Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଭତ୍ତା ପ୍ରଦାନରେ ଅବହେଳା, ଏନଏଚ୍‌ଆରସିଙ୍କ ରିପୋର୍ଟ ତଲବ

ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଭତ୍ତା ପ୍ରଦାନରେ ଅବହେଳା, ଏନଏଚ୍‌ଆରସିଙ୍କ ରିପୋର୍ଟ ତଲବ

67

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପତ୍ନୀଙ୍କୁ ଭତ୍ତା ପ୍ରଦାନରେ ଅବହେଳା ହେଉଛି । ଏମିତି ଅଭିଯୋଗ ପାଇଁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ହସ୍ତକ୍ଷେପ କରିଛନ୍ତି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି! ଏ ବାବଦରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଅନୁସାରେ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାନପୁଅ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର ଅଢେଇବର୍ଷ ତଳୁ ମୃତ୍ୟୁବରଣ କଲେଣି । ତାଙ୍କ ପତ୍ନୀ ମୀରା ଦେବୀ (୮୭) ନ୍ୟାର୍ଯ୍ୟ ହକ୍‌ରୁ ବଂଚିତ କରାଯିବା ନେଇ ଏନଏଚଆରସି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଭୁବନେଶ୍ୱର ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ଅବସ୍ଥାରେ ଥିବା ମୀରାଦେବୀଙ୍କୁ ଭତ୍ତା ତୁରନ୍ତ ପ୍ରଦାନ କରିବା ସହ ରାଜ୍ୟ ସରକାର ମାଗଣାରେ ତାଙ୍କୁ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପେନସନ ବାବଦରେ ସମସ୍ତ ବକେୟା ସମେତ କ୍ଷତି ସୁଧ ଭରଣ କରିବା ପାଇଁ ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ । ଏହାସହିତ ପେନସନ ବିଳମ୍ବ ଲାଗି ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏନଏଚଆରସିଙ୍କୁ ଅଭିଯୋଗ ଫର୍ଦ୍ଦରେ ନିବେଦନ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ଏନଏଚଆରସି ମାମଲାକୁ ଗୁରୁତର ବିଚାର କରି ପେନସନ ପ୍ରଦାନ ଅବହେଳା ନେଇ କେନ୍ଦ୍ର ଗୃହ ସଚିବ ଓ ରାଜ୍ୟ ମୁଖ୍ୟ ସଚିବଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି ।

ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ମୀରାଦେବୀଙ୍କୁ ପେନସନ ରାଶି ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି । ଏ ବାବଦରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି । ଗତ ୧୧ ସେପ୍ଟେମ୍ବର ୨୦୧୮ ରେ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ ଘଟିଥିଲା । ନିୟମାନୁଯାୟୀ ତାଙ୍କ ପତ୍ନୀ ମୀରାଦେବୀ ପେନସନ ପାଇବାକୁ ହକଦାର ଅଟନ୍ତି । ଏହା ମଧ୍ୟରେ ଅଢେଇବର୍ଷ ବିତିଗଲା, ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାରମ୍ବାର ପତ୍ର ବିନିମୟ ଘଟିଥିଲା । ତଥାପି ପେନସନ ଫାଇଲ ମଂଜୁର ହୋଇନାହିଁ । ମାମଲାର ଶୁଣାଣିବେଳେ ଆୟୋଗର ସଦସ୍ୟ ଧନେଶ୍ୱର ମୁଲ୍ଲେ କହିଥିଲେ ଯେ ଏହା ଏକ ସମ୍ବେଦନଶୀଳ ଘଟଣା ଓ ସ୍ୱାଧୀନତା ସଂଗ୍ରାମୀ ପରିବାର ସଦସ୍ୟକୁ ପେନସନ ସୁବିଧା ପ୍ରଦାନରେ ଏଭଳି ଅବହେଳା ଗ୍ରହଣୀୟ ନୁହେଁ । ସୂଚନାଯୋଗ୍ୟ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ମୀରା ଦେବୀଙ୍କର ଗତ ୧୫ ତାରିଖ ସକାଳେ ଦେହାନ୍ତ ହୋଇଯାଇଛି । ଏକଦା ସ୍ୱାଧୀନତା ସଂଗ୍ରାମରେ ପୁରୋଧା ସାଜିଥିବା ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର ମୃତ୍ୟୁର ଅଢେଇବର୍ଷ ପରେ ତାଙ୍କ ପତ୍ନୀ ମୀରା ଦେବୀଙ୍କୁ ପେନସନ ଯୋଗାଇ ଦେବା ସରକାରଙ୍କ ମୌଳିକ କର୍ତ୍ତବ୍ୟ । କିନ୍ତୁ ଏଥିରେ ଅବହେଳା କରାଯିବା ଏକ ଅକ୍ଷମଣୀୟ ଅପରାଧ ବୋଲି ଧୁଷୁରୀ ଅଂଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ ପ୍ରକାଶ କରିଛନ୍ତି । ସେହିପରି ଓଡ଼ିଶାର ଯଶସ୍ୱୀ ସାରସ୍ୱତ ସାଧକ ତଥା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁତ୍ରବଧୂଙ୍କ ପ୍ରତି ଏତାଦୃଶ୍ୟ ଅମାନବୀୟ ତ୍ରୁଟି କେବେ ଗ୍ରହଣୀୟ ନୁହେଁ ବୋଲି ବିଶିଷ୍ଟ ଶିକ୍ଷାବିତ୍ ଡ. ଶଶଧର ଦାସ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.