Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ବାଲି ନିଲାମ ବାତିଲ ଦାବି; ପହିଲାରୁ ହେବ ଆନ୍ଦୋଳନ

ଜଗନ୍ନାଥପ୍ରସାଦ ବାଲି ନିଲାମ ବାତିଲ ଦାବି; ପହିଲାରୁ ହେବ ଆନ୍ଦୋଳନ

41

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ସଦ୍ୟ ନିଲାମ ଦିଆଯାଇଥିବା ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ବାଲିପୋଖରୀ ଏସକେପ ସମ୍ମୁଖ ଜଗନ୍ନାଥପ୍ରସାଦ ବୈତରଣୀ ସୈରାତ ସମ୍ପ୍ରତି ବିବାଦ ମଧ୍ୟକୁ ଯାଇଛି । ଏହି ନିଲାମ ବାତିଲ ଦାବି କରି ଆନ୍ଦୋଳନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଢାଯାଇଛି । କମିଟି ଆବାହକ ସୁଧିର ଚନ୍ଦ୍ର ଜେନା ଏଥିନେଇ ତହସିଲଦାର, ଜିଲ୍ଲାପାଳ, ଜିଲ୍ଲା ପୁଲିସ ଅଧିକ୍ଷକଙ୍କୁ ପତ୍ର ଲେଖି ଦାବି ଉପସ୍ଥାପନ କରିବା ସହ ସୈରାତ ନିଲାମ ବାତିଲ ପାଇଁ ନିବେଦନ କରିଛନ୍ତି । ନିଲାମ ଦିଆଯାଇଥିବା ସଂପୃକ୍ତ ସୈରାତ ବାଲିପୋଖରୀ ଏସକେପ ଉପର ମୁଣ୍ଡରେ ବାଲି ଚଢା ଭାବେ ରହିଛି । ଏହା ଦ୍ୱାରା ଅଧିକ ପରିମାଣରେ ବନ୍ୟାଜଳ ବାଲିପୋଖରୀ ଏସକେପ ଦେଇ ପ୍ରବେଶକୁ ପ୍ରାକୃତିକ ଭାବେ ଅବରୋଧ କରୁଛି ଓ ବାଲିପୋଖରୀ ଏସକେପକୁ ବନ୍ୟାଜଳରୁ ସୁରକ୍ଷା ପ୍ରଦାନ କରୁଛି । ପୁନଶ୍ଚ ଏଠାରେ ବୈତରଣୀ ନଦୀବନ୍ଧ ଭାରିଯାନ ଚଳାଚଳ ଉପଯୋଗୀ ନୁହେଁ । ବାଲି ବୋଝେଇ ଭାରି ଯାନ ଚଳାଚଳ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ । ଏହା ଧନଜୀବନ ହାନୀର କାରଣ ହେବ । ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ତହସିଲଦାରଙ୍କୁ ନିଲାମ ପୂର୍ବରୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ । ବାଲିପୋଖରୀ ଏସକେପର ଅପରପାଶ୍ୱର୍ ନଦୀ ପଠାକୁ ରିଂ ବନ୍ଧ ଦ୍ୱାରା ସୁରକ୍ଷିତ କରାଯାଉଛି । ଏହା ଦ୍ୱାରା ବାଲିପୋଖରୀ ଏସକେପ ମଧ୍ୟ ଦେଇ ଅଧିକ ମାତ୍ରା ଓ ବେଗରେ ବନ୍ୟାଜଳ ପ୍ରବେଶ କରିବା ଆଶଙ୍କା ସୃଷ୍ଟି ହୋଇଛି । ଏହି କାରଣ ପାଇଁ ୨୦୦୦ ମସିହାରେ ଓଡିଶା ହାଇକୋର୍ଟ ଜଗନ୍ନାଥପ୍ରସାଦ ସୈରାତ ନିଲାମକୁ ବାତିଲ କରିଦେଇ ନଦୀବନ୍ଧ ଉପରେ ଭାରିଯାନ ଚଳାଚଳ କରାଯାଇ ପାରିବ ନାହିଁ ବୋଲି ଆଦେଶ ଦେଇଥିଲେ । ଏହା ଏବେ ବି ବଳବତ୍ତର ରହିଛି । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏଗାରଟି ପଞ୍ଚାୟତର ଜନସାଧାରଣ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସମର୍ଥନରେ ଆଗାମୀ ଜୁଲାଇ ପହିଲା ଠାରୁ ତହସିଲ ସମ୍ମୁଖରେ ସଂପୃକ୍ତ ସୈରାତ ନିଲାମ ବାତିଲ ଦାବିରେ ଆନ୍ଦୋଳନ ଚଳାଇବେ ବୋଲି ପତ୍ରରେ ଦର୍ଶାଯାଇଛି । ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.