Home ଜିଲ୍ଲା ପରିକ୍ରମା ଗୌରାଙ୍ଗପୁର ଏସ୍‌କେପ ମରାମତି ନାଁରେ ଅର୍ଥ ହରିଲୁଟ, ପୁଣି ଟଙ୍କା ଲୁଟ୍ ହେବାର ଆଶଙ୍କା, ବିଧାୟକଙ୍କ...

ଗୌରାଙ୍ଗପୁର ଏସ୍‌କେପ ମରାମତି ନାଁରେ ଅର୍ଥ ହରିଲୁଟ, ପୁଣି ଟଙ୍କା ଲୁଟ୍ ହେବାର ଆଶଙ୍କା, ବିଧାୟକଙ୍କ ମରାମତି କାର୍ଯ୍ୟ ତଦାରଖ

19

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ରେ ବୈତରଣୀ ନଦୀର ପ୍ରଥମ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗୌରାଙ୍ଗପୁର ଏସକେପ୍ ମରାମତି କାର୍ଯ୍ୟ ଚାଲିଛି । ବନ୍ୟା ମୁକାବିଲା ପାଇଁ ଥିବା ଜରୁରୀକାଳୀନ ପାଣ୍ଠିରୁ ଏବେ ଅସ୍ଥାୟୀ ବନ୍ଧ କରାଯାଉଛି । ଏହି ଏସକେପ୍‌ର ପ୍ରୋଟେକସନ ୱାଲ୍ ଠାରୁ ଉପର ନଦୀପାଶ୍ୱର୍କୁ ଏବେ ପାଖାପାଖି ୬ ଶହ ମିଟର ଏକ ଅସ୍ଥାୟୀ ଆଡିବନ୍ଧ କରାଯାଉଛି । ଏହି ବନ୍ଧଟି ଡାଙ୍ଗୁଆପାଟଣା ପାଖରୁ ଆରମ୍ଭ ହୋଇ ନଦୀପଠା ଦେଇ ଗୌରାଙ୍ଗପୁରରେ ଲାଗିଛି । କାଠବହ୍ଲା ଦୁଇ ପାଶ୍ୱର୍ରେ ପୋତାଯାଇ ମଝିରେ ବାଲିବସ୍ତା ଭର୍ତ୍ତି କରାଯାଉଛି । ଏହା ଉପରେ ମାଟି ପଡି ବନ୍ଧଟିଏ ତିଆରି ହେବ । ତେବେ ଏହି ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଛି ବୋଲି ଅଭିଯୋଗ ଉଠିଛି । ଦୁର୍ବଳ କାଠବହ୍ଲା ପୋତାଯାଉଥିବାବେଳେ ବାଲିବସ୍ତା ଗୁଡିକ ଠିକ୍ ଭାବରେ କମ୍ପାଉଣ୍ଡିଂ ନହୋଇ ପ୍ୟାକିଂ କରାଯାଉଛି । ଯାହାଫଳରେ ପୁଣି ବନ୍ୟା ଆସିଲେ ବାଲିବସ୍ତା ମଝିରେ ପାଣି ଘଳିଆ ପଡି ଭାଂଗିଯିବାର ଆଶଙ୍କା ରହୁଛି । ଖାଲି ଏତିକି ନୁହେଁ ନିର୍ମାଣ ସ୍ଥଳରେ ବିଭାଗୀୟ ଅଧିକାରୀ କିମ୍ବା କନିଷ୍ଠ ଯନ୍ତ୍ରୀ କେହି ରହୁନାହାଁନ୍ତି । ଯାଜପୁର ଜଳସଂପଦ କାର୍ଯ୍ୟାଳୟର ସୂଚନା ଅନୁସାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ବରଦାରେ ଏହି ମରାମତି କାର୍ଯ୍ୟ ହେଉଛି । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ହେଉଛି । ବର୍ଷାଋତୁ ସରିନଥିବାରୁ ବନ୍ୟା ଆଶଙ୍କା ଟଳିନଥିବାବେଳେ କେବଳ ସ୍ଥିତି ସମ୍ଭାଳିବା ଲାଗି ଏସକେପ୍ ମରାମତି କରାଯାଉଛି ।

