Home ଜିଲ୍ଲା ପରିକ୍ରମା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନି, ସଂକୁଚିତ ହେଉଛି ସର୍ଭିସ୍ ରୋଡ୍‌, ବନ୍ତଛକ ପାଲଟିଛି ମରଣଯନ୍ତା

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନି, ସଂକୁଚିତ ହେଉଛି ସର୍ଭିସ୍ ରୋଡ୍‌, ବନ୍ତଛକ ପାଲଟିଛି ମରଣଯନ୍ତା

26

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚଳାଇଛି ମନମାନି । ସମଗ୍ର ଭଦ୍ରକ ସହରବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇଛି । ଏହି କାରଣରୁ ସହରର ସବୁଠୁ ବ୍ୟସ୍ତବହୁଳ ବନ୍ତଛକ ପାଲଟିଛି ମରଣାଯନ୍ତା । ଗତ ୨ ମାସ ମଧ୍ୟରେ ଏହି ଛକ ଓ ନିକଟବର୍ତ୍ତୀ ଅଂଚଳରେ ୨୦ ରୁ ଉର୍ଦ୍ଧ୍ୱ ଛୋଟବଡ ଦୁର୍ଘଟଣା ଘଟିସାରିଲାଣି । ଏସବୁର ମୂଳ କାରର ହେଉଛି ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ସର୍ଭିସ୍ ରୋଡ୍‌କୁ ସଂକୁଚିତ କରିଦିଆଯାଇଛି । ଏହାର କାରଣ କେହି ବୁଝିପାରୁନାହାଁନ୍ତି । ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ ନୀରବ ରହୁଛନ୍ତି । ଫଳରେ ସହରବାସୀଙ୍କ ଦୁର୍ଦ୍ଦଶା ବଢିଛି ଓ ସେମାନଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଇଛି । ଏହି ସମସ୍ୟା ସମାଧାନର ଅନ୍ତ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ତଥ୍ୟ ଅନୁଯାୟୀ ଏବେ ଚାଲିଛି ୧୬ନଂ ଜାତୀୟ ରାଜପଥର ୬ ଲେନ୍ ବିଶିଷ୍ଟ ସଂପ୍ରସାରଣ କାର୍ଯ୍ୟ । ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ୨ ଲେନ୍ ବିଶିଷ୍ଟ ଜାତୀୟ ରାଜପଥକୁ ୪ ଲେନ୍ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବ୍ୟାପକ ପରିମାଣର ଜମି ଅଧିଗ୍ରହଣ କରିଥିଲେ । ତେଣୁ ସୁରୁଖୁରୁରେ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା ଓ ଆବଶ୍ୟକତା ଅନୁଯାୟୀ ସର୍ଭିସ୍ ରୋଡ୍ କାର୍ଯ୍ୟ ମଧ୍ୟ ହୋଇଥିଲା । ମାତ୍ର ଏବେ ଜାତୀୟ ରାଜପଥର ୪ ଲେନ୍‌ରୁ ୬ ଲେନ୍ ସଂପ୍ରସାରଣ କାର୍ଯ୍ୟ ଚାଲିଛି ।

