Home କେନ୍ଦୁଝର ଗ୍ରାମରେ ମଦ ବିକ୍ରିକୁ ମହିଳାଙ୍କ ବିରୋଧ, ତେଜୁଛି ଆନ୍ଦୋଳନ

ଗ୍ରାମରେ ମଦ ବିକ୍ରିକୁ ମହିଳାଙ୍କ ବିରୋଧ, ତେଜୁଛି ଆନ୍ଦୋଳନ

70

ହରିଚନ୍ଦନପୁର, ତା ୧୩ ଜୁନ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଗ୍ରାମାଞ୍ଚଳରେ ଖୋଲମ୍ ଖୋଲା ଭାବେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ ସହ ଗଞ୍ଜେଇ, ଉଜୁଡ଼ି ଯାଉଛି ଅନେକ ପରିବାର । ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଟାପିଟି ଗ୍ରାମପଞ୍ଚାୟତ ଝାଡ଼ପୋଖରୀ ଗ୍ରାମରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ । ରବିବାର ଦିନ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ଦେଶୀ ବିଦେଶୀ ମଦ ସହ ଗଞ୍ଜେଇ ବ୍ୟବସାୟ କରୁଥିବା ଲୋକଙ୍କୁ ତାଗିଦ୍ କରାଯାଇଛି । ମଦ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇ ଗ୍ରାମକୁ ଶୃଙ୍ଖଳିତ ଓ କୋଭିଡ୍ ସଚେତନତା ସୃଷ୍ଟି କରିବା ପାଇଁ ମହିଳାମାନେ ଗ୍ରାମ ପରିଭ୍ରମଣ କରିଥିଲେ । ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ମଦ ବିକ୍ରି ଯୋଗୁଁ ଗ୍ରାମର ଅଧିକାଂଶ ଯୁବକ କାମଧନ୍ଦା ବନ୍ଦ କରି ଅସାମାଜିକ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ଏଅଞ୍ଚଳରେ ଦିନକୁ ଦିନ ପାରିବାରିକ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସ୍ଥାନୀୟ ପୋଲିସ ଓ ଘଟଗାଁ ଅବକାରୀ ବିଭାଗ ପାଖରେ ଖବର ଥିଲେ ମଧ୍ୟ ମାସିକ ମୋଟା ଅଙ୍କର ହାତ ଗୁଞ୍ଜା ନେଇ ଚୁପ୍ ହୋଇ ରହୁଥିବା ଅଭିଯୋଗ ହେଉଛି । ହେଲେ ଆଉ ଚୁପ୍ ରହିଲେ ଚଳିବ ନାହିଁ, ଏଥର ମହିଳାମାନେ ଏକତ୍ରିତ ହୋଇ ନିଜ ଗ୍ରାମରୁ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ି ଆଗକୁ ଆଗେଇ ଆସିଛନ୍ତି । ଗ୍ରାମରେ ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ କରିବା ପାଇଁ ପ୍ରଥମେ ଚେତାବନୀ ଦିଆଯାଇଛି । ଏହାକୁ ବ୍ୟତିକ୍ରମ କଲେ ଆଗାମୀ ଦିନରେ ମଦ ବିରୋଧି ଆନ୍ଦୋଳନ ତୀବ୍ର ରୂପ ନେବା ସହ ଜୋର୍ ଜାର କରାଯିବାକୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଙ୍ଗନୱାଡି କର୍ମୀ ବିଳାସ ମଞ୍ଜରୀ ସାହୁ, ଆଶା କର୍ମୀ ଦମୟନ୍ତୀ ନାଏକ, ୱାର୍ଡ ମେମ୍ବର ସୁଶୀଳା ସାହୁ, ନମିତା ସାହୁ, ରଇବାରି ସାହୁ, ପିତାମ୍ବର ସାହୁ, କେଶବ ନାଏକ, ଚୈତନ୍ୟ ବେହେରାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କୋଭିଡ୍ କଟକଣାକୁ ପାଳନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.