Home କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରାସ୍ତାର ଅବସ୍ଥା ଶୋଚନୀୟ

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରାସ୍ତାର ଅବସ୍ଥା ଶୋଚନୀୟ

28

କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଲଗାଣ ବର୍ଷା ଛାଡିବା ପ୍ରାୟ ୨୦ଦିନ ବିତିଗଲାଣି। କିନ୍ତୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସଂଯୋଗ ରାସ୍ତାରୁ ପାଣି ନିଷ୍କାସନ ହୋଇପାରୁନଥିବାରୁ ସେହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଛିଡାହୋଇଛି। ଫଳରେ ସେହି ରାସ୍ତାଦେଇ ଲୋକମାନେ ଯାତୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ ପାଚେରୀ ନିକଟରୁ ଶ୍ରମ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ସେହି ରାସ୍ତାରେ ଏବେବି ବର୍ଷାଜଳ ଜମିରହିଥିବା ଦେଖାଯାଇଛି। ସେଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମେତ ଚକବନ୍ଦୀ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି। ଉଭୟ କାର୍ଯ୍ୟାଳୟକୁ ଯିବା ନିମନ୍ତେ ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଲୋକ ସେହି ଦୁଇ କାର୍ଯ୍ୟାଳୟକୁ ଯିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଆଇନ କଲେଜ ରାସ୍ତା ଓ ଶ୍ରମ କାର୍ଯ୍ୟାଳୟ ରାସ୍ତା ଦେଇ ଦୈନିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ କଲେଜ ଏବଂ କାର୍ଯ୍ୟାଳୟକୁ ଯାଆ ଆସ କରିବାରେ ଗୁରୁତର ବାଧା ଉପୁଜିଛି। ଏତଦବ୍ୟତିତ ସେହି ଅଞ୍ଚଳରେ ବିଦ୍ୟାଳୟ, ଆଇନ୍ ମହାବିଦ୍ୟାଳୟ, ଶ୍ରମ କାର୍ଯ୍ୟାଳୟ, ଚକବନ୍ଦୀ କାର୍ଯ୍ୟାଳୟ ସମେତ ୩୦ରୁ ଅଧରକ ବାସଗୃହ ଥିବାରୁ ବହୁ ଶିକ୍ଷତ ଓ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ସେ ଅଞ୍ଚଳରେ ବସବାସ କରୁଛନ୍ତି। ହେଲେ ଏବେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି। କାରଣ ରାସ୍ତା ଭଲ ଭାବେ ନିର୍ମାଣ ହୋଇ ନାହିଁ। ତେଣୁ ବର୍ଷା ହେଲେ ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇ ପଡେ। ଏ ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉ ନ ଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିକଟରେ ଓଏଏସ୍ ଅଧିକାରୀ ତଥା ଅତିରିକ୍ତ ଉପଜିଲାପାଳ ଡ଼ଃ. ବିରଜା ରାଉତରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେଠାରେ ଥିବା ଚକବନ୍ଦୀ କାର୍ଯ୍ୟାଳୟକୁ ଚକବନ୍ଦୀ ଅଧିକାରୀ ଭାବେ ବଦଳି କରାଯାଇଛି। ଏହି କାର୍ଯ୍ୟାଳୟଟି ଶ୍ରମ କାର୍ଯ୍ୟାଳୟ ଉପର ମହଲାରେ ରହିଛି। ସେ ଜଣେ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତି। ସେ ଚାଲି ପାରନ୍ତି ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ହେଲେ ହୁଇଲ ଚେୟାରର ସହଯୋଗ ନେଇଥାନ୍ତି। ତେଣୁ ଏଭଳି ପରିସ୍ଥିତିରେ ଶ୍ରୀ ରାଉତରାୟ କାର୍ଯ୍ୟାଳୟକୁ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ. ରାମଚନ୍ଦ୍ର ବେହେରା ମଧ୍ୟ ସେହି ଗଳିରେ ରହୁଛନ୍ତି। ଜଣେ ସାରସ୍ୱତ ସ୍ରଷ୍ଟାଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଏ ହେଉଛି ସମ୍ମାନ। ଥରେ ବର୍ଷା ହେଲେ ସେହି ରାସ୍ତାରେ ମାସାଧିକ କାଳ ପାଣି ଜମି ରହିଥାଏ। ତେଣୁ ସେହି ରାସ୍ତାରୁ ପାଣି ନିଷ୍କାସନ ସହିତ ତୁରନ୍ତ ଢଳେଇ ରାସ୍ତା ନିର୍ମାଣ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.