Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ବନ୍ଧୁ ମିଳନ

ଚରମ୍ପା ବରିଷ୍ଠ ନାଗରିକ ସଂଘର ବନ୍ଧୁ ମିଳନ

79

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଗ, ହିଂସା ଓ ଲୋଭ ତ୍ୟାଗ କରି ବୟସର ଅପରାହ୍ଣରେ ସମାଜର ସ୍ନେହ, ଶ୍ରଦ୍ଧା, ସଦ୍‌ଭାବ ରକ୍ଷା କରି ନିଜର ଇଷ୍ଟଦେବତାଙ୍କୁ ନିଜକୁ ସମର୍ପିତ କରି ପାରିଲେ ଜୀବନର ଅବଶିଷ୍ଟ ସମୟ ଶାନ୍ତି, ପ୍ରୀତି ଓ ଆନନ୍ଦମୟ ହୋଇ ପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ନବବର୍ଷ ଉପଲକ୍ଷେ ଉକ୍ତ ସଂଘର କାର୍ଯ୍ୟକ୍ରମରେ ଚରମ୍ପା ଅଗ୍ରୱାଲା ଆଣ୍ଡ ବ୍ରଦର୍ସ ରାଇସ୍ ମିଲ୍ ପରିସରରେ ଏକ ଶାନ୍ତ କାନ୍ତ ପରିବେଶ ମଧ୍ୟରେ ସ୍ଥାୟୀ ସଭାପତି ଶିକ୍ଷାବିତ୍ ଗଗନ ବିହାରୀ ରାଉତ୍‌ଙ୍କ ପୌରେହିତ୍ୟରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ କୈଳାସ ମହାପାତ୍ର ସଭାର ଆଭିମୁଖ୍ୟ ଓ ସ୍ୱାସ୍ଥ୍ୟ ଶିବିର ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସୁଚିନ୍ତିତ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ ବନ୍ଧୁମିଳନ ଅବସରରେ ସଂଘର ସଂହତି ରକ୍ଷା କରିବା ସଂଗେସଂଗେ ପାରିବାରିକ ଚାପରୁ ମୁକ୍ତ ରଖି ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ଭାବ ରଖି ପାରିଲେ ଜୀବନଚର୍ଯ୍ୟା ସୁଖ ଓ ନିରାମୟ ହୋଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ ।

ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଭ୍ୟବୃନ୍ଦ ଆସନ୍ତା ଫେବୃଆରୀ ମାସର ପ୍ରଥମ ସପ୍ତାହରେ ଏକ ସ୍ୱାସ୍ଥ୍ୟ ଶିବିର କରି ହୃଦ୍‌ରୋଗୀ, ନାସା, କର୍ଣ୍ଣ ଓ ଗଳା ରୋଗରେ ପୀଡ଼ିତ ତଥା ସ୍ନାୟୁ ଜନିତ ରୋଗୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଜରିଆରେ ପରୀକ୍ଷା ଓ ରୋଗ ନିରୂପଣ କରାଇ ଡାକ୍ତରୀ ପରାମର୍ଶ ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ତାହାଛଡ଼ା ଭଦ୍ରକରେ ଏକ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ, ବିଶ୍ୱବିଦ୍ୟାଳୟ ସ୍ଥାପନ ନିମିତ୍ତ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଗଲା । ଯୋଗଗୁରୁ ଶ୍ରୀ ଗୁପ୍ତା ଆବଶ୍ୟକ କରୁଥିବା ବରିଷ୍ଠ ନାଗରିକଙ୍କୁ ଯୋଗ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ । ଜନତା ସେବା କେନ୍ଦ୍ର ପ୍ରତିଷ୍ଠାତା ବିଶ୍ୱନାଥ ଅଗ୍ରୱାଲଙ୍କୁ ତାଙ୍କର ମହନୀୟତା ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସଭ୍ୟ ଉଦୟନାଥ ବାରିକ, କଳାକାର ମିଶ୍ର, କାର୍ତ୍ତିକ ଚନ୍ଦ୍ର ରାଉଳ, ବିଶ୍ୱନାଥ ବେହେରା, ଗଣେଶ ପ୍ରସାଦ ମହାପାତ୍ର, ଦୀନବନ୍ଧୁ ମହାରଣା, ଜଗବନ୍ଧୁ ମହାନ୍ତି, ବିଜୟ କୁମାର ସେନାପତି, ଭାଗୀରଥି ବେହେରା, ରମେଶ ଦାସ, କ୍ଷିତିଶ ଚନ୍ଦ୍ର ରାଉତ, ଶଙ୍କର୍ଷଣ ସାହୁ, ପୀତବାସ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଘର ଉପଦେଷ୍ଟା ପଦ୍ମଲୋଚନ ମହାଳିକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.