Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍କୁଲ ପାଠାଗାର ପାଇଁ ପୁରାତନ ଛାତ୍ରଙ୍କ ୩ ଲକ୍ଷ ଟଙ୍କା ସହାୟତା

ଜିଲ୍ଲାସ୍କୁଲ ପାଠାଗାର ପାଇଁ ପୁରାତନ ଛାତ୍ରଙ୍କ ୩ ଲକ୍ଷ ଟଙ୍କା ସହାୟତା

37

ବାଲେଶ୍ୱର, ୧୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର ପ୍ରମୁଖ ଖ୍ୟାତନାମା ତଥା ପୁରାତନ ବିଦ୍ୟାଳୟ ‘ଜିଲ୍ଲା ସ୍କୁଲ’ର ‘ମୋ ସ୍କୁଲ ଅଭଯାନ’ ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଜିଲା ସଂଯୋଜକ(ଡିପିସି) କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ୧୯୫୨ ମସିହା ବ୍ୟାଚର ଛାତ୍ର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତୁଳସୀ ରଂଜନ ମିଶ୍ର ଜିଲ୍ଲାସ୍କୁଲର ଏକ ଉନ୍ନତ ମାନର ପାଠାଗାର ଓ ପଠନ ଗୃହ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରିଥିଲେ। ଏହି ଅର୍ଥ ଗ୍ରହଣ ଅବସରରେ ଜିଲାପାଳ ଶ୍ରୀ ମିଶ୍ରଙ୍କୁ ସାଧୁମାଦ ଜଣାଇବା ସହ ତାଙ୍କର ଏହି ସହାୟତା ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ। ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଏଥିରେ ଉପସ୍ଥିତ ରହି ପୁରାତନ ଛାତ୍ର ଶ୍ରୀ ମିଶ୍ରଙ୍କ ମହାନତାକୁ ଭୂୟସୀ ପ୍ରଶଂସା କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ସରକାରଙ୍କ ଏହି ମୋ ସ୍କୁଲ ଅଭିଯାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସାଙ୍ଗକୁ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବେଶ ସହାୟକ ହେବ ବୋଲି ଶ୍ରୀ ଗିରି କହିଥିଲେ। ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକ ଡ. ପ୍ରଫୁଲ କୁମାର ସାହୁ, ମୋ ସ୍କୁଲ ଅଭିଯାନର ଜିଲ୍‌ା ସଂଯୋଜକ ଡକ୍ଟର ସନ୍ଦୀପ କୁମାର ଖଟୁଆ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୁରାତନ ଛାତ୍ର ଶ୍ରୀ ମିଶ୍ରଙ୍କର ଏହି ସହାୟତାରେ ବିଦ୍ୟାଳୟର ଲାଇବ୍ରେରୀ ଅଭାବ ପୂରଣ ହୋଇ ପାରିବ ବୋଲି କହିଥିଲେ। ପୁରାତନ ଛାତ୍ର ଶୀ ମିଶ୍ର ପୂର୍ବରୁ ଟାଉନ ହାଇସ୍କୁର ବିଜ୍ଞାନଗାର ପାଇଁ ୩ ଲକ୍ଷ ଟଙ୍କା ଦେଇଥିବା ବେଳେ ଜିଲାସ୍କୁଲର ପାଠାଗାର ଓ ପଠନ ଗୃହ ପାଇଁ ଏହି ଅର୍ଥ ପ୍ରଦାନ କରିଛନ୍ତି ବୋଲି କହିଥିଲେ। ତାଙ୍କ ବାପା-ମାଆ ସ୍ମୃତିରେ ‘ହେମ-ଗୋଲକ’ଙ୍କ ନାମରେ ନାମିତ କରି ଲାଇବ୍ରେରୀର ଉନ୍ନତୀକରଣ ପାଇଁ ଏହି ଅର୍ଥକୁ ବିନିଯୋଗ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ପ୍ରିୟ ବିଦ୍ୟାଳୟରେ ଏକ ପାଠାଗାର ଓ ପଠନ ଗୃହ ପ୍ରତିଷ୍ଠା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ। ଜିଲାସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.