Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ, ବାଳିକାମାନେ ସଶକ୍ତ ଓ ପ୍ରଚଣ୍ଡ ପ୍ରତିଭାର...

ଜିଲ୍ଲାସ୍ତରୀୟ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ, ବାଳିକାମାନେ ସଶକ୍ତ ଓ ପ୍ରଚଣ୍ଡ ପ୍ରତିଭାର ଅଧିକାରିଣୀ

9

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନ ପରିସରରେ ବେଟି ବଚାଓ, ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ “କଲେକ୍ଟର କି କ୍ଲାସ୍‌” ଶୀର୍ଷକ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ବାଳିକାମାନେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭାଗନେବା ସହ କୃତୀତ୍ୱ ଅର୍ଜନ କରିଥିବା ବାଳିକାମାନଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରଥମାର୍ଦ୍ଧରେ ଆୟୋଜିତ ଉଦ୍‌ଘାଟନ ପର୍ବରେ ମୁଖ୍ୟ ଅତିଥି ରୂପେ ଶିଶୁମଂଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ସମ୍ମାନୀତ ଅତିଥି ରୂପେ ପ୍ରାକ୍ତନ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡା. ସୁଦର୍ଶନ ବାରିକ, ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଜିଲ୍ଲା କର୍ମନିୟୋଜନ ଅଧିକାରିଣୀ ଅନିତା ନାୟକ, ପ୍ରମୂଖ ଯୋଗଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ସଂଚାଳିତ ସଭାରେ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରିଥିଷଲ । ଭଦ୍ରକ ମହିଳା ମହାବିଦ୍ୟାଳୟ, ଭଣ୍ଡାରିପୋଖରୀ ମହାବିଦ୍ୟାଳୟ, ତୃପ୍ତି ମହିଳା ମହାବିଦ୍ୟାଳୟ ଓ ଆଞ୍ଚଳିକ ମହିଳା ମହାବିଦ୍ୟାଳୟ, ଅସୁରାଳି ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ଏକକ ଅଭିନୟ ଓ ଦକ୍ଷତା ବିକାଶ ବିଦ୍ୟା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦକ୍ଷ ବିଚାରକ ମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଦ୍ୱିତୀୟାର୍ଦ୍ଧ ଉଦ୍‌ଯାପନୀ ପର୍ବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାମଦାସ ଟୁଡ଼ୁଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଶ୍ରୀ ଟୁଡ଼ୁ ବାଳିକାମାନଙ୍କ ଉଦ୍ଦେଶ୍ୟରେ ନିଜ ଜୀବନର ଅନୁଭୂତି ଏବଂ ସଫଳତା କାହାଣୀ ବର୍ଣ୍ଣନା କରିଥିଲେ । ପ୍ରତ୍ୟକ ବାଳିକାମାନେ ଜ୍ଞାନର ଉତ୍ସ ଏବଂ ସଶକ୍ତ ପ୍ରଚଣ୍ଡ ପ୍ରତିଭାର ଅଧିକାରିଣୀ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ପାଣିଗ୍ରାହୀ ରବିନ୍ଦ୍ର ନାଥଙ୍କ ଜୀବନ ଶୈଳୀରେ ନାରୀମାନଙ୍କ ଭୂମିକା ଏବଂ ଛାତ୍ରୀମାନଙ୍କ ଅଧ୍ୟବସାୟ ଶିଖରକୁ ସ୍ପର୍ଶ କରିପାରେ ବୋଲି ମତପୋଷଣ କରିଥିଲେ । ସେହିପରି ମୁଖ୍ୟ ଅତିଥି ଡ଼ା. ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବାଳିକାମାନେ ଚାହିଁଲେ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିପାରିବେ ବୋଲି କହିଥିଲେ । ଡ. ବାରିକ ବକ୍ତବ୍ୟରେ ବାଳିକାମାନଙ୍କର ଅନ୍ତନିର୍ହିତ ଗୁଣ ତାଙ୍କ ଭିତରେ ସୁପ୍ତ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ଏହି କାର୍ଯ୍ୟକ୍ରମ ବାଳିକା ମାନଙ୍କୁ ଉତ୍ସାହିତ କରିବା ସହ, ଶିକ୍ଷା ଅନ୍ୟାନ୍ୟ କଳାକୁ ବିକାଶ କରିବା ପାଇଁ ପ୍ରେରଣ ଦାୟକ ହେବ ବୋଲି ମତ ଦେଇଥିଲେ । ସେହିଭଳି ଦକ୍ଷତା ବିକାଶରେ ସହାୟକ ପାଇଁ କର୍ମନିୟୋଜନ ଅଧିକାରିଣୀ ମତ ଦେଇଥିଲେ । ପ୍ରୋବେସନ ଅଧିକାରୀ ଶ୍ରୀ ଦାସ ବାଳିକାମାନଙ୍କୁ ସବୁ ସ୍ତରରେ ସାହାଯ୍ୟ, ସହଯୋଗ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସର୍ବଦା ତତ୍ପର ବୋଲି ମତବ୍ୟକ୍ତ କରିଥିଲେ । ଶିଶୁ ମଂଗଳ କମିଟିର ସଦସ୍ୟ ନବୀନ ଚନ୍ଦ୍ର ସାହୁ, ଅମର ବାରିକ ଯୋଗଦାନ କରିବାସହ ଶିଶୁ ସୁରକ୍ଷା ଶାଖାର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକଙ୍କ ପରିଚାଳନା କାର୍ଯ୍ୟକ୍ରମରେ ଶିଶୁ ଅନୁଷ୍ଠାନର ସସ୍ମିତା ନାୟକ, ତଥାଗତ ଜେନା, ଅରବିନ୍ଦ ସେଠୀ, ସଂପାଦକ ଅଶୋକ ଦାସ, ଚିନ୍ମୟ ପଣ୍ଡା ଓ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତା ପ୍ରମୂଖ ସହଯୋଗ କରିଥିଲେ । ପରିଶେଷରେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସୈାଦାମିନୀ ରାଉତଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.