Home ଜିଲ୍ଲା ପରିକ୍ରମା ସୂଚନା ବିନା ଟୀକାକରଣ ସ୍ଥାନ ପରିବର୍ତ୍ତନ ଜନବିରୋଧୀ ନିଷ୍ପତ୍ତି, ଅସୁସ୍ଥ ଟୀକା ଗ୍ରହଣକାରୀଙ୍କୁ ଚିକିତ୍ସା ଦେବାରେ...

ସୂଚନା ବିନା ଟୀକାକରଣ ସ୍ଥାନ ପରିବର୍ତ୍ତନ ଜନବିରୋଧୀ ନିଷ୍ପତ୍ତି, ଅସୁସ୍ଥ ଟୀକା ଗ୍ରହଣକାରୀଙ୍କୁ ଚିକିତ୍ସା ଦେବାରେ ଅନିଶ୍ଚିତତା

50

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କୋଭିଡ ୨ୟ ଡୋଜ୍ ଟୀକାକରଣ ସ୍ଥାନକୁ ହଠାତ୍ ତିହିଡ଼ି କଲେଜ ପରିସର ମଧ୍ୟକୁ ପରିବର୍ତ୍ତନ କରାଯିବା ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହା ଜନସାଧାରଣଙ୍କ ବିନା ସୂଚନାରେ ସ୍ଥାନ ପରିବର୍ତ୍ତନ କରାଯିବା ଜନବିରୋଧୀ ନିଷ୍ପତ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ବିଶେଷତଃ ଟୀକା ନେଉଥିବା ସମୟରେ କୌଣସି କାରଣରୁ ଯଦି ଟୀକା ଗ୍ରହଣକାରୀ ଅସୁସ୍ଥ ହୋଇପଡ଼େ, ତାକୁ ତତ୍‌କ୍ଷଣାତ୍ ଚିକିତ୍ସା ଯୋଗାଇଦେବାରେ ଅନିଶ୍ଚିତତା ଦେଖାଦେଇଛି । ମହାମାରୀ କରୋନାର ୨ୟ ଲହର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଥିପାଇଁ ଟୀକାକରଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିପାଇଁ ପ୍ରଶାସନ ଯେତିକି ତତ୍ପରତା ଦେଖଉଛି, ଲୋକମାନେ ମଧ୍ୟ ନିଜର ଜୀବନ ବଞ୍ଚେଇବାପାଇଁ ଟୀକାନେବାକୁ ତା’ଠୁଁ ଅଧିକ ବ୍ୟଗ୍ର ଓ ବ୍ୟସ୍ତ ହେଉଛନ୍ତି । ଲୋକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟକରି ଆବଶ୍ୟକ ପରିମାଣରେ ଟୀକା ଯୋଗାଇ ଦିଆଯାଇ ପାରୁ ନ ଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ହେଉବା ଅନ୍ୟ ଯେକୌଣସି ଟୀକାକେନ୍ଦ୍ରରେ ଗହଳି ପରିଲକ୍ଷିତ ହେଉଛି । ଏହି ସମସ୍ୟା ସମାଧାନର ସୂତ୍ର ବାହାର ନ କରି ହଠାତ୍ ଟୀକାକରଣ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରାଯିବା ଉଚିତ ନିଷ୍ପତ୍ତି ନୁହେଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ଟୀକାକରଣ କେନ୍ଦ୍ର ସ୍ଥାନ ପରିବର୍ତ୍ତନ କରିଦେଲେ ଯେ, ଭିଡ଼ ହେବନାହିଁ ଏହାର କୌଣସି ନିଶ୍ଚିତତା ନାହିଁ ।

