Home ଜିଲ୍ଲା ପରିକ୍ରମା ଜିଲା ସଂସ୍କୃତି ଅଧିକାରିଣୀଙ୍କ ବଦଳି ପାଇଁ କଳାକାରମାନଙ୍କ ଦାବି

ଜିଲା ସଂସ୍କୃତି ଅଧିକାରିଣୀଙ୍କ ବଦଳି ପାଇଁ କଳାକାରମାନଙ୍କ ଦାବି

31

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ସଂସ୍କୃତି ଅଧିକାରିଣୀଙ୍କ ସ୍ୱେଚ୍ଛାଚାରିତା ଓ ମନମୁଖୀ କାରବାର ଯୋଗୁଁ ଜିଲାର କଳା, ସଂସ୍କୃତି କ୍ଷେତ୍ର ଏବେ ଅଶାନ୍ତ ହୋଇପଡିଛି । କଳାକାରମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ପ୍ରଗତିରେ ବାଧକ ସାଜିଛି । ମାମଲା ଏବେ କୋର୍ଟରେ ପହଞ୍ôଚଛି । ଏଭଳି ପରିସ୍ଥିତିରେ ଏବେ ଅବସ୍ଥାପିତ ଥିବା ଜିଲା ସଂସ୍କୃତି ଅଧିକାରିଣୀଙ୍କ ବଦଳରେ ଜଣେ ନୂଆ ଅଧିକାରୀଙ୍କୁ ଆଣିବା ପାଇଁ ବିଭିନ୍ନ ବ୍ଲକ୍‌ର କଳାକାରମାନେ ଗତକାଲି ବୁଧବାର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ମାଧ୍ୟମରେ କଳାକାର ଅଭିଯୋଗ କରିଛନ୍ତି ଯେ ଜିଲା କଳା ସଂସ୍କୃତି ସଂଘ, ନଗର ଓ ବ୍ଲକ୍ କଳାକାର ସଂଘ ମଧ୍ୟରେ ଉତ୍ତମ ସମନ୍ୱୟ ଥିବାବେଳେ ଅନାବଶ୍ୟକ ସ୍ଥଳେ ନିର୍ବାଚନ ଘୋଷଣା କରି ସଂଘ ଗୁଡିକୁ ଡିଜଲଭ୍ କରିଦେବା ଦ୍ୱାରା କଳାକାରମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ତେଜିଛି । ଫଳରେ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ନିମ୍ନ ଅଦାଲତରେ ବିଚାରାଧୀନ ଅଛି । ଏହାଦ୍ୱାରା କଳାକାରଙ୍କ ଧର୍ମ କଳା ସାଧନ ଓ କଳା ପରିବେଷଣ କରି ଜୀବିକା ନିର୍ବାହ ପରିବର୍ତ୍ତେ ମାମଲା ଲଢି ସର୍ବସ୍ୱାନ୍ତ ହେବାକୁ ବସିଲେଣି । ୩୦ ଗୋଟି ଜିଲାରେ ନିର୍ବାଚନକୁ ଗୁରୁତ୍ୱ ଦିଆଯାଇନଥିବାବେଳେ ସେହି ସଂସ୍କୃତି ଅଧିକାରିଣୀ ଜଣେ ନିର୍ଦ୍ଧିଷ୍ଟ ପାଲା ଗାୟକଙ୍କ ପ୍ରରୋଚନାରେ ପଡି ସଂଘଗୁଡିକୁ ଭାଙ୍ଗି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ଏହାର ଦୃଷ୍ଟାନ୍ତ ହେଲା ତିହିଡି ବ୍ଲକ୍‌ର ଗତ ନିର୍ବାଚନରେ ମତଦାନ ଦେଇଥିବା ସଦସ୍ୟମାନେ ଲୋକକଳା ପଦବାଚ୍ୟ ନୁହଁନ୍ତି । ପରବର୍ତ୍ତୀ ସମୟରେ ଅଭିଯୋଗ ଆସିବା ପରେ ଅତିରିକ୍ତ ଜିଲାପାଳ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।

