Home ଓଡ଼ିଶା ଜନସାଧାରଣ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ, ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ବ –...

ଜନସାଧାରଣ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ, ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ବ – ମୁଖ୍ୟମନ୍ତ୍ରୀ

513

‘ମୋ ସରକାର’ କାର୍ଯ୍ୟକ୍ରମ : ଡାକ୍ତର ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସିଂ

ଭୁବନେଶ୍ୱର ୨୫.୯ (ଓଡ଼ିଆ ପୁଅ) ଜନସାଧାରଣ ହେଉଛନ୍ତି ତାକ୍ତରଖାନାର ପ୍ରକୃତ ମାଲିକ। ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକ ସେବା ଭବନରେ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତର ମାନଙ୍କ ସହିତ ଭିଡିଓ କନ୍‌ଫରେସିଂ ଜରିଆରେ ଆଲୋଚନା କରି ମୋ ସରକାର କାର୍ଯ୍ୟକ୍ରମ ସଂପର୍କର ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ଵାସ୍ଥ୍ୟ ହେଉଛି ରାଜ୍ୟ ସରକାରଙ୍କ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର। ୨୦୦୦ ମସିହାରେ ରାଜ୍ୟର ସ୍ବାସ୍ଥ୍ୟ ବଜେଟ ୫୧୪ କୋଟି ଥିବାବେଳେ ଏବେ ଏହା ୭୦୦୦ କୋଟିରେ ପହଞ୍ଚିଲାଣି। ତିନୋଟି ସରକାରୀ ମେଡିକାଲ କଲେଜରୁ ଏବେ ୭ଟି ମେଡିକାଲ କଲେଜ ହେଲାଣି ଏବଂ ଖୁବ ଶୀଘ୍ର ୧୨ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି।

ସ୍ବାସ୍ଥ୍ୟ କ୍ଷେତ୍ରର ସଂପୂର୍ଣ୍ଣ ଭିତ୍ତିଭୂମି, ବଜେଟ, ମେଡିକାଲ କଲେଜ ଏବଂ ସବୁ ଚିକିତ୍ସାଳୟ ଲୋକଙ୍କ ଟଙ୍କାରେ ଚାଲୁଛି। ତେଣୁ ଲୋକମାନେ ହେଉଛନ୍ତି ଏସବୁର ପ୍ରକୃତ ମାଲିକ। ସେମାନଙ୍କୁ ସମ୍ମାନର ସହିତ ଚିକିତ୍ସା, ଔଷଧ ପ୍ରଦାନ, ରୋଗ ପରୀକ୍ଷା ଆଦି ସବୁ ସେବା ମାଗଣାରେ ଯୋଗାଇଦେବା ହେଉଛି ଆମର କର୍ତ୍ତବ୍ୟ। ଡାକ୍ତରଖାନାରେ ରୋଗୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ବ ଆରୋପ କରିଥିଲେ।

କେତେକ ଜାଗାରେ ବିଶେଷକରି ବ୍ଲଡ୍ ବ୍ୟାଙ୍କ, ଆମ୍ବୁଲାନ୍ସ ଏବଂ ଡାୟାଲିସିସ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ରୋଗୀଙ୍କୁ ଏହି ସୁବିଧା ଉପଲବ୍ଧ କରିବା ଦିଗରେ ବାଧା ସୃଷ୍ଟି କରୁଥିବା ଦଲାଲ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ଏସ୍.ପି ମାନେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

୨୦୦୧ ମସିହାରେ କାଶୀପୁରରେ ଆମ୍ବ ଟାକୁଆ ଖାଇ କିଛି ଲୋକ ଅସୁସ୍ଥ ହୋଇଥିବା ଘଟଣା ସଂପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସମୟରେ ସେଠାକୁ ତାଙ୍କର ଗସ୍ତ ଅବସରରେ ସେଠାକାର ସ୍ଥାନୀୟ ଡାକ୍ତରଙ୍କ ସେବା ମନୋଭାବ ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। ସଂପୃକ୍ତ ଡାକ୍ତରଙ୍କ ଉପରେ ଜନସାଧାରଣଙ୍କର ପ୍ରଚଣ୍ଡ ଭରସା ଥିଲା। କାଶୀପୁର ଘଟଣା ପରେ ସେଠାକୁ ପଠାଯାଇଥିବା ୪ ଜଣ probationer IAS officer ମାନଙ୍କୁ ମଧ୍ୟ ସଂପୃକ୍ତ ଡାକ୍ତର ବହୁତ ସାହାଯ୍ୟ ଯୋଗାଇ ଦେଇଥିଲେ। ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ଭଲ ଡାକ୍ତର ଅଛନ୍ତି।

ତେଣୁ ଯେଉଁ ଡାକ୍ତର ମାନେ ଭଲ କାମ କରିବେ, ତାଙ୍କ କାର୍ଯ୍ୟର ସ୍ୱୀକୃତି ସ୍ଵରୁପ ତାଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟଥା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଥିବା ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ଯାଉଥିବା ରୋଗୀ ମାନଙ୍କୁ ଟେଲିଫୋନ କରି ଡାକ୍ତରଖାନାରେ ସେମାନେ ପାଉଥିବା ଚିକିତ୍ସା ସୁବିଧା ସଂପର୍କରେ ପଚାରି ବୁଝିବେ ବୋଲି ପ୍ରକାଶ କରିଥିଲେ।

ରାଜ୍ୟବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କର ମହତ୍ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ସୂଚନା ଦେଇଥିଲେ।

ଡାକ୍ତରମାନଙ୍କ ପଦୋନ୍ନତି କ୍ଷେତ୍ରରେ ମୋ ସରକାରର ସଫଳତା ଦିଗରେ ତାଙ୍କର ଅବଦାନକୁ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ କହିଥିଲେ।

ମୋ ସରକାର କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କର ଭୂମିକା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କର “ସୁସ୍ଥ ଓଡ଼ିଶା ସୁଖୀ ଓଡିଶା’ ଥିବା ଭିଜନକୁ ପୂରଣ କରିବା ପାଇଁ ସମସ୍ତଙ୍କ ଉତ୍ତମ ସେବା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ।

ଡାକ୍ତରଖାନା ଗୁଡ଼ିକୁ, ବିଶେଷ କରି ବୁଡ୍ ବ୍ୟାଙ୍କ, ଆମ୍ବୁଲାନ୍ସ ଏବଂ ଡାୟାଲିସିସ ଆଦି କ୍ଷେତ୍ର ଗୁଡିକୁ ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ ଭାବେ ଦଲାଲମୁକ୍ତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର. ବାଲକ୍ରିଷ୍ଣନ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.