Home ଓଡ଼ିଶା ଘର ଉପରେ ଚଢିଗଲା ଟିପ୍ପର- ଝିଅ ସହ ବାପା-ମାଁ ମୃତ, ଅଳ୍ପକେ ବର୍ତିଲା ପୁଅ

ଘର ଉପରେ ଚଢିଗଲା ଟିପ୍ପର- ଝିଅ ସହ ବାପା-ମାଁ ମୃତ, ଅଳ୍ପକେ ବର୍ତିଲା ପୁଅ

1282

କୋରାପୁଟ ୧୫-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) ଶୁକ୍ରବାର ବିଳମ୍ବିତ ରାତିରେ ଦାମନଯୋଡି ନିକଟ ଭେଜାପୁଟ ଗ୍ରାମରେ ଏକ ଘର ଉପରେ ବାଲି ବୋଝେଇ ଟିପ୍ପର୍ ଚଢି ଯିବାରୁ ଗୃହକର୍ତାଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅ ମୃତ୍ୟୁ ବରଣ କରିଥିବାବେଳେ ସୌଭାଗ୍ୟ ବଶତ ଅନ୍ୟ କଠୋରୀରେ ଶୋଇଥିବା ପୁଅ ରକ୍ଷା ପାଇ ଯାଇଛି। ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ସେମିଲିଗୁଡାରୁ ଦାମନଯୋଡିକୁ ବାଲି ନେଇ ଯାଉଥିବା ଓଡି-୧୦ଏ ୭୩୭୭ ନମ୍ବର ଟିପ୍ପର ଭେଜାପୁଟ ପୁରୁଣା ପେଟ୍ରୋଲ୍ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଘର ଉପରେ ଚଢି ଯାଇ ଓଲଟି ପଡିଥିଲା। ଫଳରେ ଘର ଭିତରେ ଶୋଇଥିବା ଆନନ୍ଦ ଖୋସ୍ଲା(୪୦), ଆନନ୍ଦଙ୍କ ପତ୍ନୀ ପଦ୍ମା ଖୋସ୍ଲା(୩୫) ଓ ଝିଅ ଜ୍ୟୋସ୍ନା(୯) ଘଟଣା ସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଏକ ରୁମରେ ଶୋଇଥିବା ଆନନ୍ଦଙ୍କ ୧୪ ବର୍ଷର ପୁଅ ଅଭିନାଶ ଅଳ୍ପକେ ବର୍ତି ଯାଇଥିଲା। ମଧ୍ୟ ରାତ୍ରୀରେ ପ୍ରଚଣ୍ଡ ଶଦ୍ଦ ଶୁଣି ପଡୋଶୀ ମାନେ ବାହାରିବା ପରେ ଘଟଣା ଜାଣି ପାରିଥିଲେ। ଦୁର୍ଘଟଣା ପରେ ଟିପ୍ପର ଡ୍ରାଇଭର୍ ଫେରାର୍ ହୋଇ ଯାଇଥିଲା। ଶନିବାର ସକାଳେ ପୁଲିସ୍ ପହଂଚି ମୃତଦେହ ଗୁଡିକ ବାହାର କରିବା ପରେ କ୍ଷତି ପୂରଣକୁ ନେଇ ସ୍ଥାନୀୟ ଲୋକେ ଦାମନଯୋଡି-ସେମିଲିଗୁଡା ମୁଖ୍ୟ ରାସ୍ତାର ଭେଜାପୁଟ ପୁରୁଣା ପେଟ୍ରୋଲ୍ ପମ୍ପ ନିକଟରେ ରାସ୍ତା ଅବରୋଦ୍ଧ ଆରମ୍ଭ କରିଥିଲେ। ମୃତ ଆନନ୍ଦଙ୍କ ପୁଅ ଅଭିନାଶକୁ ୫ଲକ୍ଷ ଟଙ୍କା କ୍ଷତି ପୂରଣ ସହ ଘର ପ୍ରଦାନ, ଅଭିନାଶର ପଢା ଖର୍ଚ ପ୍ରଶାସନ ବହନ କରିବା, ପାଠ ପଢା ପରେ ଅଭିନାଶକୁ ଚାକିରୀ ଦେବା ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଦ୍ଧ କରିଥିଲେ। ଏପରିକି ଗ୍ରାମବାସୀ ଦାବି ପୂରଣ ପାଇଁ ଅଡି ବସିଥିବାବେଳେ ଟିପ୍ପର ମାଲିକ ରହୁଥିବା ନାଲକୋ କ୍ୱାଟର ସେକ୍ଟର-୨ବି/ ୨୧୦ ସମୁଖରେ ଶବ ରଖି ଆନ୍ଦୋଳନ ଆରମ୍ଭ କରିଥିଲେ। ଏପରିକି ପୋଲିସ ସହ ନାଲକୋ କଲୋନୀରେ ବିକ୍ଷୋଭକାରୀମାନଙ୍କ ସହ କିଛି ସମୟ ବଚସା ହେଉଥିବା ନଜର କରାଯାଇଥିଲା।