Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଗ୍ରାମାଂଚଳର ବହୁ ପ୍ରତିଭା ଉପେକ୍ଷିତ, ଛୋରିଆଗଡ ଠାରେ କଳାହାଣ୍ଡି ଉତ୍ସବ ଉଦଘାଟିତ

ଗ୍ରାମାଂଚଳର ବହୁ ପ୍ରତିଭା ଉପେକ୍ଷିତ, ଛୋରିଆଗଡ ଠାରେ କଳାହାଣ୍ଡି ଉତ୍ସବ ଉଦଘାଟିତ

246

କଳାହାଣ୍ଡି, ୨୪.୧୨.୨୦-୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ଲୁକ୍କାୟୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟ ନେଇ ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ପାଳନ କରାଯାଇଥାଏ । ସେହିପରି ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଗ୍ରାମାଂଚଳରୁ ହିଁ ଅୟମାରମ୍ଭ କରାଯାଇଥାଏ । ଚଳିତ ବର୍ଷ ଜୁନାଗଡ ବ୍ଲକ ଅନ୍ତର୍ଗତ ଛୋରିଆଗଡ ଠାରେ କଳାହାଣ୍ଡି ଉତ୍ସବ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀ ପୀଠରୁ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଉତ୍ସବ ପଡିଆଠାରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡି ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଜିଲ୍ଲାସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜସେବୀ ଦିଲିପ ଠାକୁର ମଂଚ ପରିଚାଲନା କରିଥିବା ବେଳେ ଗ୍ରାମାଂଚଳର ଲୁକ୍କାୟୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ହିଁ କଳାହାଣ୍ଡି ଉତ୍ସବର ମୂଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଅନ୍ୟ ପକ୍ଷରେ କଳାହାଣ୍ଡିରେ ଗ୍ରାମାଂଚଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନେକ ପ୍ରତିଭା ଥିଲେହେଁ ସେମାନଙ୍କୁ ଦୀର୍ଘ ବର୍ଷ ହେବ ଲୋକ ଲୋଚନକୁ ଅଣାଯାଇପାରୁନ ଥିବାରୁ ବୁଦ୍ଧିଜୀବି ମହଲରେ ଗଭୀର ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଆଜି ମଧ୍ୟ ଗ୍ରାମାଂଚଳରେ ପୁରୁଷାନୁକ୍ରମେ ଚାଷ କାର୍ଯ୍ୟ କରିଆସୁଥିବା ଅନେକ ପାରମ୍ପାରିକ ଚାଷୀ ଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ଜୌଣସି ପ୍ରକାର ପୋ୍ରତ୍ସାହନ ଦିଆଯାଇପାରୁନାହିଁ । ଗ୍ରାମାଂଚଳରେ ଅନେକ କଳାକାର ଲୁକ୍କାୟୀତ ଭାବେ ରହିଯାଉଥିବା ବେଳେ ସେମାନଙ୍କୁ ଲୋକଲୋଚନକୁ ଅଣାଯାଇପାରୁନାହିଁ । କ୍ରୀଡା, ଶିକ୍ଷା, ସମାଜ ସେବା, ସାମ୍ବାଦିକତା, କଳା, ବାଦ୍ୟ ଯନ୍ତ୍ର, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନେକ ଲୋକେ ବଣମଲ୍ଲୀ ଭଲି ଗ୍ରାମାଂଚଳରେ ପଡିରହି ଯାଇଛନ୍ତି, ସେମାନଙ୍କୁ ଲୋକଲୋଚନକୁ ଆଣିବାର କ୍ଷୁଦ୍ରତମ ପ୍ରୟାସ ମଧ୍ୟ କରାଯାଉନାହିଁ । ଏପରିକି ଯେଉଁମାନେ ଏସବୁ ବିଷୟ ପ୍ରତି ଧ୍ୟାନ ଦେବାକୁ ସ୍ୱର ଉଠାଉଛନ୍ତି ସେମାନଙ୍କୁ କଳାହାଣ୍ଡି ଉତ୍ସବ କମିଟୀରେ ମଧ୍ୟ ସ୍ଥାନ ଦିଆଯାଉନଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

କଳାହାଣ୍ଡି ଉତ୍ସବ କେବଳ ଭବାନୀପାଟଣାରେ ହିଁ ସୀମିତ ହୋଇରହିଯାଉଥିବା ବେଳେ କେବଳ ଏହା ର ଦର୍ଶକ ସଂଖ୍ୟାକୁ ଦେଖି ଆୟୋଜକ ମାନେ କଳାହାଣ୍ଡି ଉତ୍ସବର ସଫଳତା ଆକଳନ କରୁଥିବା ଆଲୋଚନା ହେଉଛି । ସେହିପରି ବ୍ଲକ ସ୍ତରରେ କେବଳ ସଦର ମହକୁମା ରେ କଳହାଣ୍ଡି ଉତ୍ସବ ସୀମିତ ହୋଇ ଗ୍ରାମାଂଚଳର ପ୍ରତିଭା ଉପେକ୍ଷିତ ହେଉଥିବା ଆଲୋଚନା ହେଉଛି । ଜୁନାଗଡ ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯାଉଥିବା ବେଳେ ତାହା କେବଳ ଜୁନାଗଡ ଠାରେ ହିଁ ପାଳନ କରୋଯାଉଥିବା ବେଳେ ବହୁ ପ୍ରତିଭା ଉପେକ୍ଷିତ ହେଉଥିବା ଜଣାପଡିଛି । ଅନ୍ୟ ପକ୍ଷରେ କେସିଙ୍ଗା ଠାରେ ଏନଏସି ଓ ବ୍ଲକ ସ୍ତରରେ ସ୍ୱତନ୍ତ୍ର ଭାବେ କଳାହାଣ୍ଡି ଉତ୍ସବ ପାଳନ କରାଯାଇ ବ୍ଲକ ସ୍ତରୀୟ ଉତ୍ସବକୁ ଗ୍ରାମାଂଚଳରେ ପାଳନ କରାଯାଉଥିବା ପ୍ରକାଶ । ବିଶେଷ କରି ଦାୟୀତ୍ୱରେ ଥିବା ପଦାଧିକାରୀମାନେ ଯେମିତି ହେଉ ନିଜ ଦାୟୀତ୍ୱ ସାରିଦେବା ଭଲି ନାମକୁ ମାତ୍ର କଳାହାଣ୍ଡି ଉତ୍ସବ ପାଳନ କରୁଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ କଳାହାଣ୍ଡି ଉତ୍ସବର ମୂଳ ଲକ୍ଷ୍ୟ ଠାରୁ କ୍ରମଶଃ ଦୂରେଇ ଯାଉଥିବା ବେଳେ କେବଳ ନାମକୁ ମାତ୍ର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଂଜନର ଏକ ମାଧ୍ୟମରେ ହିଁ ସୀମିତ ହୋଇରହି ଯାଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.