ବରଂ ସ୍ଥାନ ପରିବର୍ତ୍ତନ ଫଳରେ ଲୋକମାନେ ଅଡୁଆ ପରିସ୍ଥିତିରେ ପଡୁଥିବା ଜଣାଯାଇଛି । ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେସୁଦ୍ଧା ୩୦ହଜାର ଲୋକ ୧ମ ଓ ୨ୟ ଡୋଜ୍ ଟୀକା ନେଇସାରିଛନ୍ତି । ସେତେବେଳେ ସେମିତି କିଛି ଗହଳି ଦେଖାଯାଇ ନାହିଁକି ସେମିତି କିଛି ବିଶୃଙ୍ଖଳାର ସୂଚନା ମିଳିନାହିଁ । ଜନସାଧାରଣଙ୍କୁ ସଠିକ ରୂପେ ସୂଚନା ଦିଆ ନ ଯାଇ ଟୀକାକରଣ କେନ୍ଦ୍ର ସ୍ଥାନ ପରିବର୍ତ୍ତନ କରାଯିବା ଆଦୌ ସଠିକ ପଦକ୍ଷେପ ନୁହେଁ । ସ୍ୱାସ୍ଥ୍ୟକେନ୍ଦ୍ର ତିହିଡ଼ି ବଜାର ମଧ୍ୟସ୍ଥଳରେ ହୋଇଥିବାବେଳେ କଲେଜ ବଜାରଠାରୁ ଅଧା କିଲୋମିଟରରୁ ଅଧିକ ହେବ । ମଙ୍ଗଳବାର ଦିନ ହଠାତ୍ ଟୀକାକରଣ ସ୍ଥାନ ପରିବର୍ତ୍ତନ କରାଯିବାରୁ ବହୁତ ଲୋକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଟୀକା କେଉଁଠି ଦିଆଯାଉଛି ବୋଲି ଜାଣି ନ ପାରି ଅସୁବିଧାର ସମ୍ମୁଖୀନ ହୋଇଥିଲେ । କଲେଜ ଟୀକାକରଣ କେନ୍ଦ୍ର ବଜାରଠାରୁ ଦୂର ହୋଇଥିବାରୁ ବୃଦ୍ଧବୃଦ୍ଧାମାନେ ଜଟିଳ ସମସ୍ୟାରେ ସମ୍ମୁଖୀନ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ବିଶେଷକରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ଦିଆଯାଉଥିବା ସମୟରେ କେହି କୌଣସି କାରଣରୁ ଅସୁସ୍ଥତା ଅନୁଭବ କଲେ, ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଦେବାପାଇଁ ସବୁପ୍ରକାର ବ୍ୟବସ୍ଥା ରହିଛି । ହେଲେ କଲେଜରେ କେହି ଅସୁସ୍ଥ ହୋଇପଡ଼ିଲେ ତତ୍‌କ୍ଷଣାତ୍ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯଦି କୌଣସି ଟୀକା ଗ୍ରହଣକାରୀଙ୍କର ଚିକିତ୍ସା ଅଭାବରୁ ଜୀବନ ସଂକଟାପନ୍ନ ହୋଇପଡ଼େ ତାହାଲେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଜାତୀୟ ସାମ୍ବାଦିକ ୟୁନିଅନ୍‌ର କାର୍ଯ୍ୟକାରୀ ସଦସ୍ୟ ନାରାୟଣ ଚନ୍ଦ୍ର ବାରିକ କହନ୍ତି, କୋଭିଡ ଟୀକାକରଣ କେନ୍ଦ୍ର ଜନସାଧାରଣଙ୍କୁ କୌଣସି ସୂଚନା ଦିଆ ନ ଯାଇ ସ୍ଥାନ ପରିବର୍ତ୍ତନ କରିବା ଏକ ଜନବିରୋଧି ନିଷ୍ପତ୍ତି । ଏଥିସହିତ ସ୍ୱାସ୍ଥ୍ୟକେନ୍ଦ୍ରରୁ କଲେଜ ଦୂର ହୋଇଥିବାରୁ ଲୋକମାନଙ୍କର ଯାତାୟାତରେ ଅସୁବିଧା ହେଉଛି । ବ୍ଲକ ପ୍ରଶାସନ ଏହାର ପୁନର୍ବିଚାର କରି ନିଷ୍ପତ୍ତି ନିଅନ୍ତୁ । ସିପିଏମ୍ ତିହିଡ଼ି ଆଞ୍ଚଳିକ କମିଟି ସଂପାଦକ ନିର୍ମଳ ଚନ୍ଦ୍ର ଦଳେଇ କହନ୍ତି, ଜନସାଧାରଣଙ୍କୁ ସୂଚନା ଦିଆ ନ ଯାଇ ହଠାତ୍ ଟୀକାକରଣ କେନ୍ଦ୍ର ସ୍ଥାନ ପରିବର୍ତ୍ତନ କରିବା ଅଗଣତାନ୍ତ୍ରିକ । ଟୀକା ନେବାବେଳେ କୌଣସି ଲୋକ ଅସୁସ୍ଥ ଅନୁଭବ କଲେ କଲେଜରେ ସେ ଲୋକକୁ ଚିକିତ୍ସା ଯୋଗାଇ ଦିଆଯାଇପାରିବ ନାହିଁ ।