ପରେ ପୋଲିସ ଫୋର୍ସ ଘଟନାସ୍ଥଳରେ ପହଂଚି କ୍ୱାଟରରେ ରହିଥିବା ମୃତଦେହକୁ ଜଗି ରହିଥିଲା।କଲୋନୀ ମଧ୍ୟରେ ରହୁଥିବା ଲୋକମାନେ ମୃତଦେହକୁ ଦେଖି ଭୟଭୀତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।ମୃତ ପରିବାରଙ୍କ ଘରୁ ମୃତଦେହକୁ ବିକ୍ଷୋଭକାରୀମାନେ ହାତରେ ଧରି ନେଉଥିବା ଦେଖାଯାଇଥିଲା।ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, ସୁନାବେଡା ଏସଡିପିଓ ନିରଂଜନ ବେହେରା, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ, ସେମିଲିଗୁଡା ଥାନା ଅଧିକାରୀ ସମ୍ବିତ ବେହେରା,  ସୁନାବେଡା ଥାନା ଅଧିକାରୀ ସୁମିତ୍ରା ଜେନା, ମସ୍ତିପୁଟ ପଂଚାୟତର ସମିତି ସଭ୍ୟ ବାବୁଲା ବେନ୍ୟା ପ୍ରମୁଖ ଘଟଣା ସ୍ଥଳରେ ରହି ଉତ୍ୟକ୍ତ ଗ୍ରାମବାସୀଙ୍କ ସହ ବହୁ ସମୟ ଆଲୋଚନା କରିବା ପରେ ସମାଧାନର ବାଟ ଫିଟିଥିଲା। ଗ୍ରାମବାସୀ, ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରା ଯାଇ ମୃତକଙ୍କ ଉତରାଧିକାରୀ ଅଭିନାଶକୁ ଟିପ୍ପର ମାଲିକଙ୍କ ପକ୍ଷରୁ ୩ ଲକ୍ଷ ୨୫ ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ ସହ ଘର ମରାମତି, ଜିଲା ପ୍ରଶାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର(ପ୍ରତି ମୃତକଙ୍କ ପାଇଁ ୧୦ ହଜାର ଲେଖାଏଁ)ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ସହାୟତା ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆଇନ୍ ଅନୁଯାୟୀ ସହାୟତା ଦେବାକୁ ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଦ୍ଧ ହଟିଥିଲା। ମୃତ ଆନନ୍ଦ ଖୋସ୍ଲାଙ୍କର ନିଜ ଘର ସଦର ବ୍ଲକ ମସ୍ତିପୁଟ ହୋଇଥିବାବେଳେ ସେ ନାଲକୋର ଏକ ଠିକା ସଂସ୍ଥାରେ ଦିନ ମଜୁରିଆ ବାବେ କାମ କରୁଥିଲେ। କୋରାପୁଟ ଏସଏଲଏନ ମେଡିକାଲ କଲେଜ୍ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରା ଯାଇ ମୃତଦେହ ଗୁଡାକ ମସ୍ତିପୁଟ ପଠା ଯିବ ବୋଲି ଜଣା ପଡିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.