Home କେନ୍ଦୁଝର ଜନଶୁନ୍ୟ ହେଲା ମା ବିଶ୍ୱତାରିଣୀଙ୍କ ଚଇତିପର୍ବ,

ଜନଶୁନ୍ୟ ହେଲା ମା ବିଶ୍ୱତାରିଣୀଙ୍କ ଚଇତିପର୍ବ,

119

ହାଟଡ଼ିହି, ୧୩ । ୪ : ଯେଉଁ ପର୍ବ ପାଇଁ ବର୍ଷେଧରି ଅପେକ୍ଷା କରି ରହୁଥିଲେ ଶ୍ରଦ୍ଧାଳୁ, କାହିଁ କେତେ କଣ ମାନସିକ କରିଥାନ୍ତି ଏହି ଦିନରେ । କିଏ ମାଟି ଘୋଡା ଚଢ଼ାଇବ ତ ଆଉ କିଏ ଗୁଆ ଅରୁଆ ଚାଉଳ ଦେଇ ମାଙ୍କୁ ଗୁହାରୀ କରିବ । କିନ୍ତୁ ଆଜି କରୋନା ମାଡରେ ସବୁକିଛି ପାଣିରେ ମିଳେଇ ଯାଇଛି । ଯେଉଠି ମାଙ୍କ ଚଇତି ପର୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ତାହା ଆଜି ଜନଶୁନ୍ୟ ହୋଇଯାଇଥିଲା । ନଥିଲେ ଶ୍ରଦ୍ଧାଳୁ କି ଭକ୍ତ । କେବଳ ମନ୍ଦିର ପରିଚାଳନା କମିଟିର ଅଳ୍ପ କିଛି ସଦସ୍ୟଙ୍କ ଉପସ୍ଥିତିରେ ମାଙ୍କର ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲଜ ଛେନାପଦିଛକରେ ଥିବା ମା ବିଶ୍ୱ ତାରିଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଚଇତିପର୍ବ ରିତୀନୀତି ଅନୁଯାଇ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ଚଇତିପର୍ବ ଓ ମା’ଙ୍କ ସୁନାବେଶ ମଧ୍ୟ ଆଜି ଶ୍ରଦ୍ଧାଳୁଙ୍କ ବିନା ଫିକା ପଡିଥିଲା । ଗତକାଲି ରାତିରେ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ମାଙ୍କ ନିକଟରେ ଶୋଡଷ ଉପଚାରରେ କରାଯିବାପରେ ମଙ୍ଗଳ ଆଳତୀ, ପହିଲିଭୋଗ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନରେ ମାଙ୍କ ପାଖରେ ପଣାଲାଗି କରାଯାଇଥିଲା । ଦୀର୍ଘ ୪୭ବର୍ଷ ଧରି ମନ୍ଦିର ପରିସରରେ ହୋଇଆସୁଥିବା ବିଶ୍ୱଶାନ୍ତି ଯଜ୍ଞ ପାଇଁ ଭୋର ୪ଟା ବେଳେ ନିକଟସ୍ଥ ବଲିଆ ପୋଖରିରୁ ଘଟୋତ୍ତଳନ କରାଯାଇ କଳଶ ଗୁଡିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ବାବୁଲା ଆଚାର୍ଯ୍ୟ, ଜଗମୋହନ ମିଶ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ ଅନୁଷ୍ଠିତ ହେବାସହ ଘୃତାହୁତୀ ପ୍ରଦାନ କରାଯାଇଥିଲା । ମହେଶ୍ୱର ସା, ସରୋଜ କୁମାର ଚକ୍ର, ସୁଧାକର ଓଝା, ସଞ୍ଜୟ କୁମାର ପତି, ପ୍ରକାଶ ନାୟକ, ଶୁକଦେବ ସ୍ୱାଇଁ, ତପନ ସାହୁ ପ୍ରମୁଖ କର୍ତ୍ତାଭାବେ ସାମିଲ ହୋଇ ସାମାଜିକ ଦୁରତା ରକ୍ଷାକରି ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । କିନ୍ତୁ ପ୍ରତିବର୍ଷ ଏଠାରେ ହଜାର ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯିବା ସହିତ ପାଲା, ନାମସଙ୍କିର୍ତ୍ତନ ଓ ଅଷ୍ଟମ ପ୍ରହର କରାଯାଇ ଅସୁଥିଲା । କରୋନା ଲକଡାଉନ ପାଇଁ ମନ୍ଦିର ପରିଚାଳନା କମିଟିର ନିଷ୍ପତି ଅନୁଯାଇ ଆଜି ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇ କେବଳ ରିତୀନୀତି ପୂଜା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.