Home ଜିଲ୍ଲା ପରିକ୍ରମା ଘାସ ଓ ଦଳରେ ପରିପୂର୍ଣ୍ଣ ଦଶମୌଜା କେନାଲ, ପ୍ରଶାସନିକ ଉଦାସୀନତା ପାଇଁ ଦୁର୍ଦ୍ଦଶା ଭୋଗିବେ ୯...

ଘାସ ଓ ଦଳରେ ପରିପୂର୍ଣ୍ଣ ଦଶମୌଜା କେନାଲ, ପ୍ରଶାସନିକ ଉଦାସୀନତା ପାଇଁ ଦୁର୍ଦ୍ଦଶା ଭୋଗିବେ ୯ ପଞ୍ଚାୟତର ଚାଷୀ

17

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଥିବା ଦଶମୌଜା କେନାଲ ଉପରେ ୭ ପଞ୍ଚାୟତର ଚାଷୀ ଖରିଫ୍ ଚାଷ ସମୟରେ ନିର୍ଭର କରନ୍ତି । ମାତ୍ର ଏହି କେନାଲଟି ଘାସ ଓ ଦଳରେ ପରିପୂର୍ଣ୍ଣ ହୋଇଛି । ସାଳନ୍ଦୀ ଜଳସେଚନ ବିଭାଗର ଉଦାସୀନତା ପାଇଁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ହେଲା କେନାଲ ସଂସ୍କାର ନହେବା ଯୋଗୁ ପୋତି ହୋଇପଡିଛି । କେନାଲ ସଂସ୍କାର ନହେଲେ ଚଳିତ ବର୍ଷ ତିହିଡି ବ୍ଲକର ୭ ପଞ୍ଚାୟତ ଏବଂ ଭଦ୍ରକ ବ୍ଲକର ୨ ପଞ୍ଚାୟତରେ ଖରିଫ ଧାନଚାଷ ପ୍ରଭାବିତ ହେବ । ଏହାଛଡ଼ା କେନାଲ ଆଡ଼ିବନ୍ଧରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବାରୁ ଏଥିନେଇ ସମସ୍ୟା ଉପୁଜିବ । ସାଳନ୍ଦୀ ଜଳସେଚନ ବିଭାଗ ଅଧୀନରେ ଥିବା ଦଶମୌଜା କେନାଲ ସାଳନ୍ଦୀ ନଦୀର ତେମୁହାଁଣୀରୁ ବାହାରି ଭଦ୍ରକ ବ୍ଳକର ବେନ୍ତାଳ ଓ କେଦାରପୁର ଏବଂ ତିହିଡି ବ୍ଲକର ଗୁଆମାଳ, ତାଳପଦା, ମୁକୁନ୍ଦପୁର,ଭାଟପଡା, ଫତେପୁର, କୋହ୍ଲ ଓ ସିନ୍ଦୋଳ ପଞ୍ଚାୟତ ମଧ୍ୟଦେଇ ଗତିକରିଛି । ଏହି କେନାଲରୁ ସେହିସବୁ ପଞ୍ଚାୟତର ଚାଷ ଜମି ରିଆନାଳ ମାଧ୍ୟମରେ ଜଳସେଚିତ ହୋଇଥାଏ । ଜଳସେଚନର ବିକଳ୍ପ ବ୍ୟବସ୍ଥା ନଥିବାରୁ ଖରିଫ ଧାନଚାଷ ସମୟରେ ଏହି କେନାଲ ପାଣି ଉପରେ ଚାଷୀମାନେ ନିର୍ଭର କରିଥାନ୍ତି ।

ଜଳବାୟୁର ପରିବର୍ତ୍ତନ ଯୋଗୁ ବର୍ଷାରେ ଅନିୟମିତତା ଦେଖାଦେଇଥିବାରୁ ଚାଷୀମାନେ ମୁଖ୍ୟତଃ ଏହି କେନାଲ ପାଣି ଉପରେ ନିର୍ଭର କରିଥାନ୍ତି । ଅଧିକ ବର୍ଷା ହୋଇ ବନ୍ୟା ପରିସ୍ଥିତି ଉପୁଜିଲେ ପାଣି କେନାଲ ମଧ୍ୟଦେଇ ନିଷ୍କାସିତ ହୋଇଥାଏ । ମାତ୍ର ସାଳନ୍ଦୀ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଖରିଫ ଧାନଚାଷ ପୂର୍ବରୁ ନାମକୁମାତ୍ର କେନାଲର ଦଳ ସଫାକରି ନିଜର ଦାୟିତ୍ୱ ସମ୍ପନ୍ନ କରିଥାନ୍ତି । କେନାଲ ପୋତିହେବା ସହ ଦଳ ଓ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଥିବାରୁ ଏହାକୁ ଠିକ୍ ରୂପେ ସଂସ୍କାର କରାନଗଲେ ପାଣି ତଳ ମୁଣ୍ଡରେ ଥିବା ଚାଷଜମିରେ ପହଞ୍ଚିବା କଷ୍ଟସାଧ୍ୟ ହେବ । ଅପରପକ୍ଷେ ୨୦୧୯ରେ କେନାଲର ଆଡିବନ୍ଧ ୨ଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଥିଲା । ମାତ୍ର ଦୂରରୁ ମାଟି ଆଣି ଆଡିବନ୍ଧ ନିର୍ମାଣର ନିୟମ ଥିଲେ ବି କେନାଲରୁ ମାଟି ଉଠାଯାଇ ବନ୍ଧ ନିର୍ମାଣ କରାଯାଇଥିବାରୁ କେତେକ ସ୍ଥାନରେ ଏହା ଧସିଯାଇ କେନାଲକୁ ପୋତି ପକାଇଛି । ଏଥିଯୋଗୁ ଆଡିବନ୍ଧ ଦୁର୍ବଳ ହେବାସହ ଘାଇ ସୃଷ୍ଟି ହୋଇଛି । ଏହାକୁ ମରାମତି କରାନଗଲେ କେନାଲ ପାଣି ଚାଷଜମିକୁ ନଷ୍ଟ କରିବା ଆଶଙ୍କା ଉପୁଜିଛି । ଏହି ସମସ୍ୟା ଯୋଗୁ ଚଳିତ ଖରିଫ୍ ଋତୁରେ ଧାନ ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କେନାଲକୁ ଖୁବଶିଘ୍ର ସଂସ୍କାର କରିବା ସହ ଆଡ଼ିବନ୍ଧ ମରାମତି ଦିଗରେ ପଦକ୍ଷେପ ନେଲେ ୯ ପଞ୍ଚାୟତର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜିବ ଜେନାଙ୍କୁ ପଚାରିବାରୁ କେନାଲ ସଂସ୍କାର ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.