Home ଜିଲ୍ଲା ପରିକ୍ରମା ଚାଉଳ ରଖିବାକୁ ଜାଗା ନାହିଁ ; ଚାଉଳର ଡିସି ଧରି ଡିଲର ବସିଛନ୍ତି

ଚାଉଳ ରଖିବାକୁ ଜାଗା ନାହିଁ ; ଚାଉଳର ଡିସି ଧରି ଡିଲର ବସିଛନ୍ତି

83

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲା ଯୋଗାଣ ନିଗମ ପାଖରେ ଚାଉଳ ରଖିବାକୁ ଜାଗା ନାହିଁ । ତେଣେ ହଜାର ହଜାର କ୍ୱିଣ୍ଟାଲ ଚାଉଳ ଡେଲିଭରୀ ଦେବାକୁ ମିଲର ଡେଲିଭରି ସାର୍ଟିଫିକେଟ୍ ଧରି ବସିଛନ୍ତି । କରୋନା ଯୋଗୁଁ ଏବେ ଜିଲାର ଅଧିକାଂଶ ମିଲ୍ ବନ୍ଦ ପଡିଥିବାବେଳେ ଯେତିକି ଚାଉଳ ଡେଲିଭରି ଦେବାକୁ ସେମାନଙ୍କୁ ଅନୁମତି ପତ୍ର (ଡିସି) ମିଳିଛି ଯୋଗାଣ ନିଗମ ସେତକ ଚାଉଳକୁ ଡେଲିଭରି ନେଉନାହାଁନ୍ତି । ଯାହାକୁ ନେଇ ଜିଲାରେ ଚାଉଳ ସଂଗ୍ରହ ନେଇ ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତବର୍ଷ ଜିଲାରେ ବିପୁଳ ଧାନ ଉତ୍ପାଦନ ଲାଗି ହେଉ ଅଥବା ଚାଷୀଙ୍କ ଚାପରେ ହେଉ, ସରକାର ଆବଶ୍ୟକତା ଠାରୁ ଢେର ଅଧିକ ଧାନ ସଂଗ୍ରହ କରିନେଇଥିବା ଯୋଗୁଁ ଏହି ଧରଣର ପରିସ୍ଥିତି ଉପୁଜିଛି । ଗତ କିଛିବର୍ଷ ହେବ ଭାରତୀୟ ଖାଦ୍ୟ ନିଗମ ଜିଲାରୁ ସରକାରୀ ଚାଉଳ ସଂଗ୍ରହ ସଂପୂର୍ଣ୍ଣ ବନ୍ଦ କରିଦେଇଥିବାବେଳେ ସଂଗୃହିତ ଚାଉଳକୁ ରାଜ୍ୟ ସରକାର ନିଜସ୍ୱ ଆବଶ୍ୟକତା ଅନୁଯାୟୀ ବିନିଯୋଗ କରିଆସୁଛନ୍ତି । ତଦନୁଯାୟୀ ଭଦ୍ରକ ଜିଲାରେ ପିଡିଏସ୍ ଏବଂ ଏମ୍‌ଡିଏମ୍ ଜରିଆରେ ବାର୍ଷିକ ପ୍ରାୟ ୭ ଲକ୍ଷ କ୍ୱିଣ୍ଟାଲ ଚାଉଳର ଆବଶ୍ୟକତା ରହୁଥିବାବେଳେ ବନ୍ୟା-ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ପ୍ରାୟ ୨ ଲକ୍ଷ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚାଉଳ ମହଜୁଦ ରଖିଥାନ୍ତି । ଏଥିସକାଶେ ଅତିବେଶିରେ ଜିଲା ଯୋଗାଣ ନିଗମକୁ ବାର୍ଷିକ ସର୍ବାଧିକ ୧୮ ରୁ ୨୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ସଂଗ୍ରହ କରିବାକୁ ପଡିଥାଏ । ମାତ୍ର ଚଳିତବର୍ଷ ଜିଲାର ଆବଶ୍ୟକତା ଏବଂ ନିଗମର ଚାଉଳ ମହଜୁଦ କରି ରଖିବାର କ୍ଷମତା ପ୍ରତି ଆଖିବୁଜି ଦେଇ ସର୍ବାଧିକ ୨୭ ଲକ୍ଷ ୩୦ ହଜାର ୬୨୬ କ୍ୱିଣ୍ଟାଲ ଧାନ ସଂଗ୍ରହ କରିନେଇଥିଲେ ।

