ବାଲେଶ୍ୱର, ୧୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ଆଞ୍ଚଳିକ ପରିବହନ ବିଭାଗ ଓ ସଡ଼କ ସୁରକ୍ଷା କମିଟିର ମିଳିତ ସହଯୋଗରେ ଗତ ଜାନୁଆରୀ ମାସ ୧୮ ତାରିଖରୁ ବାଲେଶ୍ୱର ଜିଲାରେ ଚାଲିଥିବା ଜାତୀୟ ସଡ଼କ ସୁରକ୍ଷା ମାସ ବୁଧବାର ଉଦଯାପିତ ହୋଇଯାଇଛି। ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସାଙ୍ଗକୁ ଦୀର୍ଘ ଏକମାସ ଧରି ଜାରି ରହିଥିବା କାର୍ଯ୍ୟାନୁଷ୍ଠାନ ବି ଶେଷ ହୋଇଛି। ଏକମାସର ସଫଳତାକୁ ନେଇ ବିଭାଗ ପକ୍ଷର ଉଦଯାପନ ଦିବସ ଅବସରେ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏକମାସ ଧରି ଜିଲାର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଣଜିତ୍ ଦଳବେହେରା ସୂଚନା ଦେଇଛନ୍ତି। ବିଶେଷ କରି ସଚେତନତା ଗଣ ପଦଯାତ୍ରା, ସାଇକେଲ ଶୋଭାଯାତ୍ରା, ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବି ଟ୍ରାଫିକ ନିୟମ ଓ ସଡ଼କ ସୁରକ୍ଷା ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥି ସହିତ ହୋର୍ଡ଼ିଂ, ଲିଫଲେଟ ବଣ୍ଟନ ଓ ପ୍ରାଚୀର ଚିତ୍ରକଳା ଆଦି ଅଙ୍କନ କରାଯାଇଥିଲା। ତେବେ ଗାଡ଼ିଚାଳକଙ୍କୁ ସଚେତନ କରାଯିବା ସହିତ ଅମାନିଆ ତଥା ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଏକମାସ ମଧ୍ୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରୁ ୪୦ଲକ୍ଷ ୫୬ ହଜାର ୬୦୦ ଟଙ୍କାର ଜରିମାନା ଆଦାୟ ହୋଇଥିବା ସେ କହିଛନ୍ତି। ୪ଚକିଆ ଯାନରେ ବିନା ସିଟବେଲ୍ଟରେ ଯାଉଥିବା ୩ ଜଣ, ମଦପିଇ ଗାଡ଼ି ଚଳାଉଥିବା ୧୭ ଜଣ, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହୋଇଥିବା ୭ ଜଣ, ବିନା ହେଲମେଟରେ ଦୁଇଚକିଆ ଗାଡ଼ି ଚଳାଇଥିବା ୩୮୮ ଜଣ, ଉଚ୍ଚବେଗରେ ଗାଡ଼ି ଚଳାଇଥିବା ୩୭୩ ଜଣ, ଟ୍ରାଫିକ ନିୟମ ଉଲଂଘନ କରିଥିବା ୨୭ ଜଣ ଓ ବିନା ଲାଇସେନ୍ସରେ ଗାଡ଼ି ଡ୍ରାଇଭିଂ କରିଥିବା ୩୪୯ ଜଣଙ୍କଠାରୁ ଏହି ଅର୍ଥ ଆଦାୟ କରାଯାଇଥିବା ଆରଟିଓ ଶ୍ରୀ ଦଳବେହୋ ପ୍ରକାଶ କରିଛନ୍ତି। ଏନେଇ ୧୩୩୨ଟି ଭିସିଆର ବା ଇ ଚାଲାଣ କଟା ଯାଇଥିବା ବେଳେ ୧୯୪ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିବା ସେ ସୂଚନା ଦେଇଚନ୍ତି। ତେବେ ଏହି ଗୋଟିଏ ମାସ ମଧ୍ୟରେ ଜିଲାବାସୀଙ୍କ ମଧ୍ୟରେ ବେଶ ସଚେତନତା ଲକ୍ଷ୍ୟ କରାଯାଇଥିବା ଶ୍ରୀ ଦଳ ବେହେରା କହିଛନ୍ତି। ଏମିତିକି ଦୁଇଚକିଆ ଗାଡ଼ି ଚାଳକ ସମେତ ପଛରେ ବସିଥିବା ଯାତ୍ରୀ ହେଲମେଟ ପିନ୍ଧିବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଏହି ସଡ଼କ ସୁରକ୍ଷା ମାସ ନୁହେଁ ବରଂ ଆଗାମୀ ଦିନରେ ନିୟମିତ ଏହି ଭଳି ଯାଞ୍ଚ ଓ ସଚେତନତା ଜାରି ରହିବ ବୋଲି ସେ କହିଛନ୍ତି। ସେହିଭଳି ସଡ଼କ ସୁରକ୍ଷା ମାସ ମଧ୍ୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ବାଲେଶ୍ୱର ଟ୍ରାଫିକ ଥାନାର ସମ୍ପୃକ୍ତିକୁ ମଧ୍ୟ ଅଣଦେଖା କରାଯାଇ ନପାରେ। ଆଞ୍ଚଳିକ ପରିବହନ ବିଭାଗ ଓ ଏମଭିଆ ସହ ସମନ୍ୱୟ ରକ୍ଷା ସହ ଟ୍ରାଫିକ ଥାନା ପୁଲିସ ଟିମ ନିୟମିତ କାର୍ଯ୍ୟ ଜାରି ରଖିଥିଲା। ଏହି ଏକ ମାସ ମଧ୍ୟରେ ଜନସାଧାରଣଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନତା କରିବା ସହିତ ଅମାନିଆ ଗାଡ଼ିଚାଳକ ଓ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଟ୍ରାଫିକ ଥାନା ଅଧିକାରିଣୀ ମୋନାଲିସା କର ସୂଚନା ଦେଇଛନ୍ତି। ଏହି ଏକମାସ ମଧ୍ୟରେ ଟ୍ରାଫିକ ଥାନା ପକ୍ଷରୁ ୧୫ ଲକ୍ଷ ୪୦ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ସହ ୮ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବି ଏହିଭଳି ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ କର କହିଛନ୍ତି।






