୟ କର୍ମଚାରୀ ଅମ୍ଳାନ ଅମିତାଭ ସେନାପତି, ଅରବିନ୍ଦ ବେହେରା, ଭାବଗ୍ରାହୀ ପଣ୍ଡା ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.