Home ଜିଲ୍ଲା ପରିକ୍ରମା ଆଶାକର୍ମୀଙ୍କୁ ଉପରିସ୍ଥ ସ୍ୱାସ୍ଥ୍ୟାଧିକାରୀଙ୍କ ଜୁଲୁମ୍‌କୁ ପ୍ରତିବାଦ

ଆଶାକର୍ମୀଙ୍କୁ ଉପରିସ୍ଥ ସ୍ୱାସ୍ଥ୍ୟାଧିକାରୀଙ୍କ ଜୁଲୁମ୍‌କୁ ପ୍ରତିବାଦ

81

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଆଶାକର୍ମୀମାନଙ୍କୁ ଉପକରଣ ଖର୍ଦ୍ଦି କରିବା ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଖାତାକୁ ଦେଇଥିବା ବେଳେ ଉକ୍ତ ଟଙ୍କାର ଭାଗ ନେବାକୁ ଉପରିସ୍ଥ ସ୍ୱାସ୍ଥ୍ୟ ଅଧିକାରୀମାନେ ଜୁଲୁମ୍ କରୁଛନ୍ତି । ଏହାକୁ ରାଜ୍ୟ ଆଶାକର୍ମୀ ସଂଘ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ବିରୋଧ କରାଯିବା ସହିତ ପ୍ରତିବାଦରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନଙ୍କୁ ପ୍ରଦାନ କରାଯାଇଛି । କୋଭିଡ଼ ମହାମାରୀ ସମୟରେ ଆଶାକର୍ମୀମାନେ କରୋନା ଯୋଦ୍ଧା ଭାବେ ଜୀବନକୁ ବାଜି ଲଗାଇ କାର୍ଯ୍ୟନିର୍ବାହ କରୁଛନ୍ତି । ସେମାନଙ୍କ ସୁରକ୍ଷା ନିମିତ୍ତ ଉପକରଣ ଯଥା ଛତା, ଜୋତା, ପାଣିବୋତଲ, କ୍ୟାରିବ୍ୟାଗ, ସାଇକେଲ, ଗ୍ଲୋଭ୍‌ସ, ସାନିଟାଇଜର ଆଦି କ୍ରୟ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତି ଆଶାକର୍ମୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ତେବେ ଜିଲ୍ଲା ଓ ବ୍ଳକ ସ୍ତରରେ ଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ଉକ୍ତ ଟଙ୍କା ଉଠାଣ କରି ସେମାନଙ୍କୁ ଦେବାକୁ ଆଶାକର୍ମୀଙ୍କୁ ବାଧ୍ୟ କରାଯାଉଛି । ଟଙ୍କା ନଦେଲେ ନାନା ପ୍ରକାର ହଇରାଣ କରାଯାଉଛି । ଏପରିକି ଧମକ ମଧ୍ୟ ଦିଆଯାଉଛି । ଫଳରେ ଆଶାକର୍ମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଭଦ୍ରକ ଶାଖାର ଜିଲ୍ଲା ସମ୍ପାଦିକ ଲକ୍ଷ୍ମୀପ୍ରିୟା ରାଉତଙ୍କ ପୌରୋହିତ୍ୟରେ ଆଜି ଏକ ବୈଠକ ମାଳତୀ ଭବନ ସ୍ଥିତ ବିଏମ୍‌ଏସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଏମ୍‌ଏସ୍‌ର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ମୁକ୍ତିକାନ୍ତ ସାହୁ, ସହସମ୍ପାଦକ ବସନ୍ତ ରାଉତ, ଆଶାକର୍ମୀ ଜିଲ୍ଲା ସଂଘର ଉପସଭାନେତ୍ରୀ କନକ ବିଶ୍ୱାଳ, ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ନିରୂପମା ପତ୍ରୀ, ମୃଗତୃଷ୍ଣା ପଟ୍ଟନାୟକ, ଶର୍ମିଳା ପରିଡା ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ଏତାଦୃଶ କାର୍ଯ୍ୟକୁ ଘୋର ବିରୋଧ କରିଥିଲେ । ସ୍ୱାସ୍ଥ୍ୟ ଅଧକାରୀମାନେ ,ଭଳି ମନୋଭାବରୁ ନିବୃତ୍ତ ନ ହେଲେ ସଂଘ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ପରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.