Home ଓଡ଼ିଶା ଗୁଣ୍ଡୁରାବାଡି ମହିଳା ଓ ବନ କର୍ମଚାରୀ ଜଙ୍ଗଲ କଟା କୁ ନେଇ ମୁହାଁମୁହିଁ

ଗୁଣ୍ଡୁରାବାଡି ମହିଳା ଓ ବନ କର୍ମଚାରୀ ଜଙ୍ଗଲ କଟା କୁ ନେଇ ମୁହାଁମୁହିଁ

96

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୧- ଜଙ୍ଗଲ ଅଧିକାର ଆଇନକୁ ନେଇ ଅନେକ ସମୟରେ ବନ କର୍ମଚାରୀ ଓ ଜଙ୍ଗଲ ଜଗିଥିବା ଗ୍ରାମ ମହିଳା ପୁରୁଷ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲ ଅଧିକାର ଆଇନ ବଳରେ ଜଙ୍ଗଲ ଜଗୁଥିବା ସମୁଦାୟକୁ ଗୋଷ୍ଠୀଗତ ପଟ୍ଟା ପ୍ରଦାନ କରାଯାଉଛି । ଏଥିରେ ମଧ୍ୟସ୍ଥତା କରୁଛି ଜଙ୍ଗଲ ସୁରକ୍ଷା ପରିଷଦ । ସେଭଳି ଏକ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ନୟାଗଡ ବନଖଣ୍ଡ ପଞ୍ଚିରିଡା ବନାଞ୍ଚଳର ଦର୍ପନାରାୟଣପୁର ବନପାଳଙ୍କ ଅଧିନରେ ଥିବା ଛାଞ୍ଚୁଣିଆ ମୌଜାରେ । ଛାଞ୍ଚୁଣିଆ ଖେସରା ଜଙ୍ଗଲରେ ଥିବା ଉଜୁଡା ଶାଗୁଆନ ଜଙ୍ଗଲକୁ ନିକଟସ୍ଥ ଗୁଣ୍ଡୁରାବାଡି ମୌଜାର ମହିଳାମାନେ ଠେଙ୍ଗା ପାଳି କରି ଜଗି ଆସୁଥିଲେ । ଗତ ଡିସେମ୍ବର ୩୧ ତାରିଖ ରାତ୍ରୀରେ କାଠ ଚୋରମାନେ ୮ ଗୋଟି ଶାଗୁଆନ ଗଛ କୁ କାଟି ଦେଇଥିଲେ । ଗଛ କାଟିବା ଶବ୍ଦ ଶୁଣି ଗ୍ରାମବାସୀମାନେ ପହଂଚି ବାରୁ  ଅନ୍ଧାରର ସୁଯୋଗ ନେଇ କାଠ ଚୋରମାନେ ପଳାଇ ଯାଇଥିଲେ । ଜାନୁଆରୀ ୧ ତାରିଖ ସକାଳୁ ଦର୍ପନାରାୟଣପୁର ବନପାଳ ଙ୍କ ନିକଟରେ ବନ ବିଭାଗ ଜଗୁଆଳୀ ଖବର ଦେବାପରେ ବନ କର୍ମଚାରୀ ମାନେ ସେଠାରେ ପହଂଚି କଟା ଯାଇଥିବା ଶାଗୁଆନ ଗଛ କୁ କାର୍ଯ୍ୟାଳୟ କୁ ନେବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଜଙ୍ଗଲ ଜଗୁଥିବା ଗୁଣ୍ଡୁରାବାଡିର ମହିଳାମାନେ ଜଙ୍ଗଲରେ ପହଂଚି ବନ ବିଭାଗ କର୍ମଚାରୀ ଙ୍କୁ ବାରଣ କରିଥିଲେ । ଫଳରେ ବନ କର୍ମଚାରୀ ଓ ଗ୍ରାମର ମହିଳା ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବନ କର୍ମଚାରୀ ମାନେ ୧୩ ଗୋଟି ଶାଗୁଆନ କାଠଗଣ୍ଡିକୁ କାର୍ଯ୍ୟାଳୟ କୁ ନେଇ ସାରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ମା ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ସମ୍ପାଦକ ଅରକ୍ଷିତ ସାହୁ ଘଟଣାସ୍ଥଳରେ ପହଂଚିଥିଲେ ।

ଗ୍ରାମର ମହିଳା ପୁରୁଷ ମାନେ ଏକତ୍ର ହୋଇ ବନ କର୍ମଚାରୀ ଓ ବନ ବିଭାଗ ଗାଡି କୁ ଅଟକ ରଖିଥିଲେ । ବନ ବିଭାଗ ଠାରୁ ଖବର ପାଇ ରଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି କୁ ଆୟତକୁ ଆଣିଥିଲେ । ବନ କର୍ମଚାରୀ ଙ୍କୁ ମୁକୁଳାଇ ସମାଧାନ ପାଇଁ ଜାନୁଆରୀ ୨ ତାରିଖ କୁ ବୈଠକ ରଖାଯାଇଥିଲା । ଗ୍ରାମବାସୀ ବୈଠକ ସ୍ଥଳରେ ଚାହିଁ ବସିଥିବା ବେଳେ ବନ ବିଭାଗ ପହଂଚି ନଥିଲା । ଗ୍ରାମବାସୀ ମାନେ ଜଙ୍ଗଲରେ କଟା ହୋଇ ଅଧିକ ପଡିଥିବା ଶାଗୁଆନ କାଠ ଗଣ୍ଡିକୁ ରାତାରାତି  ନିଜ ଅକ୍ତିଆରକୁ ନେଇଯାଇଥିବା ଜଣାପଡିଛି । ଏ ସର୍ମ୍ପକେ ନୟାଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଢଙ୍ଗି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ସେହି ଗ୍ରାମରେ ବନ ସୁରକ୍ଷା ସମିତି ଗଠନ ହୋଇନାହିଁ । ବୋଧହୁଏ ଗ୍ରାମବାସୀ ସେହି ଶାଗୁଆନ ଗଛକୁ କାଟି ଦେଇଥିଲେ । ନହେଲେ ଯଦି ଚୋର କାଟିଥାନ୍ତେ ତାହେଲେ ର୍ଗାମବାସୀ ସେମାନଙ୍କୁ ଧରି ଆମ୍ବକୁ ଖବର ଦେଇ ଜୋରିମାନା ଆଦାୟ କରିଥାନ୍ତେ । ସେହି ଗ୍ରାମବାସୀ ବନ ସୁରକ୍ଷା ସମିତି ଗଠନ କରନ୍ତୁ । ଖବର ଅନୁଯାଇ ଗ୍ରାମବାସୀ ମାନେ ବନ ସୁରକ୍ଷା ସମିତି ଗଠନ ପାଇଁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଏ ସର୍ମ୍ପକେ ମା ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ସର୍ମ୍ପାଦକ ଅରକ୍ଷିତ ସାହୁ କୁହନ୍ତି ଗ୍ରାମବାସୀ ମାନେ ଜଙ୍ଗଲ ସୁରକ୍ଷା ଆଇନ ବଳରେ ସମୁଦାୟ ଗୋଷ୍ଠୀ ଜଙ୍ଗଲ ପଟ୍ଟା ପାଇବା ପାଇଁ ଆବେଦନ କରିଛନ୍ତି । ଖୁବଶୀଘ୍ର ଗ୍ରାମବାସୀଙ୍କୁ ଗୋଷ୍ଠୀ ସମୁଦାୟ ପଟ୍ଟା ପ୍ରଦାନ ପାଇଁ କାଗଜାତ ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.