ତେବେ ବାହାର ଜିଲା ମିଲରଙ୍କ ସଂପୃକ୍ତି ଯୋଗୁଁ ସେଥିରୁ ପ୍ରାୟ ୬ ଲକ୍ଷ କ୍ୱିଣ୍ଟାଲ ଧାନ ଅନ୍ୟ ଜିଲାକୁ ଚାଲି ଯାଇଥିବା ଯୋଗୁଁ ଅବଶିଷ୍ଟ ୨୧ ଲକ୍ଷ ୧୮ ହଜାର କ୍ୱିଣ୍ଟାଲ ଚାଉଳ ଘରୋଇ ମିଲରଙ୍କ ଜରିଆରେ ସଂଗ୍ରହ କରାଯାଇଛି । ଯେଉଁଥିରୁ ପ୍ରାୟ ୧୩ ଲକ୍ଷ କ୍ୱିଣ୍ଟାଲ ଚାଉଳ ସଂଗ୍ରହ ହେବାର ଲକ୍ଷ୍ୟ ରଖାଯାଇଛି । ତେବେ ଜିଲାର ବାର୍ଷିକ ଆବଶ୍ୟକତା ସର୍ବାଧିକ ୯ ଲକ୍ଷ କ୍ୱିଣ୍ଟାଲ ବଳକା ଚାଉଳକୁ ନେଇ ଏବେ ଜିଲା ଯୋଗାଣ ନିଗମ ହରଡଘଣାରେ ପଡିଛି । କାରଣ ଜିଲା ଯୋଗାଣ ନିଗମ ହାତରେ ଏବେ ମାତ୍ର ୬ ଗୋଟି ଗୋଦାମ ବ୍ୟବସ୍ଥା ରହିଥିବାବେଳେ ଏବେ ସେଥିରେ ପ୍ରାୟ ୧ ଲକ୍ଷ ୭୦ ହଜାର କ୍ୱିଣ୍ଟାଲ ଚାଉଳ ମହଜୁଦ ରହିଛି । ଫଳରେ ଜିଲା ଯୋଗାଣ ନିଗମ ହାତରେ ଏବେ ମାତ୍ର ୩୦ ହଜାର କ୍ୱିଣ୍ଟାଲ ଚାଉଳ ରଖିବାକୁ ଗୋଦାମ କ୍ଷମତା ରହିଥିବାବେଳେ ଲକ୍ଷାଧିକ କ୍ୱିଣ୍ଟାଲ ଚାଉଳ ଡେଲିଭରି ଦେବାର ଡିସି ଧରି ବସିଛନ୍ତି ଜିଲାର ୨୧ ମିଲର । ଏବେ କରୋନା ଯୋଗୁଁ ଅଧିକାଂଶ ମିଲ୍ ବନ୍ଦ ପଡିଥିବାବେଳେ ଆଗକୁ ବର୍ଷା ଦିନ ଯୋଗୁଁ ଚାଉଳ ସଂଗ୍ରହ ଧିମେଇବା ସ୍ୱାଭାବିକ । ଏପରିସ୍ଥଳେ ଯୋଗାଣ ନିଗମ ମିଲରଙ୍କ ଠାରୁ ସେମାନଙ୍କ ଡିସି ମତେ ଚାଉଳ ସଂଗ୍ରହ କରୁନଥିବା ଯୋଗୁଁ ମିଲ୍‌ରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଚାଉଳ ପଡିରହିଛି । ସେହିଭଳି ରାଜ୍ୟ ସରକାରଙ୍କ ଚାଉଳ ସଂଗ୍ରହ ନୀତି ଅନୁଯାୟୀ ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା କଷ୍ଟମ ମିଲରମାନେ ସେମାନେ ସରକାରଙ୍କ ଠାରୁ ନେଇଥିବା ଧାନକୁ ମିଲିଂ କରି ଯୋଗାଣ ନିଗମକୁ ଚାଉଳ ଡେଲିଭରି ଦେବେ । ଏଥିରେ ଖିଲାଫ ହେଲେ ସେମାନଙ୍କ ବିରୁଦ୍ଧରେ ଯୋଗାଣ ନିଗମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ମଧ୍ୟ ବିଧେୟ ରହିଛି । ଏ ସଂପର୍କରେ ଜିଲା ଯୋଗାଣ ଅଧିକାରୀ ରଂଜନ ସେଠଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଗାମୀ ମାସ ପିଡିଏସ୍ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ୨ ମାସର ମାଗଣା କୋଭିଡ୍ ଚାଉଳ ଉଠାଣ ହେଲେ ପରିସ୍ଥିତି ଅନେକାଂଶରେ ସୁଧୁରିଯିବ । ତଥାପି ଜିଲାରୁ ୨/୩ ଲକ୍ଷ ଚାଉଳ ଅନ୍ୟତ୍ର ପଠାନହେଲେ ଜିଲାପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.