Home ଓଡ଼ିଶା ୨୪ ଘଣ୍ଟିଆ ଟ୍ରକ ଚଳାଚଳକୁ ବିରୋଧ, ରାସ୍ତା ଜାମ କଲେ ସ୍ଥାନୀୟ ବାସିନ୍ଦା

୨୪ ଘଣ୍ଟିଆ ଟ୍ରକ ଚଳାଚଳକୁ ବିରୋଧ, ରାସ୍ତା ଜାମ କଲେ ସ୍ଥାନୀୟ ବାସିନ୍ଦା

164

ଯୋଡା, ୧୩ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ ଘୋଷଣା କରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଆହ୍ୱାନ ଦେଉଥିବା ସମୟରେ ଖଣି ଅଞ୍ଚଳକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ବ୍ୟାପକ ଟ୍ରକ ଚଳାଚଳ ଯୋଗୁଁ ଏହା ସମ୍ପୂର୍ଣ୍ଣ ସଫଳ ହୋଇପାରିନଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ ଗରିବ ମଳି ମୁଣ୍ଡିଆଙ୍କ ଉପରେ ଦାଉ ସାଜି ମୋଟରସାଇକେଲ ଆରୋହୀଙ୍କୁ ମାଡ, କ୍ଷୁଦ୍ର ବ୍ୟବସାୟିଙ୍କୁ ବନ୍ଦ କରିଥିବା ବେଳେ ସେମାନଙ୍କ ପାଖରୁ ଦୈନଦିନ ଜୀବିକା ଛଡାଇନେଇଥିବା ବେଳେ ଲୁହାପଥରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରି ଟ୍ରକ ଚଳାଚଳକୁ ଅବ୍ୟାହତ ରଖିଛି, ଯାହା ଏହି ଖଣି ଅଞ୍ଚଳର ସୁରକ୍ଷା ପ୍ରତି ପ୍ରଶାସନର ମନବୃତ୍ତିକୁ ପଦାରେ ପକାଇଦେଇଛି । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ଏହି ଖଣି ଅଞ୍ଚଳ ରାଜସ୍ୱ ଟଙ୍କାରେ ସମଗ୍ର ରାଜ୍ୟ ପରିଚାଳିତ ହେଉଥିବା ବେଳେ ପ୍ରଶାସନର ଅଞ୍ଚଳପ୍ରତି ବୈମାତୃକ ମନୋଭାବ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ସୃ୍‌ଷ୍ଟି କରିଛି । ନିଜର ଜୀବିକା ହରାଇ ଦୀର୍ଘ ୨୦ ଦିନ ହେବ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ୫୨୦ ରାଜପଥକୁ ସଂଯୋଗ କରୁଥିବା ବିଜୁ ପଟ୍ଟନାୟକ ଏକ୍ସପ୍ରେସ ହାଇୱେର ନିର୍ମାଣଧିନ ସଡକ ଉପରେ ହଜାର ହଜାର ସଂଖ୍ୟାରେ ଭାରିଯାନ ଚଳାଚଳ ଯୋଗୁଁ ବ୍ୟାପକ ଧୂଳି, ଧୂଆଁ ଉଡି ଲୋକେ ଅଣନିଶ୍ୱାସି ହୋଇପଡିଛନ୍ତି । ଖାଇବା ଥାଳିରେ ଧୂଳି , ପିଇବା ପାଣିରେ ଧୂଳି, ଘର ଦ୍ୱାର ନାହିଁ ନଥିବା ଧୂଳି ଯୋଗୁଁ ଅତିଷ୍ଟ ହୋଇପଡିଛନ୍ତି ଖଣି ଅଞ୍ଚଳବାସି । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରି କୌଣସି ସୁଫଳ ନମିଳିବାରୁ ସୋମବାର ଠାରୁ କମାରଯୋଡା ଠାରୁ ଜୁରୁଡି ପର୍ଯ୍ୟନ୍ତ ସ୍ଥାନିୟ ଆଦିବାସୀ ବାସିନ୍ଦାମାନେ ଠାଏ ଠାଏ ରାସ୍ତା ଉପରେ ବଡ ବଡ କାଠ ଗଣ୍ଡି ଏବଂ ପଥର ଖଣ୍ଡ ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଭାରିଯାନ ସୋମବାର ଦିନ ତମାମ ଅଟକି ରହିଛି । ସ୍ଥାନୀୟ ପ୍ରଶାସନ ଉତ୍ୟକ୍ତ ଜନତାଙ୍କୁ ହଟାଇବାକୁ ପ୍ରୟାଶ କରିଥିଲେ ମଧ୍ୟ ସେମାନଙ୍କ ବଳିଷ୍ଠ ଯୁକ୍ତି ପାଖରେ ତାଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି । ଫଳରେ ସ୍ଥାନୀୟ ପ୍ରଶାସନ ହାତ ଟେକିଦେଇଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ସନ୍ଧ୍ୟା ୮ରୁ ସକାଳ ୮ ପର୍ଯ୍ୟନ୍ତ ଟ୍ରକ ଚଳାଚଳର ନିୟମ ପ୍ରଣୟନ କରିଥିବା ବେଳେ ଏହି ଲକ୍ ଡାଉନର ସୁଯୋଗରେ ଏବେ ଦିନ ରାତି ୨୪ ଘଣ୍ଟା ଟ୍ରକ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଅର୍ଦ୍ଧନିର୍ମିତ ଏହି ରାସ୍ତାରେ ସମ୍ପୃକ୍ତ ପରିବହନ ଠିକା ସଂସ୍ଥା ଜଳ ସିଞ୍ଚନ କରିବାର ପ୍ରାବଧାନ ଥିଲେ ମଧ୍ୟ ପ୍ରଶାସନର ଦୁର୍ବଳତାରୁ ତାହା ମଧ୍ୟ ପୁରଣ କରିବାକୁ କୁ୍‌ଣ୍ଠାବୋଧ କରିଛି । ଲକ୍ ଡାଉନ ସମୟରେ ଅବ୍ୟବସ୍ଥିତ ଢଙ୍ଗରେ ପରିବହନ ଯୋଡା ଜନସାଧାରଣଙ୍କ ପାଇଁ ସଂକ୍ରମଣର ବିପଦ ଆଣିଦେବା ସହ ବେଡି ଉପରେ କୋରୋଡା ସଦୃଶ୍ୟ ହୋଇଛି । ଫଳରେ ଜନସାଧାରଣଙ୍କର ଆକ୍ରୋଶ ଚରମସୀମାରେ ପହଞ୍ଚିଥିବା ସହ ଟ୍ରକ ଚଳାଚଳକୁ ବ୍ୟବସ୍ଥିତ ଢଙ୍ଗରେ କରାନଗଲେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବା ସହିତ ଉତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିପାରିନଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.