Home ଓଡ଼ିଶା ଜିଲାରେ ବଢୁଛି ଦୁର୍ଘଟଣା : ବର୍ଷକରେ ୧୪୬ ଜଣଙ୍କ ମୃତ୍ୟୁ

ଜିଲାରେ ବଢୁଛି ଦୁର୍ଘଟଣା : ବର୍ଷକରେ ୧୪୬ ଜଣଙ୍କ ମୃତ୍ୟୁ

452

ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲାରେ ବଢୁଛି ରାସ୍ତା ଦୁର୍ଘଟଣା। ଗତବର୍ଷ ୧୪୬ ଜଣଙ୍କ ମୃତ୍ୟୁ ହୋଇଛି। ୫୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨୦୧୮ ତୁଳନାରେ ୨୦୧୯ ରେ ପ୍ରାୟ ୩୦% ଗାଡି ଦୁର୍ଘଟଣା ବଢିଛି। ପିପିଲି, ନିମାପଡା, କୋଣାର୍କ, ଚନ୍ଦନପୁର ଏବଂ ପୁରୀ ସଦର ଥାନା ଅଂଚଳରେ ଗାଡି ଦୁର୍ଘଟଣା ସଂଖ୍ୟା ଅଧିକ। ସର୍ବାଧିକ ଦୁର୍ଘଟଣା ଅସାବଧାନତା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ ଯୋଗୁଁ ହୋଇଥିବା ଜଣାପଡିଛି। ପୁରୀ -ଭୁବନେଶ୍ୱର, ପୁରୀ-କୋଣାର୍କ ଜାତୀୟ ରାଜପଥର ୫ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଦୁର୍ଘଟଣା ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶନିବାର ସଦଭାବନା ସଭାଗୃହରେ ଅନୁଷ୍ଠିତ ସଂସଦୀୟ “ରୋଡ ସେପ୍ଟି” କମିଟି ବୈଠକରେ ଉଦବେଗ ଉଦବେଗ ପ୍ରକାଶ ପାଇଛି। ଜାତୀୟ ରାଜପଥ-୩୧୬ ଦୁଇପାଶ୍ୱର୍ରେ ବ୍ୟାରିକେଡ ନିର୍ମାଣ ରାସ୍ତା ମଝିରେ ଥିବା ଖାଲ ଗୁଡିକ ମରାମତି ଏବଂ ହେଲମେଟ ଚେକିଂ ଜୋରଦାର କରିବାକୁ ବୈଠକରେ ସ୍ଥିର କରାଯାଇଛି। ସାଂସଦ ପିନାକୀ ମିଶ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ।

ପୁରୀ-ସାତପଡା ରାଜପଥରେ ଶହ ଶହ ଗାଈଷଣ୍ଢ ଶୋଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା କେତେକ ସଭ୍ୟ ପ୍ରକାଶ କରିଥିଲେ। ଦୁର୍ଘଟଣା ରୋକିବା ପାଇଁ ରାସ୍ତାର ବିଭିନ୍ନ ସ୍ଥାନରେ ବେଗ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି। ବିପଦପୂର୍ଣ୍ଣ ଭାବେ ଗାଡିଚାଳନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଓ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ବସ୍ ଉପରେ ଯାତ୍ରୀ ପରିବହନ ରୋକିବା ସହ ରାସ୍ତା କଡରେ ଅନଧିକାର ଗାଡି ପାର୍କିଂ ବନ୍ଦପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ୨ବର୍ଷ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ଘଟିଥିବା ରାସ୍ତା ଦୁର୍ଘଟଣା ସମ୍ପର୍କରେ ସମୀକ୍ଷା କରାଯାଇଛି। ୨୦୧୮ରେ ୧୩୧ ଟି ଗାଡି ଦୁର୍ଘଟଣା ହୋଇଥିଲା। ସେଥିରେ ୧୧୮ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଗୁରୁତର ହୋଈଥିଲେ। ୨୦୧୯ରେ ଦୁର୍ଘଟଣା ୧୬୮କୁ ବୃଦ୍ଧି ପାଇଥିଲା। ୧୪୬ଜଣ ମୃତ୍ୟୁ ବରଣ କରିଥିଲେ। ସବୁଠାରୁ ଅଧିକ ଦୁର୍ଘଟଣା ପୁରୀ-ଭୁବନେଶ୍ୱର ରାସ୍ତାର ଜଙ୍ଗଲିଢାବା, ମାଳତୀପାଟପୁର, ଚନ୍ଦନପୁର ବାଇପାସ, ଦାଣ୍ଡମୁକୁନ୍ଦପୁର ବାଇପାସ ଉତରାରୁ ସିଫା ଏବଂ ପୁରୀ -କୋଣାର୍କ ରାସ୍ତା ର ହୋଟେଲ ଲୋଟସ ଚନ୍ଦ୍ରଭାଗା ଏବଂ ରାମଚଣ୍ଡୀ ନିକଟରେ ହୋଇଥିବା ପରିବହନ ବିଭାଗ ସୂଚନା ଦେଇଛି। ସେହିପରି ଗତବର୍ଷ ୭୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ପୁଲିସ ସୁପାରିସ କରିଥିବା ବେଳେ ୨୩୫ ଜଣଙ୍କଠାରୁ ପରିବହନ ବିଭାଗ ଜରିମାନା ଆଦୟ କରିଛି। ସେହିପରି ଗତବର୍ଷ ହେଲମେଟ ଚେକିଂ କରାଯାଇ ୬୦୮ ଜଣଙ୍କଠାରୁ ୨ଲକ୍ଷ ୬୭ହଜାର ୮୭୩ ଟଙ୍କା ଜରିମାନା ଆଦାୟ କରାଯାଇଛି।

ନିଶା ସେବନ କରି ଗାଡି ଚଳାଇବା ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ତେଣୁ ହେଲମେଟ ନଥିବା ବାଇକ ଚାଳକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ନଦେବାକୁ ଯୋଗାଣ ବିଭାଗ ମାଧ୍ୟମରେ ପେଟ୍ରୋଲପମ୍ପ ଗୁଡିକୁ ନିର୍ଦେଶ ଦିଆଯିବ। ରାସ୍ତାର ବିଭିନ୍ନ ସ୍ଥାନରେ ସଚେତନତା ଫଳକ ଏବଂ କ୍ଲୋଜ ସର୍କିଟ କ୍ୟାମେରା ଲଗାଇବାକୁ ସଭ୍ୟମାନେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଅଧିବାସୀ ବେଆଇନ ଭାବେ ନିର୍ମାଣ କରିଥିବା ହମ୍ପ୍ସ ଗୁଡିକୁ ଯଥା ଶୀଘ୍ର ଉଛେଦ କରିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପରୁବହନ ପ୍ରତି ପ୍ରଶାସନ ଗୁରୁତ୍ୱ ଦେବାକୁ ବେସରକାରୀ ସଭ୍ୟ ମାନେ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.