ବନ୍ୟାଋତୁ ସରିବା ପରେ ନଭେମ୍ବର ଓ ଡିସେମ୍ବର ମାସରେ ମେଗା ପ୍ରୋଜେକ୍ଟ ଭାବେ ଏହାର ଟେଣ୍ଡର କରାଯାଇ କାର୍ଯ୍ୟ ହୋଇପାରେ ବୋଲି କୁହାଯାଉଛି । ଏତଦ୍‌ବ୍ୟତୀତ ଏହି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ କରିବା ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାରୁ ଏହି କାର୍ଯ୍ୟ ସହ ଗ୍ରାଉଣ୍ଡ କାମ ହେବ ବୋଲି ସୂଚନା ମିଳିଛି । ତେବେ ୨୦୨୧ ମଇ ମାସରେ ଆସିଥିବା ବନ୍ୟା ପରେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସକେପ୍ ନଷ୍ଟ ହୋଇଥିଲା । ସେତେବେଳେ ଏହି ୨ଟି ଏସକେପ୍ ମରାମତି ଲାଗି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଗୌରାଙ୍ଗପୁର ଏସକେପ୍‌ର ରିଟେନିଂ ୱାଲ୍‌, ପ୍ରୋଟେକସନ ୱାଲ ନବୀକରଣ କରାଯାଇଥିଲା । ଏଥିସହ ପଥର ମଧ୍ୟ ବିଛାଯାଇଥିଲା । କିନ୍ତୁ ନିମ୍ନମାନର କାମ ହୋଇଥିବାରୁ ଏ ବର୍ଷର ବନ୍ୟାରେ ଗୌରାଙ୍ଗପୁର ଏସକେପ୍ ସଂପୂର୍ଣ୍ଣ ଧୋଇଗଲା । ରିଟେନିଂ ର୍ ଓ ପ୍ରୋଟେକସନ ୱାଲ୍ ଭୁଷୁଡି ପଡିଡା । ଏଣୁ ଏବେ ତରବରିଆ ଭାବେ କାର୍ଯ୍ୟ କରାଯାଉଥିବାରୁ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି । ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା କଥା ଯେ ୨୦୨୧ ରେ କାର୍ଯ୍ୟ ହେବା ବେଳେ ନିମ୍ନମାନର ହେଉଥିବାରୁ ବିରୋଧ କରାଯାଇଥିଲା । ହେଲେ ଜଳସଂପଦ ବିଭାଗର ଅଧିକାରୀ ଏନେଇ କର୍ଣ୍ଣପାତ କରିନଥିଲେ । ଏସ୍‌କେପ୍‌ରେ ପଥର ବିଛାଯିବା ପରେ ସିମେଣ୍ଟିଂ ଗ୍ରାଉଟିଂ କରିବା ଲାଗି କୁହାଯାଇଥିଲା । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ତାହା କରିନଥିଲେ । ସବୁଠାରୁ ବଡକଥା ହେଲା ଗତବର୍ଷ ବନ୍ୟାରେ ନଷ୍ଟ ହୋଇଥିବା ଏସକେପ୍ ଯଦି ମରାମତି ହୋଇଥାଆନ୍ତା, ତେବେ ଚଳିତ ବନ୍ୟାରେ ତାହା କ୍ଷତିଗ୍ରସ୍ତ ହୋଇନଥାନ୍ତା । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଓ ଖାମଖିଆଲି ଯୋଗୁଁ ଆଜି ସରକାରଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । ଶ୍ରୀ ସୁରଜ ଆଜି ନିର୍ମାଣାଧୀନ ଗୌରାଙ୍ଗପୁର ଏସକେପ୍ ନିକଟକୁ ଯାଇ ସ୍ଥିତି ପରଖିଥିଲେ ଏବଂ ଉତ୍ତମ କାର୍ଯ୍ୟ କରିବା ସହ ତୁରନ୍ତ ତାହା ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.