କର୍ତ୍ତୃପ୪ ଇଞ୍ଚେ ଜମି ମଧ୍ୟ ଅଧିଗ୍ରହଣ କରିନାହାଁନ୍ତି । ପୂର୍ବରୁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା; ସେତିକିକୁ ନେଇ କାମ ଚଳାଇ ଦେବାକୁ ଚାହିଁଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବରୁ ସହର ମଧ୍ୟସ୍ଥ ସର୍ଭିସ୍ ରୋଡ୍ ସଂକୁଚିତ ହୋଇଯାଇଛି । କାରଣ ରାଜପଥ ସଂପ୍ରସାରଣ କାର୍ଯ୍ୟ ସମୟରେ ଯେତିକି ଜମିର ଆବଶ୍ୟକତା ଅନୁଭୂତ ହୋଇଛି । କର୍ତ୍ତୃପକ୍ଷ ସେତକ ସର୍ଭିସ୍ ରୋଡ୍‌ରୁ ନେଇଛନ୍ତି । ଫଳରେ ସ୍ୱାଭାବିକ୍ ଭାବେ ସର୍ଭିସ୍ ରୋଡ୍ ସଂକୁଚିତ ହୋଇଯାଇଛି । ଯାହାର କୁପରିଣାମ ଏବେ ଭୋଗୁଛନ୍ତି ଭଦ୍ରକ ସହରବାସୀ । ସୂଚନା ଅନୁଯାୟୀ ଭଦ୍ରକ ସହରର ପ୍ରବେଶ ପଥ ଗେଲପୁର ଛକ ଠାରୁ ଚରମ୍ପା ପର୍ଯ୍ୟନ୍ତ ପୂର୍ବରୁ ରହିଥିଲା ସର୍ଭିସ୍ ରୋଡ୍ । ସେଥିମଧ୍ୟରୁ ବନ୍ତଛକ ଓ ଚରମ୍ପା ବଜାରର ସର୍ଭିସ୍ ରୋଡ୍‌ର ଗୁରୁତ୍ୱ ଅଧିକ ରହିଥିଲା । ମାତ୍ର ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିୟମାନୁଯାୟୀ ସଂପ୍ରସାରଣ କାର୍ଯ୍ୟ କରିବା ସମୟରେ ଡ୍ରେନ୍ କରିବା ବାଧ୍ୟତାମୂଳକ ଥିଲା । ତେଣୁ ଅଧିକ ଜମି ଅଧିଗ୍ରହଣ ହୋଇନଥିବାରୁ ପୂର୍ବରୁ ଥିବା ଜମି ଉପରେ କର୍ତ୍ତୃପକ୍ଷ ଡ୍ରେନ୍ ଓ ସଂପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ କରୁଛନ୍ତି । ଡ୍ରେନ୍ କାର୍ଯ୍ୟ ସର୍ଭିସ୍ ରୋଡ୍ ପାଶ୍ୱର୍ରେ ନିର୍ମାଣ ହୋଇଥିବାରୁ ଏହି ରାସ୍ତା ସଂକୁଚିତ ହୋଇଯାଇଛି । ସଂପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ଏବେ ସମସ୍ୟା ଉତ୍କଟ ହୋଇଛି । ବିଶେଷତଃ ସହରର ବ୍ୟସ୍ତବହୁଳ ବନ୍ତଛକରେ ଅବସ୍ଥା ଅଣାୟତ୍ତ ହୋଇଛି । କାରଣ ସେଠାରେ ରହିଛି ସଦର ମହକୁମାର ମୁଖ୍ୟ ବସ୍‌ଷ୍ଟାଣ୍ଡ । ଗୋଟିଏ ପାଶ୍ୱର୍ରେ ଜିଲାର ବିଭିନ୍ନ ବ୍ଲକ୍ ମୁଖ୍ୟାଳୟ ସମେତ ଭୁବନେଶ୍ୱରକୁ ଯାଉଥିବା ବସ୍ ରହଣି ସ୍ଥଳ ଥିବାବେଳେ ବାଲେଶ୍ୱର, କେନ୍ଦୁଝର, ଆଗରପଡା, ବନ୍ତକୁ ଯିବାକୁ ଥିବା ବସ୍‌ଗୁଡିକର ରହଣି ସ୍ଥଳ ରହିଛି ଅପରପାଶ୍ୱର୍ରେ । ତେଣୁ ସର୍ଭିସ୍ ରୋଡ୍ ସଂକୁଚିତ ହେବା ଫଳରେ ଏହି ଛକ ଏବେ ମରଣଯନ୍ତାରେ ପରିଣତ ହୋଇଛି । ଏହି ସମସ୍ୟା ସମାଧାନ ଦିଗରେ ଭଦ୍ରକ ସାଂସଦ, ବିଧାୟକ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.