ସ୍ୱାସ୍ଥ୍ୟକେନ୍ଦ୍ରରୁ କଲେଜ ଦୂର ହୋଇଥିବାରୁ ଲୋକମାନେ ସେଠିକୁ ଯାତାୟାତ କରିବାରେ ଅସୁବିଧା ହେବ । ତିହିଡ଼ି ଯୁବମଞ୍ଚର ସଭାପତି କୈଳାସ ବେହେରା କହନ୍ତି, ଜନସାଧାରଣଙ୍କୁ ବିଧିବଦ୍ଧଭାବେ ସୂଚନା ଦିଆ ନ ଯାଇ ଟୀକାକରଣ ସ୍ଥାନ ପରିବର୍ତ୍ତନ ଉଚିତ ପଦକ୍ଷେପ ନୁହେଁ । ହଠାତ୍ ଟୀକାକରଣ କେନ୍ଦ୍ର ପରିବର୍ତ୍ତନ ଫଳରେ ବୃଦ୍ଧବୃଦ୍ଧାମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସମାଜସେବୀ ଗଣେଶ ରାଉତ କହନ୍ତି, ସ୍ୱାସ୍ଥ୍ୟକେନ୍ଦ୍ରରୁ ତିହିଡ଼ି କଲେଜକୁ ଟୀକାକରଣ କେନ୍ଦ୍ର ଭାବେ ପରିବର୍ତ୍ତନ କରାଯିବା ଉଚିତ ପଦକ୍ଷେପ ନୁହେଁ । ପର୍ଯ୍ୟାପ୍ତ ପରିମାଣରେ ଟୀକା ଯୋଗାଇ ଦିଆଗଲେ, ଭିଡ଼ ସମସ୍ୟାର ସମାଧାନ ହେବ । ହଠାତ୍ ଟୀକାକରଣ କେନ୍ଦ୍ର ପରିବର୍ତ୍ତନ କରାଯିବାରେ ଜନସାଧାରଣଙ୍କୁ ଅଡୁଆରେ ପକେଇଛି । ପ୍ରଶାସନ ପ୍ରତିଦିନ ଗୋଟିଏ ଗୋଟିଏ ପଞ୍ଚାୟତକୁ ଟୀକାକରଣ କରିବାରେ ବ୍ୟବସ୍ଥା କଲେ, ସମସ୍ୟାର ସମାଧାନ ହୋଇପାରିବ । କୃଷକନେତା ନାରାୟଣ ଦାସ କୁହନ୍ତି, ଜନସାଧାରଣଙ୍କୁ ସୂଚନା ଦିଆ ନ ଯାଇ ଟୀକାକରଣ ସ୍ଥାନ ପରିବର୍ତ୍ତନ କରାଯିବା ସଠିକ୍ ନିଷ୍ପତ୍ତି ନୁହେଁ । ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଟୀକାକରଣ କେନ୍ଦ୍ର କରାଯିବା ସହିତ ବିଲଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କେନ୍ଦ୍ର କରାଗଲେ ଏହି ଅଞ୍ଚଳର ଲୋକମାନେ ସୁରୁଖୁରୁରେ ଟୀକା ନେଇପାରିବେ । ଏ ସମ୍ପର୍କରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ (ଡବ୍ଲ୍ୟୁ.ଏଫ୍‌.) ତଥା କୋଭିଡ ପରିଚାଳନା ନୋଡାଲ ଅଫିସର ଶିବାଶିଷ ମହାରଣା କହନ୍ତି, ଟୀକାକରଣ ସ୍ଥାନ ପରିବର୍ତ୍ତନ କରାଯିବାରେ ଲୋକମାନେ ଅସୁବିଧାରେ ପଡ଼ିବେ ହେଲେ ଏହାପରେ ଖୁବ୍‌ଶୀଘ୍ର ଟୀକାକରଣ ପଦ୍ଧତିର ପରିବର୍ତ୍ତନ କରାଯିବା ପାଇଁ ପଦକ୍ଷେପ ନିଆଯିବ । ତେବେ ଏହାପରେ ଜିଲ୍ଲା ଓ ବ୍ଲକ ପ୍ରଶାସନ କି ପ୍ରକାର ନିଷ୍ପତ୍ତି ନେବେ ତାହା ଦେଖିବାକୁ ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.