ସଂପୃକ୍ତ ସଂସ୍କୃତି ଅଧିକାରିଣୀ ଜିଲାରେ ଚୟନ ହୋଇଥିବା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଜିଲା ସଂଘର ଉପସଭାପତିଙ୍କୁ ସବୁ କ୍ଷେତ୍ରରେ ଉପେକ୍ଷିତ କରି ଚାଲିଛନ୍ତି । ଅପରପକ୍ଷରେ ଏହି ନିର୍ଦ୍ଦିଷ୍ଟ ପାଲା ଗାୟକଙ୍କୁ କାର୍ଯ୍ୟାଳୟର ବିଭିନ୍ନ ଦାୟିତ୍ୱ ଦେବା ଓ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ତାଙ୍କ ହାତକୁ ଦେବା ଆଦି କାର୍ଯ୍ୟ ଚାଲିଛି । ଏ ସଂପର୍କରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ସଂପୃକ୍ତ ପାଲା ଗାୟକ ଜଣକ ପ୍ରତିଦିନ କାର୍ଯ୍ୟାଳୟକୁ ଆସି ଭତ୍ତା କରାଇଦେବାର ପ୍ରଲୋଭନ ଦେଖାଇ କଳାକାରମାନଙ୍କୁ ଅର୍ଥ ଆଦାୟ କରିବାର ଅସନ୍ତୁଷ୍ଟ କଳାକାର ମାନେ ଲିଖିତ ପତ୍ର ଜରିଆରେ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଶେଷକରି ଏହି ପାଲା ଗାୟକ ଜଣକ ଅଫିସର କର୍ମଚାରୀ ନହୋଇ ପ୍ରତିଦିନ ଅଫିସ୍‌ରେ ବସିବା, ଖୋଲାଦେହରେ ଚେୟାରରେ ବସି ନଥିପତ୍ର ଦେଖିବା ସଂପର୍କରେ ଗଣମାଧ୍ୟମରେ ଅତୀତରେ ଚର୍ଚ୍ଚାର ବିଷୟ ସାଜିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂପୃକ୍ତ ଅଧିକାରିଣୀଙ୍କ ଜଣକଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଗତ କିଛିମାସ ପୂର୍ବେ ଏମ୍‌କେଏସ୍‌ୱାଇ ହିତାଧିକାରୀଙ୍କ ଖାତାକୁ ମାସକୁ ୧୨ ଶହ ଟଙ୍କା ପଠାଇବା ପରିବର୍ତ୍ତେ ୪୮ ଶହ ଟଙ୍କା ଅଧିକ ଅର୍ଥରାଶି ପଠାଯାଇଥିଲା । ପରବର୍ତ୍ତୀ ସମୟରେ ବଳକା ଅର୍ଥ ଫେରସ୍ତ ପାଇଁ ଭତ୍ତା ବନ୍ଦ ହୋଇଯିବାର ଭୟ ଦେଖାଇ କଳାକାରମାନଙ୍କୁ ବିନା ମନି ରସିଦ୍‌ରେ ସେମାନଙ୍କ ଠାରୁ ବଳକା ଅର୍ଥ ଫେରାଇ ନେଇଥିଲେ । ଏହା କେଉଁ ଆକାଉଣ୍ଟରେ ଜମା କରାଗଲା, ତାହା ଏବେ ଅନ୍ଧାରରେ ରହିଛି । ଭଦ୍ରକ ଭଳି ଏକ କଳାକାର ବହୁଳ ଓ ଶିକ୍ଷିତ ଅଂଚଳର ସ୍ୱାଭିମାନକୁ ଦୃଷ୍ଟିରେ ରଖି ଜିଲା ସଂସ୍କୃତି ଅଧିକାରିଣୀଙ୍କୁ ତୁରନ୍ତ ବଦଳି କରାଯିବା ପାଇଁ ଦାବି କରିଛନ୍ତି । ଅସନ୍ତୁଷ୍ଟ କଳାକାରମାନେ ହେଲେ ବାସୁଦେବପୁର ବ୍ଲକ୍‌ର ସନାତନ ପୁରୀ, କପିଳନାଥ ର୍ଶମା, ଭୋଳାନାଥ ସେଠୀ, ବୃନ୍ଦାବନ ସେଠୀ, ବନ୍ତର ଗୋବର୍ଦ୍ଧନା ରଣା, ଭଦ୍ରକର ସନାତନ ମହାକୁଡ, ଅନନ୍ତ ପ୍ରସାଦ ରାଉତ, ରବିନ୍ଦ୍ର ବାରିକ, ଜିଲା ଉପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ବେହେରା, ନାରାୟଣ ଚନ୍ଦ୍ର ବେହେରା, ଲୋକନାଥ ପରିଡା, ଧାମନଗରର ସୁବାଷ ଚନ୍ଦ୍ର ବେହେରା, ଭାସ୍କର ଜେନା, ଭଣ୍ଡାରିପୋଖରୀର ଚିନ୍ତାମଣି ନାୟକ, ଭଦ୍ରକ ପୌରପାଳିକାର ରବିନ୍ଦ୍ର କୁମାର ପାତ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.